ବିଜେପିର ପ୍ରଶ୍ନ: ବରଗଡ଼ ଜିଲ୍ଲାକୁ କେତେ ଇନ୍‌ପୁଟ୍ ସବସିଡି ମିଳିବ?

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ମରୁଡ଼ି ହୋଇଥିବା ନେଇ ଚିଠି ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଓ ବରଗଡ଼ ଜିଲ୍ଲା ପାଇଁ ଇନପୁଟ୍ ସବ୍‌ସିଡି କେତେ ଦିଆଯିବ ସେ ନେଇ ସବିଶେଷ ବିବରଣୀ ପ୍ରଦାନ କରନ୍ତୁ ବୋଲି ରାଜ୍ୟ ବିଜେପି ଦାବି କରିଛି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଅକ୍ଟୋବର ୧୧, ୨୦୨୧ରେ ଏସଆରସି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ମରୁଡ଼ି ସ୍ଥିତି ନେଇ ସବିଶେଷ ରିପୋର୍ଟ ତଲବ କରିଥିଲେ। ଯେତେବେଳେ ବିଧାନସଭାରେ ମରୁଡ଼ି ପ୍ରସଙ୍ଗ ଉଠିଲା ସେତେବେଳେ କୌଣସି ଜିଲ୍ଲାରେ ମରୁଡ଼ି ନ ଥିବା କଥା ସରକାରଙ୍କ ପକ୍ଷରୁ କୁହାଗଲା। ସରକାର ପଦ୍ମପୁରବାସୀ ଓ ବରଗଡ଼ବାସୀଙ୍କୁ ଭଣ୍ଡାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

୨୦୧୭ରେ ତତ୍‌କାଳୀନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର ସବଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବା ନେଇ ପ୍ରଶ୍ନ କରିଥିଲେ। ହେଲେ ଏଭଳି କୌଣସି ପ୍ରସ୍ତାବ ନଥିବା ସରକାର ଉତ୍ତର ଦେଇଥିଲେ। ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ କହିଥିଲେ। ଏଥିରେ କୌଣସି ଅଗ୍ରଗତି ହୋଇନାହିଁ। କିନ୍ତୁ ଏବେ ଜିଲ୍ଲାମାନ୍ୟତା ପ୍ରସଙ୍ଗରେ ବିଜେଡିର ତତ୍ପରତା ପକାଶ ପାଇଛି ଯାହା କେବଳ ଉପନିର୍ବାଚନ ପାଇଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନିର୍ବାଚନୀ ଇସ୍ତାହାରରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବାର ଘୋଷଣା କରିଥିଲେ। କିନ୍ତୁ ଏବେ ୪ ହଜାର ଟଙ୍କା ଦେଉଛନ୍ତି। ସୋହେଲାରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କାର ବୋନସ ଦେବା ପାଇଁ କହି ଠକିଲେ। ପିଠା ଯୋଜନା କରି ଲୋକଙ୍କୁ ଭୂଆଁ ବୁଲାଇଲେ। ବିଜେପୁରରେ ଗଙ୍ଗାଧର ମେହେର ଉଠା ଜଳସେଚନ ଯୋଜନା ମଧ୍ୟ ଚାଷୀଙ୍କୁ ପ୍ରତାରଣା ବୋଲି ବିଜେପି ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡ଼ା, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର