ଝାରସୁଗୁଡ଼ା : ଗତ ୧୨ ତାରିଖରୁ ସମ୍ବଲପୁରରେ ଦେଖାଦେଇଥିବା ଅପ୍ରୀତିକର ସ୍ଥିତିକୁ ନେଇ ବୁଧବାର ଝାରସୁଗୁଡ଼ାରେ ବିଜେପିର ରାଜ୍ୟସ୍ତରୀୟ ଟିମ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏଭଳି ଘଟଣା ଘଟିଥିବା ବେଳେ ଭୋଟ ବ୍ୟାଙ୍କ ପାଇଁ ଦେଶଦ୍ରୋହୀଙ୍କୁ ସୁରକ୍ଷା ଦିଆଯାଉଥିବା ବିଜେପି ଅଭିଯୋଗ କରିଛି। ଦଙ୍ଗା ବେଳେ ଜଣେ ଆଦିବାସୀ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା, ତରବରିଆ ଭାବେ ତାଙ୍କ ପରିବାରର ଅଧିକାର କ୍ଷୁଣ୍ଣ କରି ଶବ ଦାହ କରିଦିଆଗଲା, ପଥର ମାଡ଼ରେ ପୁଲିସ୍‌ ଆହତ ହେଲେ, ହନୁମାନ ଜୟନ୍ତୀ ସମନ୍ବୟ ସମିତିର କାର୍ଯ୍ୟକର୍ତ୍ତା ଆହତ ହେଲେ। ମୁଖ୍ୟମନ୍ତ୍ରୀ ଜାପାନ, ଦୁବାଇ ଯାଇପାରୁଛନ୍ତି ଅଥଚ ଏଭଳି ସମ୍ବେଦନଶୀଳ ଘଟଣାରେ ଥରୁଟିଏ ସମ୍ବଲପୁର ଆସିବା କାହିଁକି ଜରୁରୀ ଭାବିଲେନି ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଜୁଏଲ ଓରାମ,  ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ସଂସଦରେ ଆସିବ ସ୍ବାଧିକାର ଭଙ୍ଗ ନୋଟିସ
ଥରୁଟିଏ ସମ୍ବଲପୁର ଆସିବାକୁ କାହିଁକି ଜରୁରୀ ଭାବିଲେନି ମୁଖ୍ୟମନ୍ତ୍ରୀ?

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପ୍ରଥମ ଥାର ପାଇଁ ହେଉନି। କେଉଁ କାଳରୁ ଏହି ରାସ୍ତାରେ ଶୋଭାଯାତ୍ରା ଆସୁଛି। ଉଭୟ କମିଟି ଓ ପ୍ରଶାସନ ପାଖରେ ଏହାର ଅଭିଜ୍ଞତା ରହିଛି। ବର୍ତ୍ତମାନ ଥିବା ଏସ୍‌ପି ବି ୨ ଥର ସମ୍ବଲପୁରର ଏହି ଶୋଭାଯାତ୍ରା ଦେଖିସାରିଲେଣି। ମାତ୍ର ପ୍ରଶାସନର ଗୁଇନ୍ଦା ଫେଲ ମାରିଲା, ଦେଶଦ୍ରୋହୀ ପଥର ନେଇ ଛାତରେ ରଖିଲେ। ଯଦି ପ୍ରଶାସନ ପାଖରେ ପୁଲିସ ନଥିଲା ତେବେ ଭଦ୍ରକ ଭଳି ସ୍ୱୀକାର କରିଥାନ୍ତେ, କେନ୍ଦ୍ର ସୁରକ୍ଷା ବଳ ଯୋଗାଇ ଦେଇଥାନ୍ତା ବୋଲି ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି। ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ପଶ୍ଚିମବଙ୍ଗ ଓ ବିହାର ଦିଗରେ ଗତି କରୁଥିବା ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ସେପଟେ ଗତକାଲି ଶ୍ରୀପୁରା ଛକରେ ବିଜେପି ଟିମ୍‌କୁ ପୁଲିସ ଅଟକାଇବା ଘଟଣାକୁ ନେଇ ମଧ୍ୟ ସେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ବିନା କର୍ଫ୍ୟୁରେ, ବିନା ନୋଟିସରେ ପ୍ରଶାସନ ଜଣେ କେନ୍ଦ୍ରମନ୍ତ୍ରୀ, ୨ ସାଂସଦଙ୍କ ସମେତ ୫ ନେତାଙ୍କୁ ୭ ଘଣ୍ଟା ଧରି କିଭଳି ଅଟକ ରଖିଲା ବୋଲି ବିଜେପି ପ୍ରଶ୍ନ କରିଛି। ଏ ନେଇ ନୀତିଗତ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଯିବ ଓ ସଂସଦରେ ସ୍ବାଧିକାର ଭଙ୍ଗ ନୋଟିସ ଆସିବ ବୋଲି ଏହି ପ୍ରସଙ୍ଗ ଉପରେ ସୂଚନା ଦେଇ ଶ୍ରୀ ସାମଲ କହିଛନ୍ତି। ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି ଯେ, ସମ୍ବଲପୁରରେ ନାଲି ଆଖି ଦେଖେଇ କେବେ ଶାନ୍ତି ​​ଫେରାଇ ଅଣାଯାଇପାରିବନି।

ସେପଟେ ଯେଉଁ ସରକାର ରତ୍ନ ଭଣ୍ଡାର ଚାବି ହଜେଇ ପାରୁଛନ୍ତି, ଫାଇଲ ହଜେଇ ପାରୁଛନ୍ତି, ସେ ସରକାରଠାରୁ ଅଧିକ କଣ ଆଶା କରାଯାଇପାରେ ବୋଲି ଶ୍ରୀ ସାମଲ ଏହି ପ୍ରସଙ୍ଗରେ କହିଛନ୍ତି। ଯଦି ସରକାରଙ୍କ ସତ୍‌ ସାହସ ଅଛି ତେବେ ଏହି ଦଙ୍ଗାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ, ଫାଷ୍ଟଟ୍ରାକ କୋର୍ଟରେ ବିଚାର ହେଉ, ୨୪ ଘଣ୍ଟା ମଧ୍ୟରେ ଦେଶଦ୍ରୋହୀଙ୍କ ଜବରଦଖଲ ଘର ଉଚ୍ଛେଦ ହେଉ, ସମ୍ବଲପୁରରୁ କର୍ଫ୍ୟୁ ଉଚ୍ଛେଦ କରାଯାଉ ଓ ଇଣ୍ଟରନେଟ୍‌ ବ୍ୟବସ୍ଥା ସ୍ବାଭାବିକ କରାଯାଉ ବୋଲି ବିଜେପି ଦାବି କରିଛି।