ପୁରୀ: କାମ ଦେଇଛି ମୋଦୀ ମନ୍ତ୍ର। ଭାଙ୍ଗିଛି ଦଶନ୍ଧି ଦଶନ୍ଧିର ରେକର୍ଡ। ପୁରୀ ଜିଲ୍ଲାର ରାଜନୈତିକ ଇତିହାସରେ ଯାହା ଦେଖିବାକୁ ମିଳିନଥିଲା, ତାହା ଆଜି ଘଟିଛି। ବିଜେଡିର ଗଡ଼କୁ ଧ୍ବସ୍ତବିଧ୍ବସ୍ତ କରି ବିଜେପି ପୁରୀ ଜିଲ୍ଲାର ୬ ବିଧାନସଭା ଆସନରୁ ୪ଟି ବିଧାନସଭା ଆସନ ନିଜ ଦଖଲକୁ ନେଇଛି। ବିଜେଡିକୁ ୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ଓ ନିମାପଡ଼ା ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ବିଜେଡିକୁ କେବଳ ପୁରୀ ଓ କାକଟପୁର ବିଧାନସଭା ମିଳିଛି। ଅପରପକ୍ଷେ କେବଳ କାକଟପୁର ଓ ପୁରୀକୁ ଛାଡ଼ିଦେଲେ, ଅନ୍ୟ କୌଣସିଠାରେ କଂଗ୍ରେସ ସେତେଟା ଭଲ ପ୍ରଦର୍ଶନ କରିପାରିନି।

Advertisment

ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ଓ ନିମାପଡ଼ାରେ ବିଜେପି
ପୁରୀ ଓ କାକଟପୁର ଜିତି ସମ୍ମାନ ରଖିଲା ବିଜେଡି

ପୁରୀରେ ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ୫ହଜାର ୩୯୬ ଭୋଟ୍‌ରେ ପରାସ୍ତ କରିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ କୁମାର ମହାନ୍ତି। ବିଜେଡି ପ୍ରାର୍ଥୀ ସୁନିଲଙ୍କୁ ୭୪ହଜାର ୪୦୧ ଭୋଟ୍‌ ମିଳିଥିବା ବେଳେ ଜୟନ୍ତଙ୍କୁ ୬୯ହଜାର ୦୦୬ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ୧୩ହଜାର ୦୭୩ ଭୋଟ୍‌ ମିଳିଛି। କାକଟପୁରରେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ୧୮ହଜାର ୯୮୫ ଭୋଟ୍‌ରେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ତୁଷାରକାନ୍ତି ୭୩ହଜାର ୩୨୦ ଭୋଟ୍‌ ପାଇଥିବା ବେଳେ ବାଇଧର ୫୪ହଜାର ୩୩୫ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ବଭୂଷଣ ଦାସଙ୍କୁ ୨୯ହଜାର ୪୩୮ ଭୋଟ୍‌ ମିଳିଛି। ପିପିଲିରେ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କୁ ୧୪ହଜାର ୯୯୮ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ଆଶ୍ରିତ ୯୮ହଜାର ୮୦୩ ଭୋଟ୍‌ ପାଇଥିବା ବେଳେ ରୁଦ୍ର ୮୩ହଜାର ୮୦୫ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜ୍ଞାନରଂଜନ ପଟ୍ଟନାୟକ ୩ହଜାର ୪୨୫ ଭୋଟ୍‌ ପାଇଛନ୍ତି। ବ୍ରହ୍ମଗିରିରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ୮ହଜାର ୭୪୩ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର। ଉପାସନାଙ୍କୁ ୮୬ହଜାର ୫୧୫ ଭୋଟ୍‌ ଓ ଉମାକାନ୍ତଙ୍କୁ ୭୭ହଜାର ୭୭୨ ଭୋଟ୍‌ ମିଳିଛି।

ନିମାପଡ଼ାରେ ବିଜେଡି ପ୍ରାର୍ଥୀ ଦିଲୀପ କୁମାର ନାୟକଙ୍କୁ ୪ହଜାର ୪୫୮ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ପ୍ରଭାତୀ ୯୫ହଜାର ୧୨୬ ଭୋଟ୍‌ ଓ ଦିଲୀପ ୯୦ହଜାର ୬୬୮ ଭୋଟ୍‌ ପାଇଛନ୍ତି। ସତ୍ୟବାଦୀରେ ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମାଙ୍କୁ ୧୭ହଜାର ୭୦୮ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର। ଓମ୍‌ପ୍ରକାଶ ୮୭ହଜାର ୨୯୪ ଭୋଟ୍‌ ପାଇଥିବା ବେଳେ ସଂଜୟ ୬୯ହଜାର ୫୮୬ ଭୋଟ୍‌ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ସ୍ବାଧୀନ ପ୍ରାର୍ଥୀ କାମାକ୍ଷାପ୍ରସାଦ ପ୍ରଧାନ ୨୫୫୭ ଭୋଟ୍‌ ପାଇଛନ୍ତି।