ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଶୁକ୍ରବାର ଦିନ ବିଜେପି ପକ୍ଷରୁ ଲୋୟର ପିଏମ୍ଜିଠାରେ ସତ୍ୟାଗ୍ରହ କରାଯାଇଛି। ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, ଅବ୍ୟବସ୍ଥିତ ଟୋକନ୍ ବ୍ୟବସ୍ଥା, କଟ୍ନି ଛଟ୍ନି, ବେପାରୀ-ମିଲର-ରାଜ୍ୟ ସରକାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଚାଷୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ଦଳର ଅଭିଯୋଗ, କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ଦୂରୀକରଣ ପାଇଁ ଗତ ୮ବର୍ଷ ହେଲା ବିଭିନ୍ନ ପ୍ରକାରର କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି କେନ୍ଦ୍ରୀୟ ଯୋଜନାକୁ ଚାଷୀଙ୍କ ପାଖରେ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଚାଷୀର ଆୟ କ୍ରମାଗତ ଭାବେ ବୃଦ୍ଧି ପାଇ ୧୦ହଜାର ହୋଇସାରିଥିବା ବେଳେ ବିଜେଡି ସରକାର ଅମଳରେ ଓଡ଼ିଶା ଚାଷୀଙ୍କ ଆୟ ମାତ୍ର ୫ ହଜାରରେ ସୀମିତ ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ସେ ଆହୁରି କହିଥିଲେ ଯେ ଓଡ଼ିଶାରେ ଚାଷୀଙ୍କୁ ସର୍ବଦା ରାଜ୍ୟ ସରକାର ଅବହେଳା କରୁଛନ୍ତି। ଫଳରେ ମଣ୍ଡି ସମସ୍ୟାଠାରୁ ଆରମ୍ଭ କରି ଅବ୍ୟବସ୍ଥିତ ଟୋକନ୍ ବ୍ୟବସ୍ଥା ସୃଷ୍ଟି ହଉଛି। ବୀମା କମ୍ପାନି ପ୍ରତି ରାଜ୍ୟ ସରକାର ଅହେତୁକ ଅନୁକମ୍ପା କାରଣରୁ ଚାଷୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ରାଜ୍ୟ ସରକାରଙ୍କ ଚାଷୀକୁଳ ସ୍ବାର୍ଥରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଆଜିର ଏହି ସତ୍ୟାଗ୍ରହରେ ବିଜେପିର ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ବରିଷ୍ଠ ନେତା ସଜ୍ଜନ ଶର୍ମା, ମହେଶ୍ବର ସାହୁ, ନୟନ କିଶୋର ମହାନ୍ତି, ରମାରଞ୍ଜନ ବଳିଆରସିଂହ, ବାଇଧର ମଲ୍ଲିକ, ସୁରଥ ବିଶ୍ବାଳ, ଶାରଦା ପ୍ରଧାନ, ଦିଲ୍ଲୀପ ମଲ୍ଲିକ, ତେଜସ୍କର ପରିଡ଼ା, ରାଜେନ୍ଦ୍ର ପଣ୍ଡା, ଆଶ୍ରିତ ପଟ୍ଟନାୟକ, ସୋନାଲି ସାହୁ, ମହେଶ୍ବର ମହାନ୍ତି, କାମାକ୍ଷା ପ୍ରଧାନ, ହୃଷୀକେଶ ଜେନା, ଶୁଭ୍ରାଂଶୁ ମୋହନ ପାଢ଼ୀ, ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ବଜିତ୍ ସ୍ବାଇଁ, କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/m1-1.jpg)