ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ବିଜେପି ପକ୍ଷରୁ ସମଗ୍ର ଦେଶରେ ଅଖିଳ ଭାରତୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଯୋଜନା -୨୦୨୦ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗର ତତ୍ତ୍ବାବଧାନରେ ରାଜ୍ୟର ସମସ୍ତ ସାଂଗଠନିକ ମଣ୍ଡଳରେ ଆସନ୍ତା ନଭେମ୍ବର ୨୦ ରୁ ଡିସେମ୍ବର ୫ ମଧ୍ୟରେ ପ୍ରଶିକ୍ଷଣ ଶିବିର ଅ‌ାୟୋଜନ କରାଯାଇ ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ମଣ୍ଡଳଗୁଡ଼ିକରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକମାନେ ପ୍ରଶିକ୍ଷଣର କାର୍ଯ୍ୟ ନିର୍ବାହ କରିବେ। ଆଜି ଜିଲ୍ଲାସ୍ତରୀୟ ବିଷୟ ପ୍ରମୁଖଙ୍କ ୩ ଦିନିଆ ପ୍ରଶିକ୍ଷଣ ବର୍ଗର ଉଦ୍‌ଘାଟନ ପର୍ବ ପ୍ରଦେଶ ପ୍ରଶିକ୍ଷଣ ପ୍ରମୁଖ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ଟି ବିଷୟରେ ପ୍ରଶିକ୍ଷଣ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

କୋଭିଡ୍‌ କଟକଣା ଯୋଗୁ ୱେବିନାର୍‌ ମାଧ୍ୟମରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ପର୍ବରେ ଦିଲ୍ଲୀଠାରେ କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରମୁଖ ସାଂସଦ ମହେଶ ଚନ୍ଦ୍ର ଶର୍ମା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଉପସ୍ଥିତ ଥିଲେ। ଭର୍ଚୁଆଲ୍‌ ମାଧ୍ୟମରେ ବରିଷ୍ଠ ନେତା, ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ, ବିଷୟ ପ୍ରମୁଖ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ। ଦିଲ୍ଲୀପ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର