ବ୍ରହ୍ମପୁର : ସୁରତ ପରେ ଏବେ ମୁମ୍ବାଇରେ ଅବସ୍ଥାନ କରୁଥିବା ପ୍ରବାସୀଙ୍କ ଉପରେ ବିଜେପି ନଜର ପକାଇଛି। ୨୦୨୪ ମସିହା ନିର୍ବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇସ୍ଥିତ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ବସିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ବୈଠକରେ ପୁରୀ, ଆସିକା, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଶତାଧିକ ଲୋକ ଯୋଗ ଦେଇଥିଲେ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ସେମାନଙ୍କର କ’ଣ ଭୂମିକା ରହିବ, ସେ ନେଇ ଶ୍ରୀ ପାଢ଼ୀ ସେମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିସହିତ, ପ୍ରବାସୀ ଓଡ଼ିଆଙ୍କ ସୁବିଧା ଅସୁବିଧା ବୁଝି ତା’ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ବେକାରୀ ସମସ୍ୟାର ସମାଧାନ କରି ଦାଦନ ପ୍ରଥାକୁ ହଟାଇବା ସହିତ ଯୁବକଯୁବତୀ କିଭଳି ନିଯୁକ୍ତି ପାଇବେ, ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୋଦୀ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କିପରି ତୃଣମୂଳସ୍ତରକୁ ପହଞ୍ଚି ପାରିବ ତାକୁ ଧ୍ୟାନ ଦେବାକୁ ଶ୍ରୀ ପାଢ଼ୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ଗୁଜରାଟ ଓ ବେଙ୍ଗାଲୁରୁରେ ମଧ୍ୟ ଏଭଳି ବୈଠକ ଆୟୋଜନ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଜେପି ସୁରତରୁ ତାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ସୁରତ ସାଂସଦ ତଥା ବୟନଶିଳ୍ପ ଓ ରେଳ ରାଷ୍ଟ୍ରମନ୍ତ୍ରୀ ଦଶର୍ନା ଜର୍ଦୋସଙ୍କୁ ବ୍ରହ୍ମପୁର ଓ ଆସିକା ଲୋକସଭାର ପ୍ରଭାରୀ ଦାୟିତ୍ବ ଦିଆଯାଇଛି।