ଝାରସୁଗୁଡ଼ା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ହତ୍ୟାକାଣ୍ଡ ସଂପର୍କରେ ଆଜିଯାଏ ରାଜ୍ୟବାସୀ ଅବଗତ ହୋଇପାରିଲେ ନାହିଁ କି କାରଣ ସ୍ପଷ୍ଟ ହୋଇପାରିଲାନି ବୋଲି ବିଜେପି ଅଭିଯୋଗ କରିଛି। ତେବେ ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚ ଗୋପାଳକୁ ପାଗଳ ସଜେଇବାରେ କେବଳ ବ୍ୟଗ୍ର ହୋଇ ଉଠିଥିବା ବେଳେ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଓଡ଼ିଶାବାସୀଙ୍କ ଆଉ ଭରସା ନାହିଁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ନବ ଦାସ ହତ୍ୟା ମାମଲାର ତଦନ୍ତ ସିବିଆଇକୁ କାହିଁକି ଦିଆଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଗୋପାଳ ଦାସ ଜେଲ୍‌ରେ ଥିବା ସତ୍ତ୍ବେ କ୍ରାଇମବ୍ରାଞ୍ଚ ଆଇନ କାନୁନ ଓ ନୀତି ନିୟମକୁ ଜଳାଞ୍ଜଳି ଦେଇ ଗୋପାଳର ମାନସିକ ପରୀକ୍ଷା ପାଇଁ କୋର୍ଟଙ୍କ ବିନାନୁମତିରେ ବାଙ୍ଗାଲୁରୁ ସ୍ଥିତ ନିମ୍‌ହାନ୍ସକୁ ଚିଠି ଲେଖିଥିବା ବିଜେପି ଅଭିଯୋଗ କରିଛି। ଗତ ମାର୍ଚ୍ଚ ମାସ ସଂସ୍କରଣ ଇଣ୍ଡିଆ ଟୁଡେ ପତ୍ରିକାରେ ପ୍ରକାଶ ପାଇଥିବା ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି ଶୀର୍ଷକ ଲେଖାକୁ ପୁନଶ୍ଚ ଦୋହରାଇ ବିଜେଡି ପ୍ରାର୍ଥୀ ତଥା ଦୀପାଳି ଦାସଙ୍କୁ ବି ଟାର୍ଗେଟ୍‌ କରିଛି ବିଜେପି। ଆନ୍ଧ୍ରପ୍ରଦେଶର ସୁନିତା ରେଡ୍ଡିଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଦୀପାଳି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଯାଆନ୍ତୁ ନଚେତ୍‌ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରନ୍ତୁ ବୋଲି ବିଜେପି କହିଛି। ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।