ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ: ୨୦୨୪ ନିର୍ବାଚନ ପାଇଁ ମାନସମନ୍ଥନ

ବିଜେଡିକୁ ପୁରୀ ବେଳାଭୂମିରେ ପୋତି ଦିଆଯିବ: ଜୁଏଲ୍‌

ପୁରୀ: ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆଜିଠାରୁ ପୁରୀଠାରେ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ବିଜେଡିକୁ ଟାର୍ଗେଟ୍‌ କରିଥିବା ବେଳେ ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ ୧୯୯୭-୯୮ରେ ବିଜେଡି ବୁଡ଼ି ଯାଉଥିବାବେଳେ ଆମେ ହାତ ମିଶାଇ ତାକୁ ସରକାରକୁ ଆଣିଥିଲୁ। କିନ୍ତୁ ବିଜେଡି ଆମକୁ ଧୋକା ଦେଲା। ଏବେ ତାର ବଦ୍‌ଲା ନେବାର ସମୟ ଆସିଛି। ୨୦୨୪ ନିର୍ବାଚନରେ ଏହାର ଦୃଢ଼ ଜବାବ ଦେବୁ। ଏବେ କେନ୍ଦ୍ରରେ ବିଜେପି ସରକାର ଦୃଢ଼ତାର ସହ କାମ କରୁଛି। ଓଡ଼ିଶାରେ ବି ବିଜେପି ତାର ଶକ୍ତି ଦେଖାଇବ। ବିଜେଡିକୁ ପୁରୀ ବେଳାଭୂମିରେ ପୋତି ଦିଆଯିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି। ସେହିପରି କଂଗ୍ରେସ ଦଳକୁ ଟାର୍ଗେଟ୍‌ କରି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି କଂଗ୍ରେସ ଏବେ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ କରିଛି। ବିଭିନ୍ନ ରାଜ୍ୟରେ ପଦଯାତ୍ରା ସହ ‌ସଚେତନତା କାର୍ଯ୍ୟକ୍ରମ କରୁଛି। ହେଲେ, ଆଜି କଂଗ୍ରେସରେ ବିଭାଜନ ପରିସ୍ଥିତି ଉପୁଜିଛି। କଂଗ୍ରେସର ବଡ଼ ବଡ଼ ନେତା ଦଳ ଛାଡ଼ୁଛନ୍ତି। କଂଗ୍ରେସ ଆଗ ନିଜ ଦଳକୁ ଯୋଡ଼ିବାକୁ ଚେଷ୍ଟା କରୁ। ପରେ ଭାରତ ଯୋଡ଼ିବା କାର୍ଯ୍ୟକ୍ରମ କରିବ। ବିଜେପି ବି କେବେ ବି ଭାରତକୁ ବିଭାଜନ କରିବାକୁ ଚେଷ୍ଟା କରିନି, ଓଲଟା ଯୋଡ଼ିବାକୁ ଚେଷ୍ଟା କରିଛି। ଧାରା-୩୭୦ ଏହାର ଜ୍ବଳନ୍ତ ଉଦାହରଣ। ଆମେ ଧାରା-୩୭୦ ହଟାଇ ଭାରତ ସହ କାଶ୍ମୀରକୁ ଯୋଡ଼ିଛୁ। କିନ୍ତୁ ଏହି ଧାରା-୩୭୦ ଲାଗୁ କରି କଂଗ୍ରେସ ଭାରତକୁ ବିଭାଜନ କରିବାକୁ ଚେଷ୍ଟା କରିଥିଲା ବୋଲି ଶ୍ରୀମତୀ ପୁରନ୍ଦେଶ୍ବରୀ କହିଛନ୍ତି।

ବିଜେଡିକୁ ପୁରୀ ବେଳାଭୂମିରେ ପୋତି ଦିଆଯିବ: ଜୁଏଲ୍‌
କଂଗ୍ରେସ ଆଗ ନିଜ ଦଳକୁ ଯୋଡ଼ୁ: ପୁରନ୍ଦେଶ୍ବରୀ
ଓଡ଼ିଶାରେ ବିଜୟ ପାଇଁ ୧୫ଟି ଅଧିବେଶନରେ ଦିଆଯିବ ମନ୍ତ୍ର

ପ୍ରଶିକ୍ଷଣର ପ୍ରଥମ ଦିନରେ ୨୦୨୪ ସାଧାରଣ ନିର୍ବାଚନ ଉପରେ ଚର୍ଚ୍ଚା ହୋଇଛି। କେଉଁ ଆଧାରରେ ଦଳ ଆଗାମୀ ନିର୍ବାଚନରେ ସଫଳତା ପାଇବ, ତାକୁ ନେଇ ମାନସମନ୍ଥନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଳୀୟ ନେତା ଓ କର୍ମୀଙ୍କୁ ଦଳର ବରିଷ୍ଠ ନେତାମାନେ ବିଜେଡି ସରକାର ବିରୋଧୀ ମନ୍ତ୍ର ଫୁଙ୍କିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଗାଁ’ ଗାଁରେ ପହଞ୍ଚାଇବା ସହ ବିଜେଡି ସରକାର ବିରୋଧୀ ନାରା ଗାଁ’ଠୁ ସହର ପର୍ଯ୍ୟନ୍ତ ସବୁଠି ଯେପରି ଗୁଞ୍ଜରିତ ହେବ, ତାହା ଉପରେ ବରିଷ୍ଠ ନେତାମାନେ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ବିଜୟ ପାଇଁ ୧୫ ଟି ଅଧିବେଶନରେ କର୍ମକର୍ତ୍ତାଙ୍କୁ ବରିଷ୍ଠ ନେତାମାନେ ମନ୍ତ୍ର ଦେବେ।

ବଳିଆପଣ୍ଡାସ୍ଥିତ ହୋଟେଲ ବ୍ଲୁ ଲିଲିଠାରେ ଆୟୋଜିତ ଏହି ଶିବିରକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉଦ୍‌ଘାଟନ କରିଥିଲେ। ପ୍ରଶିକ୍ଷଣର ପ୍ରଥମ ଦିବସରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂହ ତୋମାର, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି, ପ୍ରଶିକ୍ଷଣ ଶିବିର ରାଜ୍ୟ ସଂଯୋଜିକା ସୁରମା ପାଢ଼ୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସଂପର୍କରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ରଣନୀତି ସଂପର୍କରେ ତିନିଦିନ ଧରି ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ଯୋଜନା ଗରିବଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ଏବଂ ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର କି’ ଭୂମିକା ରହିବ, ସେ ନେଇ ଆଲୋଚନ ହେବ। ଏଥିସହିତ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆଗାମୀ ୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବ ବୋଲି ଦଳର ଦୃଢ଼ ବିଶ୍ବାସ ଥିବା ଶ୍ରୀ ମହାପାତ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପଠାଉଥିବା ସରକାରୀ ଯୋଜନାର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ, ତାହା ହିଁ ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର