ଧରାପଡ଼ିଛି ବିଜେପିର ଚାଲ୍‌: ବିଜେଡି

ଫସଲ ବୀମା ଯୋଜନା ପ୍ରସଙ୍ଗ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ଯେତେ ପାଖେଇ ଆସୁଛି, ବୀମା ରାଜନୀତି ସେତେ ତୀବ୍ର ହେବାରେ ଲାଗିଛି। ଚାଷୀମାନଙ୍କୁ ବୀମା ରାଶି ମିଳିବାର ବିଳମ୍ବ ହେଉଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଉପନିର୍ବାଚନକୁ ଦୃଷ୍ଟି‌ରେ ରଖି ଅସଲ ତଥ୍ୟ ଲୁଚାଇବାକୁ ଯାଇ ମିଛ ପରେ ମିଛ କହି ଚାଲିଛି କେନ୍ଦ୍ର ସରକାର। ରାଜ୍ୟ ବିଜେପି ନେତାମାନଙ୍କ ଚାପରେ କେନ୍ଦ୍ର ଚିଠି ଓ ଟୁଇଟରେ ମାତିଛି ବୋଲି ଅଭିଯୋଗ କରିଛି ବିଜେଡି।

ଗୁରୁବାର ଦିନ ଏଠ‌ାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଏଚ୍‌ଡିଏଫ୍‌ସି ବୀମା କଂପାନୀକୁ ନେଇ ବିଜେପି ନେତାମାନେ ରାଜ୍ୟ ସରକାର ଉପରେ ଯେଉଁ ଦୋଷାରୋପ କରିଛନ୍ତି ସେଥିରେ କୌଣସି ସତ୍ୟତା ନଥିବା କେନ୍ଦ୍ର ମନ୍ତ୍ରୀଙ୍କ ଚିଠିରୁ ସ୍ପଷ୍ଟ ହେଉଛି। ଏହି କଂପାନୀକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଏହି ବୀମା କମ୍ପାନିକୁ ବ୍ୟବହାର କରୁଛନ୍ତି। ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ପ୍ରକୃତରେ ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏକ ସୁଚିନ୍ତିତ କୌଶଳ। କେନ୍ଦ୍ର ପଦ୍ମପୁର ଓ ଓଡ଼ିଶାର ଚାଷୀଙ୍କ ଠାରୁ ଏହାକୁ ଲୁଚାଇବାକୁ ଚାହୁଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିଟି ତ୍ରୁଟିପୂର୍ଣ୍ଣ ଓ ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଗତ ଅଗଷ୍ଟ ୨୯ରେ ଚିଠି ଲେଖି ପ୍ରଶ୍ନ କରିଥିଲେ ଯେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି କାହିଁକି ଲୁଚା ଯାଉଛି? ମୁଖ୍ୟମନ୍ତ୍ରୀ ଫସଲ ବୀମା ପାଇଁ କେନ୍ଦ୍ର ଉପରେ ନିୟମିତ ଚାପ ପକାଉଥିଲେ। ସେହିଭଳି ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଗତ ୯ ତାରିଖରେ ସାକ୍ଷାତ କରି ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ବିଷୟରେ କହିଥିଲେ। ଏହାକୁ ଲୁଚା ଯାଇଛି କାହିଁକି? କୃଷି ମନ୍ତ୍ରୀଙ୍କ ଚିଠି ଅନୁଯାୟୀ ଯଦି ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଦ୍ୱାରା ନଭେମ୍ବର ୭ ତାରିଖରେ ଫସଲ ବୀମା ଅର୍ଥ ଅନୁମୋଦନ କରାଯାଇଛି, ତେବେ କେନ୍ଦ୍ରମନ୍ତ୍ରୀ ଗତ ୧୫ ତାରିଖରେ ଟ୍ବିଟ୍ କରି କାହିଁକି ଦାବି କରିଛନ୍ତି ଯେ ବର୍ତ୍ତମାନ ପଦ୍ମପୁର ଓ ବରଗଡ଼ର ଚାଷୀଙ୍କୁ ଦେୟ ଦେବାକୁ ବୀମା କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେ କହିଛନ୍ତି ଯେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଫସଲ ବୀମା ଉପରେ କେନ୍ଦ୍ରର ମିଥ୍ୟାକୁ ପଦ୍ମପୁର ଓ ଓଡ଼ିଶାର କୃଷକମାନେ ଧରିଛନ୍ତି। ବର୍ତ୍ତମାନ ପଦ୍ମପୁର ଓ ଓଡ଼ିଶାର କୃଷକମାନେ ଜାଣନ୍ତି ଯେ ପିଏମ୍‍ଏଫ୍‍ବିୱାଇ ନାମଟି କେନ୍ଦ୍ରର ଏବଂ ଯେକୌଣସି ଦାବି ଉପରେ କେବଳ କେନ୍ଦ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ। ତା ସହିତ ଫସଲ ବୀମା ଅର୍ଥ ଦେବାପାଇଁ ସେମାନେ କେବଳ ବୀମା କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ। ଚୂଡ଼ାନ୍ତ ନିଷ୍ପତ୍ତି କ୍ଷେତ୍ରରେ ରାଜ୍ୟର କୌଣସି ଭୂମିକା ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଯୋଗାଯୋଗ ଓ ଚାଷୀଙ୍କ ଚାପ ଯୋଗୁଁ କେନ୍ଦ୍ର ଫସଲ ବୀମା ଅର୍ଥ ମଞ୍ଜୁର କରିବାକୁ ବାଧ୍ୟ ହୋଇଛି। ଯଦି ଏହା ଏବେ କରିପାରିଲେ, ତେବେ ମାସେ ପୂର୍ବରୁ କାହିଁକି କଲେନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ବିଜେପିର ଏହି ଦୋମୁହାଁ କଥାକୁ ନେଇ ଓଡ଼ିଶାର କୃଷକମାନେ କ୍ଷୁବ୍ଧ ଅଛନ୍ତି ଓ ପଦ୍ମପୁର ଉପନିର୍ବାଚନରେ ଏହାର ଉପଯୁକ୍ତ ଜବାବ ଦେବାକୁ ଯାଉଥିବା ଶ୍ରୀ ପାତ୍ର ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର