ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ପୁରୀ ସମୁଦ୍ର କୂଳରେ ଜୁଲାଇ ୧୯ ଓ ୨୦ରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ସାମ୍ପ୍ରତିକ, ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ, ୧୦୦ଦିନର କାର୍ଯ୍ୟଖସଡ଼ା, ରାଜ୍ୟ ସରକାର ଆରମ୍ଭ କରିବାକୁ ଥିବା ନୂଆ ଯୋଜନା କିପରି ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ବିରୋଧୀ ଦଳର ବିଭିନ୍ନ ପ୍ରସଙ୍ଗକୁ କିପରି ମୁକାବିଲା କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

Advertisment

ପୁରୀ ସମୁଦ୍ର କୂଳରେ ବୈଠକ ବସିବ, ଯୋଗଦେବେ ଜେ.ପି ନଡ୍ଡା
ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପଦାଧିକାରୀ ବି ଯୋଗଦେବେ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ୧୯ତାରିଖରେ ପ୍ରଥମେ ରାଜ୍ୟ ପଦାଧିକାରୀ ବୈଠକ ବସିବ। ଏହାପରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଉଦ୍‌ଘାଟନ କରିବେ। ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ, ଲୋକସଭା ସଂଯୋଜକ ଓ ପ୍ରଭାରୀ, ବିଧାନସଭା ସଂଯୋଜକ ଓ ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ ଯୋଗ ଦେବେ ବୋଲି ବିଜେପିର ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।
ଏହାବାଦ୍ ବିଜେପି କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଥିବାରୁ ଏଥିରେ କିପରି ପୂର୍ବର ବିଜେଡି ସରକାର ବାଧକ ସାଜିଥିଲା, ବିଜେପି କଥା ଦେଇ କଥା ରଖିଲା ସେନେଇ ବ୍ୟାପକ ପ୍ରଚାର କରାଯିବ।

ସେହିପରି ରାଜ୍ୟର ବିଭିନ୍ନ ନିଗମର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଭିନ୍ନ ସଂସ୍ଥାର ପରାମର୍ଶଦାତା ନିଯୁକ୍ତି ପାଇଁ ଦଳର ସାଂଗଠନିକ ନେତାମାନେ ଏହି ଅବସରରେ ଆଲୋଚନା କରି ତାଲିକା ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାରକୁ ଏକମାସ ପୂରିବା ପରେ ଏହି ବୈଠକ ବସୁଥିବାରୁ ଏହାକୁ ନେଇ ବିଜେପି ନେତା ଓ ପଦାଧିକାରୀମାନେ ବେଶ୍ ଉତ୍ସାହିତ ଅଛନ୍ତି।