ଯାଜପୁର ଜିଲ୍ଲାରେ ଭୋଟ ପୂର୍ବରୁ ବିଜେପିକୁ ଶକ୍ତ ଧକ୍‌କା: ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ

ଯାଜପୁର/ଟାଉନ/ସଦର : ଭୋଟ୍‌ ପୂର୍ବରୁ ଯାଜପୁର ଜିଲ୍ଲାରେ ବିଜେପିକୁ ଶକ୍ତ ଝଟ୍‌କା! ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୯ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେପି ପ୍ରାର୍ଥୀ ଭାସ୍କର ‌ଚନ୍ଦ୍ର ଯେନା ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଯାହାକୁ ନେଇ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

ଶ୍ରୀ ଯେନା ଆଜି ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଡକ୍ଟର ଶରତ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଛନ୍ତି ବୋଲି କହିଛନ୍ତି। ବିଜେପିର ବହୁପୁରୁଖା ଓ ଜାତୀୟ ପରିଷଦ ସଦସ୍ୟ ଥିବା ଶ୍ରୀ ଯେନା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ। ପୂର୍ବରୁ ଥରେ ସେ ଏସୟୁସିଆରୁ ସାଂସଦ ପାଇଁ ପ୍ରତିଦ୍ବିନ୍ଦ୍ବିତା କରିଥିଲେ। ଜଣେ ପୁରୁଖା ଦଳୀୟ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ଘଟଣା ବିଜେପି ନେତାଙ୍କୁ ହତବାକ କରି ଦେଇଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଶ୍ରୀ ଯେନାଙ୍କୁ ଦଳରୁ ଆଜି ବହିଷ୍କାର କରାଯାଇଛି ବୋଲି ବିଜେପି ଜିଲ୍ଲା ସଭାପତି ଗୌତମ ରାୟ କହିଛନ୍ତି। ଶ୍ରୀ ରାୟ କହିଛନ୍ତି, ଜନମତକୁ ଭୟ କରି ପ୍ରାର୍ଥୀଙ୍କୁ ପ୍ରଭାବିତ କରି ଏଭଳି ହୀନ ଉଦ୍ୟମ କରିଛନ୍ତି। ଯାହାର ଜବାବ ଜନସାଧାରଣ ଦେବ‌େ। ଅପରପକ୍ଷେ, ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମହାପାତ୍ର କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଜନ ସମର୍ଥନ ଓ ବବି ବାବୁଙ୍କ ସାଂଗଠନିକ ଦକ୍ଷତା ଦ୍ବାରା ପ୍ରଭାବିତ ହୋଇ ଶ୍ରୀ ଯେନା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପି ଜିଲ୍ଲା ସଭାପତି ଶ୍ରୀ ରାୟ ଏବଂ ବିଜେଡ଼ି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ରାଜନୈତିକ ସମୀକ୍ଷକଙ୍କ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଶ୍ରୀ ଯେନା ନିର୍ବାଚନରୁ ଓହରି ଯିବାପରେ ଏହି ଜୋନ୍‌ରେ ବିଜେଡି ଓ କଂଗ୍ରେସର ଦୁଇ ପ୍ରାର୍ଥୀ ରହିଛନ୍ତି।

ସେହିପରି ୧୨ ନମ୍ବର ଜୋନର ସ୍ବାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ଜେନାମଣି ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର