ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।
ଭାରତର ନିର୍ବାଚନ କମିସନ୍ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ଫେବ୍ରୁଆରି ୨୪ରେ ବିଜେପୁରରେ ଉପନିର୍ବାଚନ ହେବ। ୨୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ନିର୍ବାଚନ ପାଇଁ ୩୦ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଜାରି ହେବ।
ସେହିଦିନଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ରହିଛି ଫେବ୍ରୁଆରି ୬। ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍ ହେବ। ଆଗ୍ରହୀ ପ୍ରାର୍ଥୀ ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ୨୪ ତାରିଖରେ ନିର୍ବାଚନ ହୋଇ ୨୮ରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ମାର୍ଚ୍ଚ ୩ ତାରିଖ ପୂର୍ବରୁ ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ବିଜେପୁର ଉପନିର୍ବାଚନରେ ସମସ୍ତ ବୁଥ୍ରେ ଇଭିଏସ୍ ଓ ଭିଭିପିଏଟି ବ୍ୟବହାର ହେବ।
ଅଗଷ୍ଟ ୨୨ ତାରିଖରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁର ଆସନ ଖାଲି ପଡ଼ିଥିଲା। ଏହା ମଧ୍ୟରେ ୫ ମାସ ବିତିଯାଇଥିଲେ ବି ଉପନିର୍ବାଚନ ତାରିଖ ଘୋଷଣା ହେଉ ନ ଥିବାରୁ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର୍ ଧରିଥିଲା। ଅନ୍ୟ ରାଜନୈତିକ ଦଳ ବିଳମ୍ବ ପାଇଁ ବିଜେପିକୁ ଦାୟୀ କରିଥିଲେ। ପୁଣି ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ମାମଲା ବି ରୁଜୁ ହେଲା। ଉପନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ କାହିଁକି ହେଉଛି, ସେ ସମ୍ପର୍କରେ ୭ ଦିନ ଭିତରେ ଉତ୍ତର ରଖିବାକୁ କୋର୍ଟ ନିର୍ବାଚନ କମିସନ୍ଙ୍କୁ ଗତକାଲି ନିର୍ଦ୍ଦେଶ ଜାରି କରିଥିଲେ। କୋର୍ଟ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ଭତରେ ନିର୍ବାଚନ କମିସନ୍ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଫେବ୍ରୁଆରି ୨୪ରେ ବିଜେପୁର ଉପନିର୍ବାଚନ
/sambad/media/post_attachments/wp-content/uploads/2018/01/election-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)