ବିଜେପୁର ଏନ୍‌ଏସି ପାଇଁ ଆଗୁଆ ୨.୩୭ କୋଟି ମଞ୍ଜୁର

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ତାରିଖ ଯେ କୌଣସି ମୁହୂର୍ତରେ ଘୋଷଣା ହେବାକୁ ଯାଉଥିବାରୁ ବିଜେପୁର ଏନ୍‌ଏସି ପାଇଁ ସରକାର ଆଗୁଆ ପ୍ରାୟ ୨.୩୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅର୍ଥ ମଞ୍ଜୁର କରିବା କ୍ଷଣି ଖର୍ଚ ପାଇଁ ଜଣେ କାମଚଳା ନିର୍ବାହୀ ଅଧିକାରୀଙ୍କୁ ବି ନିଯୁକ୍ତି ଦିଆଯାଇଛି। ଗତ ୨୧ ତାରିଖରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜେପୁର ଏନ୍‌ଏସିର ଭିତ୍ତିଭୂମି ବିକାଶ ପାଇଁ ଉନ୍ନତି ଯୋଜନାରେ ଏହି ଟଙ୍କା ମଞ୍ଜୁର କରାଯାଇଛି। ଏହି ବିଭାଗର ଜଣେ ଅନୁ ସଚିବଙ୍କୁ ଅର୍ଥ କାରବାର ନିମନ୍ତେ ଡିଡିଓ ଭାବେ ନିଯୁକ୍ତ କରାଯାଇଛି। ମଞ୍ଜୁରି ଅର୍ଥ ଗୋଟିଏ ଥର ପାଇଁ ସ୍ୱତନ୍ତ୍ର ଅନୁଦାନ ଭାବେ ନୂଆ ବିଜେପୁର ଏନ୍‌ଏସି ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଯାଇଛି। ସମାନ ତାରିଖ(୨୧)ରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟଙ୍କୁ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅର୍ଥାତ୍‌ ନିର୍ବାହୀ ଅଧିକାରୀଙ୍କ ଖର୍ଚ ପାଇଁ ପାଣ୍ଠି ବ୍ୟବସ୍ଥା ସରିଛି।

ଇତିମଧ୍ୟରେ ବିଜେପୁର ଏନ୍‌ଏସି ସୀମା ନିର୍ଧାରଣ ପ୍ରକ୍ରିୟା ସରିଥିବା କହିଛନ୍ତି ବର୍ତମାନର ବରଗଡ଼ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତ। ସେ ବିଜେପୁର ଏନ୍‌ଏସି ଦାୟିତ୍ୱରେ ଥିଲେ। ତଙ୍କ କହିବାନୁସାରେ ଗତ ନଭେମ୍ବର ୧୯ ତାରିଖରେ ଏହି ଏନ୍‌ଏସିର ସୀମା ନିର୍ଧାରଣ ନେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଲୋଡ଼ାଯାଇଥିଲା। ମାସକ ଭିତରେ ଏ ନେଇ କେହି ଅଭିଯୋଗ କରିନାହାନ୍ତି। ଫଳରେ ବିନା ବାଧାରେ ଗତ ୧୯ ତାରିଖରେ ବିଜେପୁର ଏନ୍‌ଏସିର ଉଦ୍‌ଘାଟନ ଅନୁଷ୍ଠିତ ହୋଇଥିଲା। ତେବେ କୌଣସି କର୍ମଚାରୀ ନିଯୁକ୍ତ କରାନଯାଇ, କାର୍ଯ୍ୟାଳୟ ନ ଥାଇ ଏନ୍‌ଏସିର ଭିତ୍ତିଭୂମି ବିକାଶ ପାଇଁ ତରବରିଆ ଭାବେ ୨.୩୭ କୋଟିର ଅନୁଦାନ ମଞ୍ଜୁରି କରାଯାଇଛି। ଏହା ପଛରେ ଥିବା ଉଦ୍ଦେଶ୍ୟ ବିରୋଧୀଙ୍କୁ ସମାଲୋଚନା କରିବାର ଖୋରାକ ଯୋଗାଇବ ବୋଲି ଜଳ ଜଳ ଦେଖାଯାଉଛି।

ସମ୍ବନ୍ଧିତ ଖବର