ବ୍ଲାକ୍‌ବକ୍ସ ଖୋଲିବ ହେଲିକପ୍ଟର ଉଡ଼ାଣର ରହସ୍ୟ

ଭୁବନେଶ୍ୱର: ଚିଲିକା ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚକ୍କର କାଟିଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ସବୁଠି ଏନେଇ ମାହୋଲ୍‌ ସରଗରମ ରହିଛି। ବ୍ଲାକ୍‌ବକ୍ସ ରିପୋର୍ଟ ଅନୁଧ୍ୟାନ କରାଯାଇନଥିବାରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରୁନି। ଏପଟେ ସୋମବାର ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ଏବଂ ଇମ୍ଫାର ହ୍ୟାଙ୍ଗର ସିଜ୍‌ କରିଥିବା ପୁରୀ ପୁଲିସ ଆଜି ଶ୍ରୀ ପଣ୍ଡାଙ୍କ ହେଲିକପ୍ଟରର ବ୍ଲାକବକ୍ସ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଡିଜିସିଏକୁ ଚିଠି ଲେଖିଛି।

ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ହେଲିକପ୍ଟର ସାଧାରଣତଃ ୫୦୦ ମିଟର ଉପରେ ଉଡ଼ିବାକୁ ନିୟମ ରହିଛି। ଶ୍ରୀ ପଣ୍ଡା ସେପ୍ଟେମ୍ବର ୧୫ରେ ହେଲିକପ୍ଟର ଉଡ଼ାଣ ପାଇଁ ଆବଶ୍ୟକ ଉଡ଼ାଣ ପ୍ଲାନ୍‌ ଦେଇ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇଥିଲେ। କିନ୍ତୁ ଏହାପରେ ସେ କେଉଁଠି କେତେ ଉଚ୍ଚତାରେ ଉଡ଼ିଛନ୍ତି, କେଉଁଠି ଅବତରଣ କରିଛନ୍ତି ସେ ରିପୋର୍ଟ ଆମ ପାଖରେ ନାହିଁ। ବିମାନବନ୍ଦରର ୨୦ରୁ ୨୫କିମି ପର୍ଯ୍ୟନ୍ତ ଆମ ଏଟିସି ଟାଓ୍ଵାର ନଜରରେ ବିମାନ/ହେଲିକପ୍ଟର ରହିପାରିବ। ତେଣୁ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର କୁଆଡ଼େ ଯାଇଛି, କ’ଣ କରିଛି ଆମେ କହିପାରିବୁନି। ହେଲିକପ୍ଟରର ବ୍ଲାକ୍‌ ବକ୍ସରେ ଏସବୁ ରେକର୍ଡ ରହିଥାଏ। କିନ୍ତୁ ହେଲିକପ୍ଟରଟି ଉଡ଼ିଲେ ବ୍ଲାକବକ୍ସରୁ ପୂର୍ବ ରେକର୍ଡ ଡିଲିଟ୍‌ ହୋଇଯାଏ। ଏହାକୁ ନଜରରେ ରଖି ପୁଲିସ ହେଲିକପ୍ଟର ସିଜ୍‌ କରିଛି। ଆଉ ବ୍ଲାକ୍‌ବକ୍ସ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଡିଜିସିଏକୁ ଅନୁରୋଧ କରିଛି। ଡିଜିସିଏ ଅନୁମତି ଦେଲେ ଏହାର ଅନୁଧ୍ୟାନ ହେବ। କିନ୍ତୁ ଏହାର ଅନୁଧ୍ୟାନ କେଉଁ ଜାତୀୟ/ଅନ୍ତର୍ଜାତୀୟ ସ୍ତରର ସଂସ୍ଥା କି ହେଲିକପ୍ଟର ନିର୍ମାଣକାରୀ ସଂସ୍ଥା କରିବ ତାହା ଡିଜିସିଏ ଟିମ୍‌ ହେଲିକପ୍ଟରର ସବିଶେଷ ତଥ୍ୟ ନେବା ପରେ ସ୍ଥିର କରିବେ। ସେତେଦିନ ପର୍ଯ୍ୟନ୍ତ ହେଲିକପ୍ଟରକୁ ସିଜ୍‌ କରାଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଚିଲିକା ଉପରେ ଉଡ଼ିବା ନେଇ ଯେଉଁ ଅଭିଯୋଗ ଉଠିଛି ସେନେଇ ବିଜେଡି ପକ୍ଷରୁ କୁହାଯାଇଛି ଯେ, ଭିଭିଆଇପିମାନଙ୍କ ଯାତାୟତ କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ବିମାନ/ହେଲିକପ୍ଟର ଉଡ଼ାଣ ପ୍ଲାନ୍‌ ଡିଜିସିଏ ଦ୍ୱାରା ଅନୁମୋଦିତ ହୋଇଥାଏ। ଏହାଦ୍ୱାରା ଯେପରି କେହି ପ୍ରଭାବିତ ନହେବେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ। ମୁଖ୍ୟମନ୍ତ୍ରୀ ଚିଲିକା ଉପରେ ହେଲିକପ୍ଟରରେ ଯିବା ସମୟରେ ଏହିସବୁ ନିୟମକୁ ଅନୁଧ୍ୟାନ କରାଯାଇଥାଏ। କିନ୍ତୁ ବୈଜୟନ୍ତ ପଣ୍ଡା ଏଟିସି ଅନୁମୋଦିତ ପ୍ଲାନ୍‌କୁ ଅବମାନନା କରିଛନ୍ତି। ଯେଉଁଥିପାଇଁ ଏବେ ସମସ୍ୟା ଉପୁଜିଛି। ଜୈବ ବିବିଧତାରେ ଭରପୂର ଚିଲିକାରେ ଅବତରଣ କରିବା ଦ୍ୱାରା ମତ୍ସ୍ୟଜୀବୀ, ପର୍ଯ୍ୟଟକ, ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ଶ୍ରୀ ପଣ୍ଡା ଜଣେ ଅଭ୍ୟାସଗତ ଅପରାଧୀ। ପୂର୍ବରୁ ସେ ସାତକୋଶିଆ ଅଭୟାରଣ୍ୟ ଉପରେ ହେଲିକପ୍ଟର ଉଡ଼ାଇ ବିବାଦୀୟ ହୋଇଥିଲେ।

ସମ୍ବନ୍ଧିତ ଖବର