ରୋଜଗାର ରାହା ଦେଖାଇଛି କଳାଭାଲିଆ ମାଳ: କମୁଛି ପାରିଶ୍ରମିକ, ହେଉନି ଲାଭ

ବ୍ରହ୍ମପୁର: ଗୋଟିଏ ହାତରେ ଲୁହା ଖାଡ଼ି, ଅନ୍ୟ ହାତରେ ଭାଲିଆ କାଟିବା କାତି। ଗୋଟିଏ ପରେ ଗୋଟିଏ କଳାଭାଲିଆକୁ କଣା କରି ଚାଲିଛନ୍ତି। ତା’ ପରେ ଛୁଞ୍ଚି ସାହାଯ୍ୟରେ କଉଡ଼ିକୁ କଣା କରୁଛନ୍ତି। ଲୁହା ତାରରେ କଳା ଭାଲିଆ ଓ କଉଡ଼ିକୁ ଧାଡ଼ିରେ ସଜାଇ ଦେଉଛନ୍ତି। କଳା ଭାଲିଆ ରସରେ ହାତ କଳା ପଡ଼ୁଛି, କିନ୍ତୁ ତାହାକୁ ଖାତିର ନାହିଁ। ଗୋଟିଏ ପରେ ଗୋଟିଏ ମାଳକୁ ଗୁନ୍ଥିବାରେ ଲାଗିଛନ୍ତି ଜଲି ପାତ୍ର। ବ୍ରହ୍ମପୁର ମହାନଗର ୪ନମ୍ବର ୱାର୍ଡ଼ ନେଳିଆବନ୍ଧ ହୁଡ଼ା ସାହିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରତିଦିନ କଳାଭାଲିଆ ଓ କଉଡ଼ି ମାଳ ତିଆରି କରୁଛନ୍ତି। କିନ୍ତୁ ଉପଯୁକ୍ତ ପଉଣା ପାଇପାରୁ ନାହାନ୍ତି। ମିଳୁଥିବା ପାଉଣା ବି କରୋନା ଯୋଗୁଁ କମିଯାଇଛି। ଏଭଳି ସ୍ଥିତିରେ ପରିବାର‌ କେମିତି ଚଳାଇବି ବ‌ୋଲି ଜଲି ଦୁଃଖରେ କହିଛନ୍ତି।

ଦୁଇ ଚକିଆ ଗାଡ଼ି ଠାରୁ ଆରମ୍ଭ କରି ଚାରିଚକିଆ ପର୍ଯ୍ୟନ୍ତ ବସ୍‌ ଓ ଟ୍ରକ୍ ଅଧିକାଂଶ ଗାଡ଼ି ପୂଜା ବେଳେ ଖୋଜା ପଡ଼ିଥାଏ ଭାଲିଆ ଓ କଉଡ଼ି ମାଳ। ଏହାକୁ ତିଆରି କରି ଚଳନ୍ତି ସହରର କେତେକ ପରିବାର। ସେ ଭିତରେ ରହିଛନ୍ତି ଜଲିଙ୍କ ପରିବାର। ଦୁଇ ଝିଅ, ଗୋଟିଏ ପୁଅ ଓ ସ୍ବାମୀଙ୍କ ସହ ବସ୍ତିରେ ରୁହନ୍ତି। ଘର ବୋଲି ସେମିତି କିଛି ନାହିଁ, ଟିଣ ବଖରାଟିରେ ଚଳୁଛନ୍ତି ପରିବାର। ମାଲିକ କଳା ଭାଲିଆ, କଉଡ଼ି ଓ ଲୁହା ତାର ଦେଉଛି। ଏକ କିଲୋ କଳାଭାଲିଆ କଣା କରିବା ପାଇଁ ୧୭ ଟଙ୍କା ଓ କଉଡ଼ି କଣା କରିବା ପାଇଁ ୧୨ ଟଙ୍କା ମିଳୁଛି। ଏଥିସହ ଶହେଟି ମାଳ ଗୁନ୍ଥିବା ପାଇଁ ୧୫ ଟଙ୍କା ମିଳୁଛି। ଏଭଳି ଭାବେ ଶହେଟି ମାଳ ତିଆରି କ‌ଲେ ମୋଟ ୪୪ ଟଙ୍କା ରୋଜଗାର ହେଉଛି। ଦିନକ ଭିତରେ ୨ ଶହ ମାଳ କରିପାରୁଥିବା ବେ‌ଳେ ୮୮ ଟଙ୍କା ମିଳୁଛି। କିନ୍ତୁ କରୋନା କଟକଣା ଯୋଗୁଁ ମାଲିକଙ୍କୁ ଲାଭ ନଥିବାରୁ ପାରିଶ୍ରାମିକ କମାଇ ଦେଇଛନ୍ତି। ପୂର୍ବରୁ ଶହେ ମାଳ କଲେ ୬୦ ଟଙ୍କା ମିଳୁଥିଲା। କିନ୍ତୁ ଏବେ ବିକ୍ରି ହୋଇପାରୁ ନାହିଁ। ବହୁ ବ୍ୟବସାୟୀ ଏବେ କିଣୁନଥିବା ବେଳେ ପୂର୍ବଭଳି ପାଉଣା ମିଳିପାରୁ ନାହିଁ।


ବଡ଼ ଝିଅ ସପ୍ତମ ଶ୍ରେଣୀ, ସାନ ଝିଅ ଚତୁର୍ଥ ଶ୍ରେଣୀ ଓ ପୁଅ ପ୍ରଥମ ଶ୍ରେଣୀରେ ପଢ଼ୁଛି। ପାଠପଢ଼ା ପାଇଁ ଟଙ୍କା ଦରକାର ପଡ଼ଥିବା ବେଳେ ଘର ଖର୍ଚ୍ଚ କରିବୁ କେଉଁଠି। ପିଲାମାନେ ସାନ ହୋଇଥିବାରୁ ବାହାରକୁ ମୂଲକୁ ଯାଇପାରୁ ନାହିଁ। ମାଲିକ ସବୁ ଜିନିଷ ଯୋଗାଇ ଦେଉଥିବାରୁ ମାଳ କରି ତାକୁ ହିଁ ଦେଇଦେଉଛି। ରାସନକାର୍ଡ଼ରେ ଚାଉଳ ମିଳୁଛି ସତ ସେତିକିରେ କଣ ପରିବାର ଚଳୁଛି। ସ୍ବାମୀ ମୂଲ ଲାଗି ଯେଉଁ ଟଙ୍କା ଆଣୁଛନ୍ତି ତାହା ଖାଇବାକୁ ନିଅଣ୍ଟ, ଘର ତିଆରି କେମିତି କରିବୁ। ଆବାସ ଯୋଜନାରେ ଘର ପାଇଁ ଆବେଦନ ହୋଇଥିଲେ ମଧ୍ୟ ପାଇପାରୁ ନାହିଁ। ଭାଗ୍ୟକୁ ଆଦରି ହିଁ ଚଳିଯାଉଛୁ । ପ୍ରଶାସନ ପକ୍ଷରୁ କିଛିଟା ସହାୟତା ପ୍ରଦାନ ପାଇଁ ଜଲି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର