ଆଳି : କେନ୍ଦ୍ରାପଡା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଆଳି ବ୍ଲକର ଧୋୟାଂଚଳକୁ ରୋଡ ସୋରେ ଯିବା ସମୟରେ ମାନପୁର ସେତୁ ନିକଟସ୍ଥ ଭୂଇଁପୁର ଛକରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଶତାଧିକ ଲୋକ ବୈଜୟନ୍ତଙ୍କ ରୋଡ ସୋକୁ ବିରୋଧ କରିବା ସହିତ କଳାପତାକା ଦେଖାଇ ବୈଜୟନ୍ତ ବିରୋଧୀ ନାରାବାଜି କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ବୈଜୟନ୍ତ ବିରୋଧୀ ମାନଙ୍କ ମଧ୍ୟରେ ଠେଲାପେଲା ସହିତ ସେଠାରେ ବଚସା ହୋଇଥିଲା। ରୋଡ୍ ସୋ କେତୁଆପାଳଠାରେ ହୋଇଥିବା ବେଳେ ମାହାରାକୂଳ ଗ୍ରାମର ତ୍ରିଲୋଚନ ପାତ୍ର ଓ ଆଳି ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷାଙ୍କ ସ୍ବାମୀ ଅଲେଖ ପରିଡ଼ା ଜୁଆଣିଆ ଛକକୁ ଯାଇଥିଲେ। ଏହି ସମୟରେ ସେଠାରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ତ୍ରିଲୋଚନଙ୍କ ଇନୋଭା ଗାଡିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଭତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।
ଅନ୍ୟପଟେ ବୈଜୟନ୍ତଙ୍କ ସହ ଯାଉଥିବା ବାଇକ ଶୋଭାଯାତ୍ରା ମାନପୁର ସେତୁ ଟପିବା ଯାଏ କଳାପତାକା ପ୍ରଦର୍ଶନ କରି ବିକ୍ଷୋଭକାରୀ ବୈଜୟନ୍ତ ବିରୋଧୀ ସ୍ଲୋଗାନ ଦେଇଥିଲେ। ବିଜେଡି ଦଳରୁ ଦୁଇ ଥର ସାଂସଦ ନିର୍ବାଚିତ ହୋଇ ବୈଜୟନ୍ତ ପଣ୍ଡା ଆଳିରେ କୌଣସି ଉନ୍ନୟନମୂଳକ କାମ କରିନାହାନ୍ତି ଓ ଦଳ ସହିତ ବିଶ୍ବାସଘାତକତା କରିଥିବାରୁ ଆମେ ତାଙ୍କୁ ବିରୋଧ କରୁଛୁ ବୋଲି ଦେମାଳ ସରପଂଚ ମନୋରଂଜନ ସାମଲ କହିଛନ୍ତି। କଳାପତାକା ପ୍ରଦର୍ଶନ କରାଯାଇଥିଲେ ବି ବୈଜୟନ୍ତଙ୍କ ସହିତ ବିଜେପିର ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, ଚିତ୍ର ତାରକା ବାବୁସାନ୍, ସ୍ଥାନୀୟ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା, ସତ୍ୟନାରାୟଣ ଜେନା ପ୍ରମୁଖ ଏକ ଖୋଲା ଜିପ୍ ରେ ଧୋୟାଂଚଳର ମାନପୁର, ଡିମିରିପାଳ, ସଂସିଧା, ମଂଗରାଗ ପୁର, ଖରଖରି, ଦେସାହି, କେତୁଆପାଳ, ପାନପେଣ୍ଠ, ଗୋବିନ୍ଦପୁର, ଜୁଆଣିଆ, ମାହାରାକୁଳ ପରିକ୍ରମା କରି ଭୋଟ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/AUL-IMG_20190419_163453.jpg)