ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଖାଦ୍ୟ-ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କଳାପତାକା ଦେଖାଇଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ତେବେ, ୧୨ ଜିଲ୍ଲାର ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ କୌଣସି ବାଧା ଉତ୍ପନ୍ନ କରାଯାଇ ନାହିଁ।
ନିର୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ମନ୍ତ୍ରୀ ଶ୍ରୀ ପାତ୍ର କାର୍ ଯୋଗେ ବୁର୍ଲା ସ୍ଥିତ ଏମସିଏଲ ସମ୍ମିଳନୀ କକ୍ଷକୁ ଯାଉଥିବାବେଳେ ମୁଖ୍ୟ ଫାଟକ ସମ୍ମୁଖରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତାମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆମର ଦାବି, ଆମର ହକ୍ ଆମକୁ ଦିଅ’ ସମେତ ବିଭିନ୍ନ ସ୍ଲୋଗାନ ଓକିଲମାନେ ଦେଇଥିଲେ। ତେବେ, କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା ଯଦିଓ ୨ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇ ଥିଲା। ଏଥିପୂର୍ବରୁ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ମଧ୍ୟ କଳା ପତାକା ପ୍ରଦର୍ଶନ କରାଯାଇଥିଲା।