ବିଜ୍ଞପ୍ତି ପ୍ରକାଶ କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ମହାମାରୀର ଅଧିସୂଚିତ ତାଲିକାରେ ବ୍ଲାକ୍‌ ଫଙ୍ଗସ୍‌

ଭୁବନେଶ୍ବର : ମ୍ୟୁକର୍‌ମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍ ରୋଗକୁ ରାଜ୍ୟ ସରକାର ମହାମାରୀର ଅଧିସୂଚିତ ତାଲିକାରେ ସାମିଲ କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ ରୋଗୀଙ୍କୁ ଚିକିତ୍ସା ବେଳେ ପ୍ରୟୋଗ ହେଉଥିବା ଷ୍ଟେରଏଡ୍ ଓ ଅନ୍ୟ ଔଷଧର ବ୍ୟବହାର ଯୋଗୁ କେତେକ ରୋଗୀଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା ହେଉଛି। ସମ୍ପୃକ୍ତ ରୋଗୀମାନେ କୋଭିଡରୁ ସୁସ୍ଥ ହେବାପରେ ସେମାନଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି କମିଯାଉଛି। ଫଳରେ କେତେକ ମ୍ୟୁକର୍‌ମାଇକୋସିସ୍‌ ଭଳି ଗୁରୁତର ରୋଗର ଶିକାର ହେଉଛନ୍ତି। ଏଭଳି ରୋଗୀଙ୍କ ସଂଖ୍ୟା ରାଜ୍ୟରେ ଦେଖାଦେବାରୁ ରାଜ୍ୟ ସରକାର ମହାମାରୀ ଆଇନ ୧୮୯୭ ଅନୁଯାୟୀ ମ୍ୟୁକର୍‌ମାଇକୋସିସ୍‌କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଅଧିସୂଚିତ ରୋଗ ଭାବେ ଘୋଷଣା କରିଛନ୍ତି।

ପ୍ରକାଶଥାଉକି, ରୋଗୀ ଓ ଚିକିତ୍ସା ପାଇଁ ଗତ ୧୪ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୋଟିଏ ୭ ଜଣିଆ ରାଜ୍ୟସ୍ତରୀୟ ଟାସ୍କ୍‌ ଫୋର୍ସ କମିଟି ଗଠନ କରିଥିଲେ। ଏହି କମିଟିରେ କଟକ ଏସ୍‌ସିବି ମେଡିକାଲ କଲେଜ୍‌ର ମାଇକ୍ରୋବାୟୋଲଜି ବିଭାଗର ମୁଖ୍ୟ ତଥା ପ୍ରଫେସର ଡା.ନିରୁପମା ଚଇନି ଅଧ୍ୟକ୍ଷା ରହିଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କମିଟି ଆବାହକ ରହିଛନ୍ତି। ଏହି କମିଟି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମ୍ୟୁକର୍‌ମାଇକୋସିସ୍‌ ରୋଗୀଙ୍କ ସଂପର୍କରେ ଅନୁଧ୍ୟାନ କରି ଗୋଟିଏ ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଯାଇଥିଲା। ଏହି ରୋଗୀମାନଙ୍କୁ ଶୀଘ୍ର ଚିହ୍ନଟ ଓ ଚିକିତ୍ସା ସୁବିଧା କିପରି ଅତିଶୀଘ୍ର ଯୋଗାଇ ଦିଆଯାଇପାରିବ ସେ ନେଇ ସରକାରଙ୍କୁ ସୁପାରିସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର