ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ସନ୍ଦିଗ୍ଧ ମ୍ୟୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ରୋଗୀଙ୍କ ନମୁନା ବାୟୋପ୍ସି ଓ କଲଚର୍ ପାଇଁ ପଠାଯାଇଛି। ସେ ଏବେ ଇଏନ୍ଟି ବିଭାଗରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ଭଲ ଅଛି ବୋଲି ଭିମସାର୍ ନିର୍ଦ୍ଦେଶକ ପ୍ର. ଲଳିତ ମେହେର ସୂଚନା ଦେଇଛନ୍ତି। ତେବେ ସେ ପ୍ରକୃତରେ ମ୍ୟୁକୋରେଲ୍ ଆକ୍ରାନ୍ତ ନା ନାହିଁ ତାହା ରିପୋର୍ଟ ଆସିବା ପରେ ଜଣା ପଡ଼ିବ।
ତେବେ ବର୍ତ୍ତମାନ ପାଇଁ ଏହାର ଔଷଧ ଆମ୍ଫୋଟେରିସିନ୍-ବି ବୁର୍ଲା କିମ୍ବା ସାରା ରାଜ୍ୟରେ କେଉଁଠି ଉପଲବ୍ଧ ନାହିଁ। ଏ ସଂପର୍କରେ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ବାହାରୁ ଔଷଧ ମଗାଇବା ପାଇଁ ପ୍ରୟାସ କରାଯାଉଛି। ଇଏନ୍ଟି ବିଭାଗୀୟ ମୁଖ୍ୟଙ୍କ ତତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ଆଜି ମୁଁ ନିଜେ ଯାଇ ତାଙ୍କୁ ଦେଖିବା ସହ ସ୍ବାସ୍ଥ୍ୟବସ୍ଥା ବୁଝିଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଥିଲେ।
ବରଗଡ଼ ଜିଲ୍ଲା ବରପାଲି ଅଂଚଳର ପ୍ରାୟ ୪୫ ବର୍ଷ ବୟସ୍କ ଏହି ପୁରୁଷ ରୋଗୀ ଜଣକ ଗୁଜୁରାଟରୁ ଫେରିବା ପରେ କରୋନାରେ ପୀଡ଼ିତ ହୋଇଥିଲେ। ସେ ଭିମସାର୍ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ କରୋନାରୁ ମୁକ୍ତ ହୋଇଥିଲେ। କିନ୍ତୁ କୋଭିଡ୍ରୁ ସୁସ୍ଥ ହେବା ପରେ ପ୍ରଥମେ ତାଙ୍କ ଆଖି ଫୁଲି ଯାଇଥିବା ଦେଖା ଯାଇଥିଲା। ଏହାପରେ ସାଇନୋସାଇଟିସ୍ ବାହାରିବାରୁ ଇଏନ୍ଟି ବିଭାଗକୁ ପଠାଗଲା। ସେଠାରେ ଚିକିତ୍ସା କରାଯିବା ସହ ବାୟୋପ୍ସି, ହିଷ୍ଟୋପାଥୋଲଜି ପାଇଁ ନମୁନା ପଠା ଯାଇଛି।