ଏମ୍‌କେସିଜି ମେଡିକାଲରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରେ ଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି। ଏଣୁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ମେଡିସିନ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଉମା ଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡ୍‌ ଲାଇନ୍‌ ଅନୁସାରେ ତାଙ୍କର ଚିକିତ୍ସା ଜାରି ରହିଥିବା ସେ ସୂଚନା ଦେଇଛନ୍ତି।

କରୋନାରୁ ସୁସ୍ଥ ହେଉଥିବା ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଛନ୍ତି। ଏମ୍‌କେସିଜି ମେଡିକାଲକୁ ଗତ ଦୁଇଦିନ ତଳେ ଜଣେ ୫୦ବର୍ଷୀୟ ମହିଳା ଆସିଥିଲେ। ତାଙ୍କର ଆଖି ସାମାନ୍ୟ କଳା ପଡ଼ିଥିଲା। ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଥିଲା। ତାଙ୍କୁ ପ୍ରଥମେ ମେଡିସିନ୍‌ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ବେଳେ ଭଲ ଭାବେ କଥା ମଧ୍ୟ କହି ପାରୁ ନଥିଲେ। ତାଙ୍କର ଆଖି ଅଧିକ କଳା ପଡ଼ିବା ସହିତ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ୍‌ ହୋଇଥିଲା। ଏଣୁ ତାଙ୍କୁ ଗତକାଲି ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଆଇସିୟୁ ଇନ୍‌ଚାର୍ଜ ତଥା ଡାକ୍ତର ମିଶ୍ର ସମ୍ପୃକ୍ତ ରୋଗୀଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରୋଗୀ ଜଣକ ଗୁରୁତର ରହିଛନ୍ତି। ତାଙ୍କର ଆଖି କେବଳ କଳା ପଡ଼ିଯାଇଛି। ଏଣୁ ସେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ଡା. ମିଶ୍ର କହିଛନ୍ତି। ରୋଗୀଙ୍କ ସ୍ଥିତି ଅନୁଧ୍ୟାନ କଲେ ତାଙ୍କର ମସ୍ତିଷ୍କକୁ ମଧ୍ୟ ବ୍ଲାକ୍‌ ଫଙ୍ଗସ୍ ଆକ୍ରାନ୍ତ କରିଥିବା ଅନୁମାନ କରଯାଉଛି ବୋଲି ସେ କହିଛନ୍ତି। ରୋଗୀଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କର ଠିକଣା ସମ୍ପର୍କରେ ମେଡିକାଲ ତରଫରୁ ଅଧିକ ସୂଚନା ଦିଆଯାଇ ନାହିଁ। ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଏକ ୬ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏମ୍‌କେସିଜିରେ ଏହା ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର