ରାଉରକେଲା: ରାଉରକେଲାବାସୀଙ୍କ ବହୁ ଆକାଂକ୍ଷିତ ପ୍ରକଳ୍ପ କୋଏଲ ବ୍ୟାରେଜ। ୪୪୬ କୋଟି ଟଙ୍କାର ଏହି ପ୍ରକଳ୍ପର ଶିଳାନ୍ୟାସକୁ ଇତିମଧ୍ୟରେ ୪ ବର୍ଷ ୯ ମାସ ଅତିକ୍ରମ କରିଛି। କିନ୍ତୁ ସମ୍ପୃକ୍ତ ପ୍ରକଳ୍ପ ସୂର୍ଯ୍ୟାଲୋକ ଦେଖିବା ଦୂରେ ଥାଉ, ଏଯାଏ ଏହାର ନିର୍ମାଣ ମଧ୍ୟ ଆରମ୍ଭ ହୋଇନାହିଁ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୩ ଜୁଲାଇ ୯ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଆସି କୋଏଲ୍ ନଦୀରେ ବ୍ୟାରେଜ୍ ତଥା ସେତୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରାୟ ୪୪୬ କୋଟି ଟଙ୍କାର ଏହି ପ୍ରକଳ୍ପ ଯୋଗେ ରାଉରକେଲା ସହରର ବିସ୍ତତ ଜଳକ୍ଳିଷ୍ଟ ଅଞ୍ଚଳକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସାଙ୍ଗକୁ କୁଆରମୁଣ୍ଡା, ବିଶ୍ରା ଓ ନୂଆଗାଁ ବ୍ଲକର ୩୫୦୦ ହେକ୍ଟର ଜମିକୁ ବିସ୍ଥାପନ ବିନା ଜଳସେଚିତ କରାଯାଇପାରିବ ବୋଲି ଉତ୍ସବରେ ଉପସ୍ଥିତ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମାନେ ଘୋଷଣା କରିଥିଲେ। ଏଥିସହ ନଦୀର ଅପରପାର୍ଶ୍ୱରେ ଥିବା ନୂଆଗାଁ ଓ କୁଆରମୁଣ୍ଡା ବ୍ଲକର ୧୨ଟି ଗ୍ରାମର ବାସିନ୍ଦାଙ୍କ ସହଜ ଯାତାୟତ ନିମନ୍ତେ ପ୍ରସ୍ତାବିତ ବ୍ୟାରେଜ୍ କମ୍ ବ୍ରିଜ୍ ଦେଇ ଝିରପାଣିରୁ ପାନପୋଷ ଯାଏ ୩୦ କୋଟି ଟଙ୍କା ବ୍ୟୟରେ ରିଙ୍ଗ୍ରୋଡ୍ ନିର୍ମାଣ କରାଯିବ ବୋଲି ସେଦିନ ମଧ୍ୟ ଘୋଷଣା କରାଯାଇଥିଲା। ରଘୁନାଥପାଲି ବିଧାୟକ ତଥା ତତ୍କାଳୀନ ମନ୍ତ୍ରୀ ସୁବ୍ରତ ତରାଇ ସେତେବେଳେ କହିଥିଲେ ଯେ ତାଙ୍କ ଉଦ୍ୟମରେ ଏହି ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇଛି। ତୁରନ୍ତ ଟେଣ୍ଡର ହୋଇ ନଭେମ୍ବର ସୁଦ୍ଧା ନିର୍ମାଣ ଆରମ୍ଭ ହେବ ବୋଲି ଶ୍ରୀ ତରାଇ କରତାଳି ଧ୍ୱନୀ ମଧ୍ୟରେ ଘୋଷଣା କରିଥିଲେ। ରାଉରକେଲାର ତତ୍କାଳୀନ ବିଧାୟକ ସାରଦା ପ୍ରସାଦ ନାୟକ ଏହାକୁ ତାଙ୍କ ‘ସ୍ୱପ୍ନର ପ୍ରକଳ୍ପ’ ବୋଲି କହିଥିଲେ। ମାତ୍ର ବିଡ଼ମ୍ବନା ୪.୯ ବର୍ଷ ପରେ ବି ଏହାର ନିର୍ମାଣ ଆରମ୍ଭ ହୋଇନାହିଁ। ସେଠାରେ ମୂକସାକ୍ଷୀ ଭାବେ ପଡ଼ିରହିଥିବା ଭଙ୍ଗା ଫଳକ ଜଳକ୍ଳିଷ୍ଟ ରାଉରକେଲାବାସୀଙ୍କ ପାଇଁ ବିଦ୍ରୂପରେ ପରିଣତ ହୋଇଛି। ଅଧିକ ବିଡ଼ମ୍ବନା ହେଲା-କୋଏଲ୍ ନଦୀର ବୈକୁଣ୍ଠ ଘାଟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ସରକାର ବିସ୍ଥାପନ ଆଳରେ ଦୁଇ ବର୍ଷ ପୂର୍ବେ ବାତିଲ କରିଛନ୍ତି। କେବଳ ପାନୀୟ ଜଳ ଯୋଗାଣ ପାଇଁ ବୈକୁଣ୍ଠ ଘାଟ ତଳକୁ ଯେ କୌଣସି ସ୍ଥାନରେ ଆଡ଼ି ବନ୍ଧ ନିର୍ମାଣ ନିମନ୍ତେ ଜଳସମ୍ପଦ ବିଭାଗର ଅନୁସନ୍ଧାନ ବିଭାଗ ପ୍ରସ୍ତାବ ଦେଇଛି। ତେବେ ପ୍ରସ୍ତାବିତ ଆଡ଼ି ବନ୍ଧର ନକ୍ସା କିମ୍ବା ଆକଳନ ପ୍ରସ୍ତୁତ ହୋଇନଥିବାରୁ ସହରର ଜଳକ୍ଳିଷ୍ଟ ଅଞ୍ଚଳ କେବେ ସମସ୍ୟା ମୁକ୍ତ ହେବେ, ତାହା ଅନିଶ୍ଚିତ।
ଅନ୍ଧାରରେ ୪୪୬ କୋଟି ଟଙ୍କାର ପ୍ରକଳ୍ପ
ଶିଳାନ୍ୟାସରେ ଅଟକିଛି କୋଏଲ୍ ବ୍ୟାରେଜ୍
/sambad/media/post_attachments/wp-content/uploads/2018/04/RKL-Koal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)