ଔଷଧ ନିଗମର କଳା ତାଲିକା ଭେଳିକି: ନିମ୍ନମାନର ସାଲାଇନ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ

କଳା ତାଲିକାଭୁକ୍ତ ହେଲେ ରାଜ୍ୟ ବାହାରର କମ୍ପାନି

ଭୁବନେଶ୍ବର : ରାଜ୍ୟବ୍ୟାପୀ ସରକାରୀ ଡାକ୍ତରଖାନାରେ ନିମ୍ନମାନର ସାଲାଇନ୍। କେବଳ କଟକ ନୁହେଁ, ମୟୂରଭଞ୍ଜ, କନ୍ଧମାଳ, ବରଗଡ଼ ଭଳି ଜିଲ୍ଲାରୁ ଡାକ୍ତରମାନେ ରାଜ୍ୟ ଔଷଧ ନିଗମରୁ ଯୋଗାଣ ହୋଇଥିବା ସାଲାଇନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରୋଗୀମାନେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବାହାରର ୨ଟି କମ୍ପାନି ଏହି ନିମ୍ନମାନର ସାଲାଇନ୍ ଯୋଗାଇଥିବା ସ୍ପଷ୍ଟ ହେବା ପରେ ଆଜି ରାଜ୍ୟ ଔଷଧ ନିଗମ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସ୍ବରୂପ ଫାର୍ମାକୁ ୩ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଇଛି ଓ ଅନ୍ୟ ଗୋଟିଏ କଂପାନି ଆଇଭିସ୍ ଡ୍ରଗ୍‌ କମ୍ପାନିକୁ କଳା ତାଲିକାଭୁକ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ଏହି ଦୁଇଟି ଔଷଧ କମ୍ପାନିର ୮ରୁ ଅଧିକ ବ୍ୟାଚ୍‌ର ସାଲାଇନ୍ ନିମ୍ନମାନର ଥିବା ଚିହ୍ନଟ ହୋଇଛି। ଗତ ୨ମାସ ଭିତରେ ଏସବୁ ନିମ୍ନମାନର ସାଲାଇନ୍ ଚିହ୍ନଟ ହୋଇଛି। ଏଥିରେ ଗୋଟିଏ ଗୋଟିଏ କମ୍ପାନିର ଏକାଧିକ ବ୍ୟାଚ୍ ନିମ୍ନମାନର ରହିଛି। ତେଣୁ ୮ରୁ ଅଧିକ ବ୍ୟାଚ୍ ନିମ୍ନମାନର ରହିଥିବାରୁ ଏଥିରେ ରାଜ୍ୟବ୍ୟାପୀ ଲକ୍ଷାଧିକ ସଂଖ୍ୟକ ସାଲାଇନ୍ ବୋତଲ ରହିଥିବା ଅନୁମାନ କରାଯାଉଛି। ଭେଷଜ ନିର୍ଦେଶାଳୟ ପକ୍ଷରୁ ମଧ୍ୟ ରାଜ୍ୟ ଔଷଧ ନିଗମକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ମାତ୍ର ନିଗମ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଫଳରେ ବିଭିନ୍ନ ସ୍ଥାନରୁ ନିମ୍ନମାନର ସାଲାଇନ୍ ନେଇ ଅଭିଯୋଗ ତାଲିକା ଲମ୍ବିଥିଲା।

ରାଜ୍ୟବ୍ୟାପୀ ବିଭିନ୍ନ ମେଡ଼ିକାଲକୁ ଯାଇଛି
୨ଟି କମ୍ପାନିର ୮ରୁ ଅଧିକ ବ୍ୟାଚ୍‌ ନିମ୍ନମାନର

ବିଶେଷଜ୍ଞଙ୍କ ମତରେ, ନିମ୍ନମାନର ସାଲାଇନ୍ ନେଉଥିବା ରୋଗୀଙ୍କ ଶରୀରରେ ଆନାଫାଇଲେଟିକ୍ ପ୍ରତିକ୍ରିୟା ଦେଖା ଦେଇଥାଏ। ଭୀଷଣ ଜ୍ବର ସହିତ ଚର୍ମ କୁଣ୍ଡାଇ‌ ହେବା ସହିତ ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟାକୁ ଭିତ୍ତିକରି ଡାକ୍ତର ଚିକିତ୍ସା କରିଥାନ୍ତି। କିଛିମାସ ପୂର୍ବରୁ କଟକରୁ ଏଭଳି ଅଭିଯୋଗ ଆସିଥିଲେ ବି ଅନ୍ୟ ଜିଲ୍ଲାଗୁଡ଼ିକରୁ ସଂପୃକ୍ତ ଦୁଇ କମ୍ପାନିର ସାଲାଇନ୍‌କୁ କାହିଁକି ଫେରାଇ ନିଆଗଲା ନାହିଁ? ଯେଉଁ ରୋଗୀମାନଙ୍କୁ ଏଭଳି ନିମ୍ନମାନର ସାଲାଇନ୍ ଦିଆଗଲା ସେମାନଙ୍କର ହୋଇଥିବା କ୍ଷତିର କିଭଳି ଭରଣା କରାଯିବ ?

ଅନ୍ୟପକ୍ଷରେ ରାଜ୍ୟ ଔଷଧ ନିଗମରେ ଔଷଧ ଯୋଗାଉଥିବା କମ୍ପାନିମାନଙ୍କୁ କଳା ତାଲିକାଭୁକ୍ତ କରାଯିବା ନୂଆ କଥା ନୁହେଁ। କେବଳ ଚଳିତବର୍ଷ ଅକ୍ଟୋବର ମାସ ‌ସୁଦ୍ଧା ୧୯ଟି କମ୍ପାନି/ଉତ୍ପାଦକୁ କଳା ତାଲିକାଭୁକ୍ତ କରାଯାଇଛି। ୨୦୧୭ ମସିହାରୁ ୫୩ରୁ ଅଧିକ କମ୍ପାନି/ଉତ୍ପାଦ କଳା ତାଲିକାଭୁକ୍ତ ହୋଇଛନ୍ତି। ଏଭଳି କଳା ତାଲିକାଭୁକ୍ତ ପ୍ରକ୍ରିୟାକୁ ଅନେକ ଏକ ପ୍ରହସନ ବୋଲି କହୁଛନ୍ତି। କାରଣ ସଂପୃକ୍ତ କମ୍ପାନିମାନେ ୩ବର୍ଷ କଣ୍ଟ ପୂରିବା ପରେ ପୁଣିଥରେ ରାଜ୍ୟ ଔଷଧ ନିଗମର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରୁଛନ୍ତି। ଏଣୁ ଏଭଳି କଳା ତାଲିକାଭୁକ୍ତ କରିବାର କୌଣସି ମାନେ ନାହିଁ ବୋଲି ମତ ପ୍ରକାଶ ପାଇଛି।

ରାଜ୍ୟ ଔଷଧ ନିଗମର ଜଣେ ଅଧିକାରୀ କହିଛନ୍ତି, ନିଗମକୁ ଔଷଧ ଯୋଗାଣ କରୁଥିବା କମ୍ପାନିମାନଙ୍କ ଔଷଧ ଡାକ୍ତରଖାନାକୁ ଯୋଗାଣ ପୂର୍ବରୁ ପ୍ରଥମେ ପରୀକ୍ଷା କରାଯାଇଥାଏ। ଯଦି ପରୀକ୍ଷା ରିପୋର୍ଟ ଠିକ୍ ରହିଥାଏ ତାହାଲେ ତାହକୁ ରାଜ୍ୟବ୍ୟାପୀ ବିତରଣ ହୋଇଥାଏ। ଏହାପରେ ବି ମଝିରେ ମଝିରେ ନିଗମ ପକ୍ଷରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଥାଏ। ତେବେ ସାଲାଇନ୍ କ୍ଷେତ୍ରରେ ଏହା ପର୍କୋଲେସନ୍ ବା ଛିଦ୍ର କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ଭେଷଜ ନିର୍ଦେଶାଳୟ ପକ୍ଷରୁ ଯେଉଁ କମ୍ପାନିର ସାଲାଇନ୍ ନିମ୍ନମାନର ଥିବା ନେଇ ରିପୋର୍ଟ ଆସିଥିଲା; ଏସ୍‌ସିବିରୁ ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟାଚ୍‌ର ସାଲାଇନ୍‌କୁ ଫ୍ରିଜ୍ କରି ଦିଆଯାଇଥିଲା। ତେଣୁ କୌଣସି ରୋଗୀଙ୍କୁ ଏହା ଦିଆଯାଇନାହିଁ। ଏବେ ସିଡିଏଲ୍‌ ରିପୋର୍ଟ ଆଧାରରେ କଳା ତାଲିକାଭୁକ୍ତ କରାଯାଉଛି।

 

ସମ୍ବନ୍ଧିତ ଖବର