ରାୟଗଡା: କବଳିତ କରିଛି ଅନ୍ଧ ବିଶ୍ବାସ। ସଚେତନତା ଅଭାବରୁ ରାୟଗଡା ଜିଲ୍ଲାରେ ଗୁଣି ଗାରେଡ଼ିକୁ ‌ନେଇ ବଢ଼ି ଚାଲିଛି ଅପରାଧ। ଅକାଳରେ ଝଡ଼ି ପଡୁଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ। ଗତ ୬ ବର୍ଷରେ ଜିଲ୍ଲାରେ ଘଟିଥିବା ୧୦ଟି ଘଟଣାରେ ଅତି ନିର୍ମମ ଭାବେ ୧୮ଜଣଙ୍କୁ ହତ୍ୟା କରାଯାଇଛି। ଯାହା ପୁଲିସ୍, ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗୁଣି ଗାରେଡ଼ିକୁ ନେଇ ଘଟୁଥିବା ହତ୍ୟାକାଣ୍ଡ, ଗୋଷ୍ଠୀ ବିବାଦକୁ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ସରକାର ଓ ‌ନ୍ୟାୟାଳୟ ଗୁରୁତ୍ବ ଦେଇ ଆସୁଛନ୍ତି। ଗାଁ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକ କରି ଲୋକଙ୍କୁ ଏ ଦିଗରେ ଅବଗତ କରିବାକୁ ନିର୍ଦେଶ ଅଛି। କିନ୍ତୁ ଏ ସବୁ ସତ୍ତ୍ବେ ରାୟଗଡା ଜିଲ୍ଲାରେ ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ ଥମିବାର ନାଁ ନେଉନି। ୨୦୧୬ ଓ ୨୦୧୭ ମସିହାରେ ଘଟିଥିବା ଦୁଇଟି ଘଟଣାର ବିଚାର କରି କୋର୍ଟ ୯ଜଣଙ୍କୁ ଫାଶୀଦଣ୍ଡ ଏବଂ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁଇ ମାମଲାରେ କୋର୍ଟଙ୍କ ଏହି ରାୟ ସାରା ରାଜ୍ୟରେ ଚହଳ ପକାଇଥିବା ସତ୍ତ୍ବେ ରାୟଗଡାର ଗ୍ରାମାଞ୍ଚଳରେ ଏବେ ବି ରାଜୁତି କରି ଚାଲିଛି ଅନ୍ଧ ବିଶ୍ବାସ। ଯାହା ଗୁଣି ଗାରେଡ଼ିକୁ ନେଇ ଘଟୁଥିବା ହତ୍ୟାକାଣ୍ଡର ମୂଳ କାରଣ ବୋଲି ଜଣା ପଡିଛି।

Advertisment

ପୁଲିସ୍ ସୂଚନା ମୁତାବକ ୨୦୧୧ରୁ ୨୦୧୯ ମସିହା ଜୁଲାଇ ମାସ ସୁଦ୍ଧା ଜିଲ୍ଲାରେ ଗୁଣି ଗାରେଡ଼ିକୁ ନେଇ ୧୦ଟି ହତ୍ୟାକାଣ୍ଡ ଘଟିଛି। ୨୦୧୪, ୨୦୧୭ ଓ ୨୦୧୮ ମସିହାରେ ଗୋଟିଏ ବି ମାମଲା ରୁଜୁ ହୋଇନି। ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୬ ଓ ୨୦୧୯ ମସିହାରେ ଘଟିଥିବା ହତ୍ୟାକାଣ୍ଡରେ ୧୬ ଜଣଙ୍କ ଜୀବନ ଯାଇଛି। ୨୦୧୧ ମସିହାରେ ଟିକିରି ଥାନା ଅଞ୍ଚଳରେ ଘଟିଥିବା ଘଟଣାରେ ମହତପୁଟୁଖିରି ଗ୍ରାମର ଅର୍ଜି ମାଝୀ, ବଡ ପୁକେଲ ଗ୍ରାମର ରସି ମାଝୀକୁ ଗୁଣି ସଂଦେହରେ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ୨୦୧୨ରେ ଆମ୍ବଦଳା ଥାନା ବଡସେରୁବାରି ଗ୍ରାମର ଚନ୍ଦ୍ରବିନ୍ଦୁ ମାଝୀ, ୨୦୧୩ରେ କଲ୍ୟାଣସିଂହପୁର ଥାନା ଶିକରପାଇ ଗ୍ରାମ ଜାନିସାହିର ହିକକା ବୁଟି, ୨୦୧୫ ରେ ରାୟଗଡା କତୁରୁ ଗ୍ରାମର ଚିଟିପିଲି ନାରାୟଣ ଦୋରା, ବିଷମକଟକ କୋଣ ଗ୍ରାମର ଜଗବନ୍ଧୁ କାଲକା, ରାୟଗଡା ନାଥମା ଗ୍ରାମର ଲତ୍ରା ପିଡିକା, ଆପାଡୁ ମେଲେକା, କଲ୍ୟାଣସିଂହପୁର ନିମାଝୋଲା ଗ୍ରାମର କୁରୁମା କଣ୍ଡାଗିରି, ୨୦୧୬ରେ ଦୋରାଗୁଡା ଥାନା କୁଚେଇପଦର ଗ୍ରାମର ରଇଲା ମାଝୀ, ପୁଟାସିଂ ଥାନା କିତୁଂ ଗ୍ରାମର ଅସୀମ ଶବର, ଆମ୍ବାଏ ଶବର, ଆଶାମଣୀ ଶବର, ୨୦୧୯ ରେ ଗୁଣପୁର ଥାନା ଅନ୍ତର୍ଗତ ଉକ୍କମ୍ବାଗୁଡା ଗ୍ରାମର ଗୋପାଳ ଶବର, ଲକ୍ଷ୍ମୀ ଶବର, ଜାଙ୍ଗିଲି ଶବର, ଆମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟା ଗ୍ରାମର ମକର ନାୟକ, କରୁଣା ନାୟକ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି। ୨୦୧୬ ସେପଟେମ୍ବର ୯ ତାରିଖ କିତୁଂ ଗ୍ରାମରେ ଘଟିଥିବା ମାମଲାର ରାୟ ପ୍ରକାଶ କରି ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୯ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ‌ଶୁଣାଇଥିଲେ। ସାରା ରାଜ୍ୟରେ ଗୁଣି ଗାରେଡି ମାମଲାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଶୁଣାଇବାରେ ଏହା ପ୍ରଥମ ମାମଲା। ସେହିପରି ୨୦୧୭ ନଭେମ୍ବର ୧୮ ଶେଷଖାଲ ଥାନା ଚାଞ୍ଚଡା ଡ୍ରୁଗମ ଗାଁରେ ଘଟିଥିବା ମାମଲାର ଶୁଣାଣି କରି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୧୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡା ଶୁଣାଇଛନ୍ତି। ନିକଟରେ ଉକ୍କମ୍ବାଗୁଡା ଗାଁରେ ୩ ଜଣଙ୍କୁ ହତ୍ୟା ମାମଲାରେ ପୁଲିସ୍ ୧୫ଜଣଙ୍କୁ ଗିରଫ କରିବା ସହ ଗତ ୫ ଦିନ ତଳେ ଚାର୍ଜସିଟ୍ ଦାଖଲ କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଜିଲ୍ଲାରେ ଗୁଣି ଗାରେଡିକୁ ନେଇ ଆକ୍ରମଣ କମିବାର ନାଁ ନେଉନି।