ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗ୍ରାମରେ ଝାଙ୍କର (ପୂଜକ) ସଦାନନ୍ଦ ଭୋଇ (୬୫)ଙ୍କୁ ଘରକୁ ଡାକି ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଗୁଣି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏକ ଦମ୍ପତିଙ୍କୁ ପୁଲିସ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ଟେମରି ଗାଁର ହେମନ୍ତ ବାଗ (୩୦)ଙ୍କ ସ୍ତ୍ରୀ ସୁନ୍ଦ୍ରିକା ବାଗ (୨୨)ଙ୍କ ସ୍ବାସ୍ଥ୍ୟ ମଝିରେମଝିରେ ଖରାପ ହେଉଥିଲା। ଗାଁର ଝାଙ୍କର ସଦାନନ୍ଦ ଗୁଣିକରି ଏପରି କରୁଥିବା ହେମନ୍ତ ଓ ସୁନ୍ଦ୍ରିକା ସନ୍ଦେହ କରିଥିଲେ। ତେଣୁ ସେମାନେ ଝାଙ୍କର ସଦାନନ୍ଦଙ୍କୁ ହତ୍ୟା କରିବାକୁ ଷଡ୍‌ଯନ୍ତ୍ର କରିଥିଲେ। ସୋମବାର ରାତିରେ ହେମନ୍ତ ଓ ସୁନ୍ଦ୍ରିକା ଘରେ ପୂଜା କରିବା ପାଇଁ ସଦାନନ୍ଦଙ୍କୁ ଡାକିଥିଲେ। ସଦାନନ୍ଦ ପୂଜା କରୁଥିବା ସମୟରେ ଏହି ଦମ୍ପତି ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।

Advertisment

ଖବର ପାଇ ଦଶପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଅନ୍ୟପକ୍ଷରେ, ହେମନ୍ତ ଓ ତାଙ୍କ ସ୍ତ୍ରୀ ସୁନ୍ଦ୍ରିକାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସଦାନନ୍ଦଙ୍କ ପୁତୁରା ସୁଧୀର ଭୋଇଙ୍କ ଏତଲା ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି।