ମାଥିଲି/ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମରେ ହୋଇଛି ଡବଲ ମର୍ଡର। ବାପା ଓ ପୁଅଙ୍କୁ ଅଭିଯୁକ୍ତମାନେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିବା ପରେ ନଦୀକଡ଼କୁ ଫିଙ୍ଗି ଦେଇଥିଲେ। ଏହି ହତ୍ୟା ମାମଲାରେ ସଂପୃକ୍ତ ତିନି ଅଭିଯୁକ୍ତ ଆଜି ମାଥିଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।
ମାଳିଗୁଡ଼ା ଗ୍ରାମର ସଦମ ମାଳି ଏବଂ ତାଙ୍କ ପୁଅ ନୀଳେନ୍ଦ୍ର ମାଳି ଗୁଣିଗାରେଡ଼ି କରୁଥିବା ନେଇ ପୂର୍ବରୁ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଥିଲା। ଏ ନେଇ ଗତ ତିନି ବର୍ଷ ପୂର୍ବେ ଗାଁରେ ସେମାନଙ୍କୁ ଏକଘରକିଆ କରାଯାଇଥିଲା। ପୂର୍ବରୁ ଗାଁରେ କାହାକୁ ରୋଗ ହେଲେ ଏହା ଏହି ବାପ-ପୁଅଙ୍କ ଗୁଣିଗାରେଡ଼ି ଯୋଗୁଁ ହୋଇଥିବା ସନ୍ଦେହ କରି ଗ୍ରାମବାସୀ ସେମାନଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ରାତିରେ ବାପା ଓ ପୁଅ ଗୋବିନ୍ଦପାଲ୍ଲୀରୁ ପରିବା ବିକି ଗାଁକୁ ଫେରୁଥିଲେ। ଅନ୍ଧାର ରାତିରେ ପୂର୍ବରୁ ଛପି ରହିଥିବା ତିନି ଅଭିଯୁକ୍ତ ସେମାନଙ୍କୁ ଅଟକାଇବା ସହ ପିଟି ପିଟି ହତ୍ୟା କରିଥିଲେ ଏବଂ ଶବକୁ ନଦୀ କଡ଼ରେ ଫିଙ୍ଗି ଦେଇଥିଲେ। ନଦୀକଡ଼ରେ ଦୁଇ ଜଣଙ୍କ ଶବ ପଡ଼ିଥିବା ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ସକାଳୁ ଅଭିଯୁକ୍ତମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ମାମଲାରେ ପୁଲିସ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏହି ଡବଲ ମର୍ଡର ଘଟଣାରେ ଅନ୍ୟ କେହି ସଂପୃକ୍ତ କି ନା ଜାଣିବା ଲାଗି ପୁଲିସ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Black-magic-620x400.jpg)