ଦିଗପହଣ୍ଡି: ପୁଣିଥରେ ଚର୍ଚ୍ଚାକୁ ଆସିଛି ଦିଗପହଣ୍ଡି ରାଜନୀତି। ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଦିଗପହଣ୍ଡି ରାଜନୀତି ବେଶ୍‌ କିଛିଦିନ ସରଗରମ ରହିଥିଲା। ଏଥର କିନ୍ତୁ ଭିନ୍ନ ଏକ ପ୍ରସଙ୍ଗକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଦିଗପହଣ୍ଡି ରାଜନୀତିରେ ତନ୍ତ୍ରବିଦ୍ୟା ପ୍ରୟୋଗକୁ ନେଇ ଏକ ଘଟଣା କେବଳ ଜିଲ୍ଲା ନୁହେଁ, ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ଗୋଟିଏ ବରଗଛ ତଳେ କିଛି ନେତାଙ୍କ ଚିରା ଫଟୋ ପଡ଼ିଥିବା ବେଳେ ତନ୍ତ୍ରପୂଜା କରାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଦିଗପହଣ୍ଡି ରାଜନୀତିରେ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦିଗପହଣ୍ଡି-ସାନଖେମୁଣ୍ଡି ସୀମାନ୍ତ ଅଁଳାଗୁଡ଼ା ନିକଟବର୍ତ୍ତୀ ଏକ ଜଙ୍ଗଲ ରାସ୍ତାରେ ଏଭଳି ଫଟୋ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାର କିଛି ଫଟୋ ଓ ଭିଡ଼ିଓ ଭାଇରାଲ୍‌ ହେବା ପରେ ଏହି କଥା ସାମ୍ନାକୁ ଆସିଛି। ସେଠାରେ ଦିଗପହଣ୍ଡି ବିଧାୟକ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ସ୍ବର୍ଗତ ପାତ୍ରଙ୍କ ବ୍ୟକ୍ତିଗତ ସହାୟକ ଥିବା ସି.ଏଚ୍ ସୀମାଦ୍ରି ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରେଡ୍ଡିଙ୍କ ଫଟୋ ଚିରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

Advertisment

ନିକଟରେ ନାଲି ଓ କଳା କପଡ଼ା, ମାଛ, ସିନ୍ଦୂର, ଚାଉଳ, ଫୁଲ, ହଳଦୀ, ଦୀପ, ଧୂପ ଓ କର୍ପୂର ପଡ଼ିଥ‌ିବା ଦେଖିବାକୁ ମିଳିଛି। ତେବେ କିଏ ଓ କାହିଁକି ଏଭଳି ତନ୍ତ୍ରବିଦ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ। ଏହା ଏକ ତନ୍ତ୍ରବିଦ୍ୟା ନା, ଏଭଳି କାର୍ଯ୍ୟ କରିବା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି, ତାହା ଏବେ ଦିଗପହଣ୍ଡିରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୧୪ତାରିଖରେ ଅମାବାସ୍ୟା ରାତିରେ ଏଭଳି କାଣ୍ଡ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହା ପ୍ରଚାର ହେବା ପରେ ବିପ୍ଳବଙ୍କ ସମର୍ଥକ ଗୋଷ୍ଠୀ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି, ସେମାନେ ତୁରନ୍ତ ଏଭଳି କାମରୁ ନିଜକୁ ନିବୃତ୍ତ ରଖିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିରଂଜନ ପ୍ରଧାନ କହନ୍ତି, ବର୍ତ୍ତମାନ ସୁଦ୍ଧା ଘଟଣା ସମ୍ପର୍କରେ କେହି କୌଣସି ପ୍ରକାର ଅଭିଯୋଗ କରି ନାହାନ୍ତି।