ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରୁ ରାୟଗଡ଼ା ବ୍ଲକ୍ର ମାଙ୍କଡ଼ଝୋଲା ଗ୍ରାମରେ ତୁମୁଳ କାଣ୍ଡ ଘଟିଛି। ଆଜି ସନ୍ଧ୍ୟାରେ ଜଣେ ଅଙ୍ଗନବାଡ଼ି ହେଲପର ଓ ତାଙ୍କ ଭଉଣୀଙ୍କୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ରୋଷର ଶିକାର ହୋଇଥିବା ଦୁଇ ଭଉଣୀ ହେଲେ ସବିତା ଯାନି ଓ ଗଲମା ମୁଦୁଲି। ସବିତା ଉକ୍ତ ଗ୍ରାମରେ ଅଙ୍ଗନବାଡ଼ି ହେଲପର ଭାବେ କାମ କରୁଥିବା ବେଳେ ଗଲମା ତାଙ୍କ ସାନ ଭଉଣୀ ବୋଲି ଜଣାପଡ଼ିଛି। ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଭଉଣୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରିଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ମୁତୟନ କରାଯାଇଛି।
ଆଜି ସକାଳେ ଏହି ଗ୍ରାମର ସନ୍ତୋଷ ଯାନିଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ସନ୍ତୋଷ ଦୀର୍ଘ ଦିନ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ବହୁ ଚିକିତ୍ସା ପରେ ମଧ୍ୟ ଆଜି ସନ୍ତୋଷର ମୃତ୍ୟୁ ହେବା ପରେ ଗ୍ରାମବାସୀ ସବିତା ଓ ଗଲମା ତାଙ୍କୁ ଗୁଣି କରିଥିବା ନେଇ ସନ୍ଦେହ କରିଥିଲେ। ତେଣୁ ଅପରାହ୍ନରେ ସବିତାଙ୍କୁ ଘରୁ ଉଠାଇ ଆଣି ଗ୍ରାମବାସୀ ପଚରାଉଚରା କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ଖାଇ ସବିତା ଚାଲି ଆସିବା ପରେ ଗ୍ରାମବାସୀ ସାନଭଉଣୀ ଗଲମାଙ୍କୁ ଖୋଜିଥିଲେ। ତେବେ ସବିତା ତାଙ୍କୁ ନିଜ ଘରେ ଲୁଚାଇ ରଖିଥିବା ଜାଣି ଗ୍ରାମବାସୀ ପୁଣିଥରେ ତାଙ୍କ ଘର ଉପରେ ଚଢ଼ଉ କରିଥିଲେ ଏବଂ ଦୁଇ ଭଉଣୀଙ୍କୁ ପିଟାପିଟି କରିଥିଲେ। ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚିଲାବେଳେକୁ ଗ୍ରାମବାସୀମାନେ ଗାଁ ଦାଣ୍ଡରେ ଜଗି ରହିଥିଲେ। ତେବେ ବହୁ ବୁଝାସୁଝା ପରେ ପୁଲିସ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/d65h4sdf65h7sf98h7sf89h4sf65h4sf65h4sf8h65sfh456fsh64sfhsfhsfhsfh.jpg)