ଚୋର ଧରିବାକୁ ଆସିଥିବା ଗୁଣିଆ ହଟହଟା

ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ଘଟିଛି ଏକ ରୋଚକ ଘଟଣା। ଚୋର ଧରିବା ପାଇଁ ଆସି ଗାଁ ଲୋକଙ୍କୁ ଭୂଆଁ ବୁଲାଉଥିବା ଜଣେ ଗୁଣିଆ ଗ୍ରାମବାସୀଙ୍କ ଦ୍ବାରା ହଟହଟା ହୋଇଛି। ନିଜ ଭିତରେ ମୋବାଇଲ ଛୁପାଇ ରଖି ଗୁଣିଆକୁ ଚୋର ଧରିବାକୁ କୁହାଯାଇଥିବା ବେଳେ ଗୁଣିଆ ମୋବାଇଲ ଚୋରକୁ ଧରି ପାରିବ ନାହିଁ ବୋଲି କହି ଖସି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ ରାଜକନିକା ଥାନା ଅନ୍ତର୍ଗତ କୋଇଲିପୁର ପଞ୍ଚାୟତର ଲୁହାରମୁହିଁ ଗାଁରେ ଦୁଇ ଦିନ ତଳେ କସିମୁଦ୍ଦିନ୍‌ ଖାଁଙ୍କ ଘରେ ସୁନା ଅଳଙ୍କାର ହଜିଥିଲା। ଘରଲୋକ ବହୁ ଖୋଜାଖୋଜି କରିବା ପରେ ଅଳଙ୍କାର ନ ପାଇବାରୁ ଏ ସଂପର୍କରେ ଗ୍ରାମ କମିଟିକୁ ଜଣାଇଥିଲେ। ଗ୍ରାମ ମୁରବୀଙ୍କ ନେତୃତ୍ବରେ ଗ୍ରାମ କମିଟି ବସି ଗୁଣିଆ ଡାକି ଚୋର ଧରିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରୁ ଗୁଣିଆ ଆସି ପହଞ୍ଚି ଥିଲା। ଚୋର ଧରାଇ ଦେଲେ ୧୦ ହଜାର ଟଙ୍କା ନେବ ବୋଲି କହି କସିମୁଦ୍ଦିନ୍‌ଙ୍କ ଘର ସାମନାରେ ଗୁଣିଆ ଦୁଇଖଣ୍ତ ବାଉଁଶ କାଠି(ପାତିଆ)କୁ ପୂଜା ଆରମ୍ଭ କରି ଦେଇଥିଲା। ପୂଜା ପରେ ଏହି ପାତିଆ ଚୋର ଧରିଥାନ୍ତା ବୋଲି ଗୁଣିଆ କହିଥିଲା। କିନ୍ତୁ ସେହି ସମୟରେ ଗ୍ରାମର କେତେକ ବ୍ୟକ୍ତି ଗୁଣିଆର କାର୍ଯ୍ୟକଳାପରେ ସନ୍ଦେହ କରି ନିଜ ଭିତରେ ଏକ ମୋବାଇଲ୍ ଲୁଚାଇ ମୋବାଇଲ ଚୋରକୁ ଧରିବାକୁ କହିଥିଲେ। ସତକଥା ଧରା ପଡ଼ି ଯିବା ଭୟରେ ଗୁଣିଆ ମୋବାଇଲ ଚୋର ଧରିପାରିବ ନାହିଁ ବୋଲି କହି ସେଠାରୁ ପଳାଇ ଯାଇଥିଲା।

ସମ୍ବନ୍ଧିତ ଖବର