ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତ୍ତର ବାଲେଶ୍ୱର ଅଞ୍ଚଳରେ ସାର ଓ କୀଟନାଶକ ଔଷଧ କଳାବଜାରୀ ସବୁ ସୀମା ଡେଇଁଛି। ଫଳରେ ଚଳିତ ରବି ଋତୁରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ଆସୁଛି। ବାଲେଶ୍ୱର ଜିଲ୍ଲାର ଭାତହାଣ୍ଡି କହିଲେ ଉତ୍ତର ବାଲେଶ୍ୱର ଅଞ୍ଚଳକୁ ହିଁ ବୁଝାଇଥାଏ। କୁହାଯାଏ ବାଲେଶ୍ୱର ଜିଲ୍ଲାରେ ରବି ଋତୁରେ ଯେତିକି ଧାନଚାଷ ହୋଇଥାଏ, ତା’ର ଅଧା କେବଳ ଉତ୍ତର ବାଲେଶ୍ୱରର ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍ ଅଞ୍ଚଳରେ ହୋଇଥାଏ। ଏହି ଅଞ୍ଚଳର ଚାଷୀଙ୍କୁ ସୁଲଭ ମୂଲ୍ୟରେ ଓ ସହଜରେ ସାର ଏବଂ କୀଟନାଶକ ଔଷଧ ଯୋଗାଇବା ପାଇଁ ସରକାର ହୋଲ୍ସେଲର ଓ ରିଟେଲର୍ମାନଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଭୋଗରାଇ ବ୍ଲକ୍ରେ ୭ ଜଣ ହୋଲ୍ସେଲର୍, ୧୬୪ ଜଣ ରିଟେଲର୍ଙ୍କୁ ସାର ବିକ୍ରି ପାଇଁ ଏବଂ ୯୪ ଜଣ ରିଟେଲର୍ଙ୍କୁ କୀଟନାଶକ ଔଷଧ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି।
ସେହିପରି ବାଲିଆପାଳ ବ୍ଲକ୍ରେ ୬ ଜଣ ହୋଲ୍ସେଲର୍ ଓ ୮୬ ଜଣ ରିଟେଲର୍ଙ୍କୁ ସାର ପାଇଁ ଏବଂ ୭୦ ଜଣ ରିଟେଲର୍ଙ୍କୁ କୀଟନାଶକ ଔଷଧ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇଛି। ଜଳେଶ୍ୱର ବ୍ଲକ୍ରେ ୬ ଜଣ ହୋଲ୍ସେଲର୍ ଓ ୧୫୭ ଜଣ ରିଟେଲର୍ଙ୍କୁ ସାର ବିକ୍ରି ପାଇଁ ଏବଂ ୮୩ ଜଣ ରିଟେଲର୍ଙ୍କୁ କୀଟନାଶକ ଔଷଧ ବିକ୍ରି ପାଇଁ ଲାଇସେନ୍ସ ମିଳିଛି। ଜଳେଶ୍ୱର ସହରାଞ୍ଚଳରେ ୨ ଜଣ ହୋଲ୍ସେଲର୍ ଓ ୧୬ ଜଣ ରିଟେଲର୍ଙ୍କୁ ସାର ବିକ୍ରି ପାଇଁ ଏବଂ ୧୧ ଜଣ ରିଟେଲର୍ଙ୍କୁ କୀଟନାଶକ ଔଷଧ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ତେବେ ଭୋଗରାଇ ଓ ବାଲିଆପାଳ ବ୍ଲକ୍ରେ ସରକାରଙ୍କ ଏହି ବିତରଣ ବ୍ୟବସ୍ଥାକୁ ଉପଯୁକ୍ତ ଯାଞ୍ଚ ଓ ତନଖି କରାଯାଉ ନଥିବା ଅଭିଯୋଗ ହୋଇଛି। କୃଷି ଅଧିକାରୀ ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ଶୋଷଣର ଶିକାର ହେଉଥିବା କୁହାଯାଇଛି।
ରିଟେଲର୍ମାନଙ୍କ ଆଇଡି ସାର ଓ କୀଟନାଶକ ଔଷଧ କମ୍ପାନିଗୁଡ଼ିକ ଖୋଲିବା ନେଇ ସରକାରୀ ନିୟମ ଥିବା ବେଳେ ଅନେକ ସ୍ଥାନରେ କୃଷି ଅଧିକାରୀ ନିଜେ ଆଇଡି ଖୋଲିଦେବେ କହି ଅର୍ଥ ସଂଗ୍ରହ କରୁଛନ୍ତି ବୋଲି ଜଣେ ରିଟେଲର୍ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ସେହିପରି ରିଟେଲର ଓ ହୋଲ୍ସେଲର୍ମାନେ ଯେଉଁ କମ୍ପାନିର ସାର ଓ ଔଷଧ ବିକ୍ରି କରିବା ପାଇଁ ଲାଇସେନ୍ସ ପାଇଛନ୍ତି, ତାହା ନବିକି ଅନ୍ୟ କମ୍ପାନିର ସାର ଓ ଔଷଧ ବିକ୍ରି କରୁଛନ୍ତି। ଫଳରେ ଅନେକ ସମୟରେ ଚାଷୀମାନେ ଠକାମିର ଶିକାର ହେଉଥିବା ଅଭିଯୋଗ ହେଉଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ସାର ଓ କୀଟନାଶକ ଔଷଧର ଦର ସମାନତା ନାହଁ। ଉତ୍ତର ବାଲେଶ୍ୱର ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏହାର ସୁଯୋଗ ନେଇ ଓଡ଼ିଶାରେ ଚଢ଼ାଦର ଥିବା ସାର ଓ ଔଷଧ ରାଜସ୍ବ ଫାଙ୍କି ପଶ୍ଚିମବଙ୍ଗରୁ ଚୋରାରେ ଆସୁଛି ଏବଂ ପଶ୍ଚିମବଙ୍ଗରେ ଚଢ଼ାଦର ଥିବା ସାର ଓ ଔଷଧ ଓଡ଼ିଶାରୁ ଯାଉଛି।
ସବୁଠାରୁ ବଡ଼କଥା ହେଉଛି; ଉତ୍ତର ବାଲେଶ୍ୱର ଅଞ୍ଚଳରେ ଛତୁ ଫୁଟିବା ପରି ଲାଇସେନ୍ସ ନଥିବା ଦୋକାନ ଖୋଲାଯାଇଛି। ଆଉ ରିଟେଲର୍୍ ଓ ହୋଲ୍ସେଲର୍ମାନେ ସେମାନଙ୍କ ବିକ୍ରି ବଢ଼ାଇବା ପାଇଁ ଏହି ଅଣ ଲାଇସେନ୍ସ ବ୍ୟବସାୟୀଙ୍କ ସହ ହାତ ମିଳାଇ ସେମାନଙ୍କୁ ସାର ଏବଂ କୀଟନାଶକ ଔଷଧ ଯୋଗାଉଛନ୍ତି। କେଉଁ ଚାଷୀ କେତେ ସାର କିଣିଲେ ସେମାନଙ୍କ ସମ୍ପର୍କରେ ଏକ ଡାଟା ପାଇଁ ସରକାର ହୋଲ୍ସେଲର୍ ଓ ରିଟେଲର୍ମାନଙ୍କୁ ପଏଣ୍ଟ ଅଫ୍ ସେଲ୍ ମେସିନ୍ ବା ପସ୍ ମେସିନ୍ ଯୋଗାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଅନେକ ସ୍ଥାନରେ ହୋଲ୍ସେଲର୍ ଓ ରିଟେଲର୍ମାନେ ଅଧିକ ବିକ୍ରି କରି ଲାଭାନ୍ବିତ ହେବା ଆଶାରେ ଏହି ପସ୍ ମେସିନ୍କୁ ଦଲାଲ କିମ୍ବା ଲାଇସେନ୍ସ ପାଇ ନଥିବା ବ୍ୟବସାୟୀଙ୍କୁ ଧରାଇ ଦେଉଛନ୍ତି। ଫଳରେ ଅନେକ ଅଣଚାଷୀଙ୍କୁ ସେମାନଙ୍କ ଆଧାର କାର୍ଡ ଦ୍ବାରା ସାର ବିକ୍ରି ହୋଇଛି ବୋଲି ଦର୍ଶାଯାଉଛି। ହୋଲ୍ସେଲ୍ ପଏଣ୍ଟ, ରିଟେଲର ପଏଣ୍ଟଗୁଡ଼ିକରେ ଷ୍ଟକ୍, ସେଲ୍ର କୌଣସି ରେକର୍ଡ ରହୁନାହିଁ। ଦର ତାଲିକା ଉଲ୍ଲେଖ ଥିବା ସାଇନ୍ବୋର୍ଡ ମଧ୍ୟ ଟଙ୍ଗାଯାଉନାହିଁ। ଦୋକାନରେ କେସ୍ ମେମୋ ମଧ୍ୟ ରହୁନାହିଁ।
ଏସବୁ ଅଭିଯୋଗ ଆସିବା ପରେ କୃଷି ବିଭାଗ ତରଫରୁ ଯାଞ୍ଚ କରାଯାଇ ସେମାନେ ଅନିୟମିତତା କରିଥିବା ଦର୍ଶାଯାଉଛି। ଆଉ ଉପରଠାଉରିଆ କିଛି ରେଟେଲର୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଛି। ଆଉ ଆଶ୍ଚର୍ଯ୍ୟର କଥା କାରଣ ଦର୍ଶାଅ ନୋଟିସ୍ ଯେଉଁମାନଙ୍କୁ ଜାରି କରାଯାଇଛି, ସେମାନେ ଆଗକୁ ଆଉ କୌଣସି ଅନିୟମିତତା କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇବା ପରେ ସବୁ ଦୋଷ ମାଫ୍ ହୋଇଯାଉଛି।