ଧଳା ସୁନାର କଳା କାରବାର

ବଲାଙ୍ଗୀର: ଧଳା ସୁନା କପା। ଏ ଅଂଚଳରେ ଏହାର ଚାଷ ଭଲ ହୁଏ। ହେଲେ ଧଳା ସୁନାର କଳା କାରବାରକୁ ନେଇ ଏବେ ବଲାଙ୍ଗୀରରେ ବେଶ୍‌ ଚର୍ଚ୍ଚା। ଆଉ ଧଳା ସୁନାର କଳା କାରବାରରେ ଏବେ ଚାଷୀ କାଙ୍ଗାଳ ତ ମିଲର୍ସ ମାଲାମାଲ।

ବଲାଙ୍ଗୀର ଜିଲ୍ଲାରେ ଧାନ ପରେ କପା ଚାଷ ହେଉଛି ମୁଖ୍ୟ ଅର୍ଥକାରୀ ଫସଲ। ଜିଲ୍ଲାର ପାଟଣାଗଡ଼, ବେଲପଡ଼ା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା ଅଂଚଳରେ ମୁଖ୍ୟତଃ କପା ଚାଷ ହୋଇଥାଏ। ସାରା ଦେଶରେ ବଲାଙ୍ଗୀର ଜିଲ୍ଲାର କପାର ଗୁଣାତ୍ମକ ମାନ ସବୁଠୁ ଅଧିକ। ହେଲେ ଏଠି ଚାଷ କରି ହତାଶ ହୁଏ ଚାଷୀ। ମିଲର୍ସଙ୍କ ମନମାନୀ ଯୋଗୁଁ ମଣ୍ଡି ଖୋଲେନାହିଁ। ଖୋଲିଲେ ବି ଚାଲେ ଦାଦାଗିରି। ମୂଲଚାଲ କରି ଏମ୍‌ଏସ୍‌ପି ଦରଠାରୁ ଖୁବ୍‌ କମ ଟଙ୍କାରେ ଚାଷୀଙ୍କଠାରୁ କପା କିଣନ୍ତି ମିଲର୍ସ।

ନିୟମ ମୁତାବକ ମଣ୍ଡିରେ ସି.ସି.ଆଇ. କପା କିଣିବା କଥା। କିନ୍ତୁ ସବୁ ବର୍ଷ ଭଳି ଏ ବର୍ଷ ବି ଚାଲିଛି ମିଲର୍ସଙ୍କ ମନମାନୀ। ପ୍ରାଶାସନିକ ପ୍ରତିବନ୍ଧକ ବି ନାହିଁ। ମଣ୍ଡିଗୁଡ଼ିକରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ.ଏସ.ପି.ରେ କପା କିଣାବିକା ହେବା କଥା। ଆଉ ଏମ.ଏସ.ପି. ଅନୁସାରେ ଏଥର ଚାଷୀଙ୍କଠାରୁ କଟନ କର୍ପୋରେସନ ଅଫ ଇଣ୍ଡିଆ ବା ସିସିଆଇ କପା କିଣିବାକୁ ଚୁକ୍ତି କରିଛି। ତେଣୁ ଚାଷୀଙ୍କ ସହିତ ମିଲର୍ସ କୌଣସି ମୂଲଚାଲ କରିପାରିବ ନାହିଁ। ଆର.ଏମ.ସି. ଜରିଆରେ କପା କିଣାଯାଇ ମିଲକୁ ଜିନିଂ ପାଇଁ ଦିଆଯିବ।

ବଲାଙ୍ଗୀର ଜିଲ୍ଲାରେ କିନ୍ତୁ ସବୁ କିଛି ଓଲଟା ନିୟମ ଚାଲିଛି। ନାଁକୁ ମାତ୍ର ମଣ୍ଡି ଖୋଲୁଛି। ମଣ୍ଡିକୁ ଚାଷୀ ଯଦି କପା ନେଇ ଯିବେ ତାହେଲେ ଚାରିରୁ ପାଞ୍ଚ ଦିନ ଯାଏ ତାଙ୍କୁ ମଣ୍ଡି ବାହାରେ ଅଟକ ରଖାଯାଉଛି। ଶୀତ ଦିନରେ ଚାଷୀ ବିଚରା ନିଜ କଷ୍ଟ ଉପାର୍ଜିତ କପାକୁ ଜଗି ରହୁଛି। ଶେଷରେ ନିରାଶ ହୋଇ ମିଲର୍ସ ପାଖକୁ ଯାଇ କମ ଦରରେ କପାକୁ ବିକ୍ରି କରୁଛି।

Image Courtesy of Autostock Photo

ପାଟଣାଗଡ଼ ଆକାଶ ଜିନିଂ ମିଲ, ମାଁ ମନସାମାତା କଟନ ମିଲ ନାଁରେ ଆସିଛି ସଂଗିନ ଅଭିଯୋଗ। ଏହି ଦୁଇ ମିଲର୍ସ ମଣ୍ଡିର କର୍ମଚାରୀଙ୍କ ସହିତ ଫିକ୍ସିଂ କରି ସିଧା ଚାଷୀଙ୍କ କପା ମିଲକୁ ଆଣି ମୂଲଚାଲ କରୁଥିବା ଚାଷୀମାନେ କହିଛନ୍ତି। ଗତ ନଭେମ୍ବର ୧୬ ତାରିଖରୁ ଜିଲ୍ଲାରେ ୪ଟି କପା କିଣିବାକୁ ମଣ୍ଡି ଖୋଲିଥିବା ବେଳେ ମିଲର୍ସଙ୍କ ଧମକଚମକରେ ମିଲ ଭିତରେ କପା କିଣାର କାରବାର ସବୁ ଚାଲିଛି। ଏମଏସପି ଦର ଏଥର ୫ହଜାର ୮୨୫ ଟଙ୍କା। କିନ୍ତୁ ଚାଷୀଙ୍କ କହିବା ହେଲା ତାଙ୍କ କପାକୁ ସେମାନେ ୩୫୦୦ରୁ ୪୫୦୦ ଟଙ୍କା ଭିତରେ ବିକ୍ରି କରୁଛନ୍ତି। ମିଲର୍ସ ସେହି ଦରରେ ସେମାନଙ୍କ ପାଖରୁ କପା ନେଉଥିବା କହୁଛନ୍ତି। ଖୋଲାଖୋଲି ଚାଷୀ ଅଭିଯୋଗ କରୁଥିଲେ ବି ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।

ପୂରା ପ୍ରକ୍ରିୟାକୁ ଦେଖିଲେ ଚାଷୀଙ୍କୁ ନାନା ଉପାୟରେ ମିଲର୍ସ ଲୁଟୁଛନ୍ତି। ଚାଷୀଙ୍କ ଅସହାୟତାର ସୁଯୋଗ ନେଇ ମିଲର୍ସ ଗାଁକୁ ଗାଁ ଦଲାଲ ପଠାଉଛନ୍ତି। ମୂଲଚାଲ କରି ଅତି କମ ଟଙ୍କାରେ କପା କିଣୁଛନ୍ତି। ଚାଷ ଆରମ୍ଭରୁ ଦଲାଲମାନେ ବିହନ ଓ ସାର ଦେଇ ନିଜେ କମ ଦରରେ କପା ନେବାକୁ ଚୁକ୍ତି କରିଥାନ୍ତି। କେବଳ ସେତିକି ନୁହଁ, ଦଲାଲଙ୍କ ନାଁରେ ମିଛ ରେଜିଷ୍ଟ୍ରେସନ କରାଯାଇ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥାଏ। ଆଉ ଏସବୁରେ ସଲାସୁତୁରା କରିଥାନ୍ତି କପା କିଣୁଥିବା ସିସିଆଇ ଓ ମଣ୍ଡି ଦାୟିତ୍ୱରେ ଥିବା ଆରଏମସି କର୍ମଚାରୀ।

କୃଷି ବିଭାଗର କହିବାନୁସାରେ, ଏଥର ବଲାଙ୍ଗୀର ଜିଲ୍ଲଳାର ୫୦ହଜାର ୩୩ହେକ୍ଟର ଜମିରେ କପା ଚାଷ ହୋଇଛି। ୭ଲକ୍ଷ ୪୮ହଜାର କୁଇଣ୍ଟାଲ କପା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ମିଲର୍ସଙ୍କ ଯୋଗୁଁ ଏବେ କପା ଚାଷୀ ସବୁ ଶୋଷିତ ହେଉଛନ୍ତି। ମଣ୍ଡି ଖୋଲିଥିଲେ ବି ପ୍ରଶାସନ କିଣା କାରବାରକୁ ଅଣଦେଖା କରିଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ଜଣାପଡ଼ିଛି। ଏଠି ବିଭାଗୀୟ ବାବୁ ନିଦାବିଷ୍ଣୁ ହୋଇ ବସିଛନ୍ତି। କୃଷି ଅଧିକାରୀ ନିଜେ ସବୁ କଥା ଜାଣୁଥିଲେ ବି ନିରବ କଣ ପାଇଁ ତାକୁ ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧିତ ଖବର