କଳାପଥର କେଳେଙ୍କାରୀ: ବିଧାନସଭାକୁ ବି ଭୁତାଇଲେ

ତଦନ୍ତକୁ ପ୍ରଶାସନ ଲୁଚାଉଛି କାହିଁକି?

ଯାଜପୁର : ଯାଜପୁର ଜିଲ୍ଲାରେ ବେଆଇନ ଲଘୁଖଣିଜ କାରବାର ଯୋଗୁଁ ପାହାଡ଼ଗୁଡ଼ିକ ଧ୍ବଂସ ହେବାରେ ଲାଗିଛି। ଅନୁମତିଠାରୁ ଶହେ ଗୁଣ ଅଧିକ ବେଆଇନ ଖନନ ହୋଇଥିବା ଧରାପଡ଼ିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଆଇନ୍‌ର ଗଳାବାଟ ଦେଇ କୋଟିପତି ଖାଦାନ ମାଲିକମାନେ ଖସିଯାଉଥିବା ବେଳେ ତହସିଲଗୁଡ଼ିକ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏପରିକି ସରକାର ଓ ବିଧାନସଭାକୁ ଭୁତାଇବାକୁ ପଛାଉନାହିଁ ପ୍ରଶାସନ। ବିଭିନ୍ନ ସୈରାତରେ ଅନୁମତି ଠାରୁ ଅଧିକ ଖନନ ନେଇ ତଦନ୍ତରୁ ଧରାପଡ଼ିବା ଘଟଣା ଜିଲ୍ଲା ପ୍ରଶାସନ ଜାଣିଥିଲେ ହେଁ ଜିଲ୍ଲାର ବିଧାୟକ ତଥା ରାଜସ୍ବ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି। ବିଧାନସଭାରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମାତ୍ରାଧିକ ଖନନର ଆକଳନ କରାଯାଇନାହିଁ ବୋଲି ଉତ୍ତର ରଖିଛନ୍ତି।

ବିଜେପି ବିଧାୟକ ଶ୍ରୀ ସେଠୀ ଯାଜପୁର ଜ‌ିଲ୍ଲାରେ ‌କେଉଁ କେଉଁ ପାହାଡ଼ରୁ କେତେ ପରିମାଣ ଖନନ ପାଇଁ ଅନୁମତି ଦିଆଯାଇଛି ଏବଂ ପରିବେଶ ଓ ଜଳବାୟୁ ସନ୍ତୁଳନ ରକ୍ଷାପାଇଁ ସରକାର ଖନନ ପ୍ରକ୍ରିୟା ବନ୍ଦ କରିବାକୁ ପଦକ୍ଷେପ ନେବେ ‌କି ବୋଲି ପ୍ରଶ୍ନ କରିଥିଲେ। ବିଧାୟକ ଶ୍ରୀ ସେଠୀଙ୍କ ପ୍ରଶ୍ନର ଉତ୍ତରଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଜିଲ୍ଲା କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ଧର୍ମଶାଳା ତହସିଲ ଅଧୀନରେ ଥିବା ଡଙ୍କାରୀ, ରାହାଡ଼ପୁର, ବିଛାଖଣ୍ଡି, ଆରୁହା, ବାଜବାଟି, ମୁକୁନ୍ଦପୁର, ସାହାଣୀଡିହ, ବରଡ଼ା ଓ ଲୁଣିବର ପାହାଡ଼ ଓ ଦର୍ପଣ ତହସିଲର ମାଣ୍ଡୁକା ପାହାଡ଼ରେ ଖନନ କରାଯାଇଛି। ଖଣି ନିୟମ ଅନୁଯାୟୀ ଆରୁହା ପାହାଡ଼ରୁ ୪୮,୨୫୫ ଘନମିଟର, ବାଜବାଟିରୁ ୧,୭୭,୩୨୪ଘନମିଟର, ବିଛାଖଣ୍ଡିରୁ ୧୧,୭୭,୩୫୯ ଘନମିଟର, ଅଞ୍ଜିରାରୁ ୫,୯୨,୭୮୯ଘନମିଟର, ଡଙ୍କାରୀରୁ ୨,୩୦,୧୩୫ ଘନମିଟର, ରାହାଡ଼ପୁରରୁ ୪,୪୮,୮୮୮ଘନମିଟର, ମୁକୁନ୍ଦପୁର, ସାହାଣୀଡିହ, ବରଡ଼ା ରୁ ୩,୫୭,୮୩୪ଘନମିଟର, ଲୁଣିବରରରୁ ୧,୪୨,୯୩୩ଘନମିଟର କଳାପଥର ଏବଂ ମାଣ୍ଡୁକାରୁ ୩୨,୭୨୧ଘନମିଟର ମୋରମ ଖନନ ପାଇଁ ଅନୁମତି ଦିଆଯାଇଛି। ମାତ୍ର ଏହି ପାହାଡ଼ରେ କେତେ ଖନନ ହୋଇଛି, ତାହାର ନିର୍ଦ୍ଦିଷ୍ଟ ଭାବେ ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଉତ୍ତରରେ କହିଛନ୍ତି। ପରିବେଶ ଓ ଜଳବାୟୁ ସନ୍ତୁଳନ ରକ୍ଷା କରି ଆବଶ୍ୟକ ଅନୁମତି ପ୍ରଦାନ କରାଯାଇଛି ବୋଲି ଦର୍ଶାଯାଇଛି।

ମାତ୍ର ଏଠାରେ ଅତ୍ୟଧିକ ଖନନ ଅଭିଯୋଗକୁ ଭିତ୍ତିକରି ୨ମାସ ତଳେ ମେ ୩୧ତାରିଖରେ ସରୋଜ ରାଉତ (ଗେଡ଼)ଙ୍କ ଖାଦାନକୁ ଡ୍ରୋନ କ୍ୟାମେରା ସହଯୋଗରେ ଜିଲ୍ଲା ପ୍ରଶାସନ ମାପଚୁପ କରିଥିଲେ। ସେହିପରି ଡଙ୍କାରୀରେ ରଞ୍ଜନ ଜେନା, ସାବିତ୍ରୀ ପରିଡ଼ା ଓ ଚନ୍ଦ୍ରମଣି ପରିଡ଼ାଙ୍କ କଳାପଥର ଖାଦାନ ମାପଚୁପ ହୋଇଛି। ଏହି ତଦନ୍ତରେ ଅତ୍ୟଧିକ ଖନନ ହୋଇଥିବା ଧରାପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହି ତଦନ୍ତ ରିପୋର୍ଟ ପ୍ରକାଶ କରାଯାଉନାହିଁ। କେଉଁ ଲିଜଧାରୀ କେତେ ଜୋରିମାନା ଦେବେ, ତାହା ମଧ୍ୟ ପ୍ରକାଶ କରାଯାଉନି। ଏହି ତଥ୍ୟକୁ ମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଲୁଚାଉଛନ୍ତି କାହିଁକି? ଯେଉଁଥିପାଇଁ ବିଧାନସଭାରେ ଭୁଲ୍‌ ତଥ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି ମନ୍ତ୍ରୀ ।

ସମ୍ବନ୍ଧିତ ଖବର