ନିଶାଦ୍ରବ୍ୟ କାରବାରରେ କଳାଧନ, ଏସ୍‌ଆଇଟି ବୈଠକରେ ଉଦ୍‌ବେଗ ପ୍ରକାଶ

ଅର୍ଚ୍ଚନା ନାଗ ମାମଲା ସମ୍ପର୍କରେ ବି ଆଲୋଚନା

କଟକ : ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ବୈଠକ ଶନିବାର ଦିନ କଟକରେ ଅନୁଷ୍ଠିତ ହୋଇଛି। ବୈଠକରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ କଳାଟଙ୍କା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ଓ ଜବତ କରାଯାଇଥିବା ବେଆଇନ ସମ୍ପତ୍ତି ପ୍ରସଙ୍ଗରେ ବୈଠକରେ ତଦନ୍ତକାରୀ ଏଜେନ୍ସି ଅବଗତ କରିଛନ୍ତି।

ଶନିବାର ଦିନ ଏସ୍‌ଆଇଟି ବୈଠକରେ ନିଶା କାରବାରରେ କଳାଟଙ୍କା ପ୍ରସଙ୍ଗରେ ବିଶେଷଭାବେ ଆଲୋଚନା ହୋଇଛି। ଶନିବାର ଦିନ ଏସ୍‌ଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ ଏବେ ନିଶା କାରବାରରେ କଳାଟଙ୍କା ଉଦ୍‌ବେଗର କାରଣ ହୋଇଛି। ନିଶାକାରବାର ସର୍ବଭାରତୀୟ ସ୍ତରର ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଯେଉଁ ପରିମାଣର ନିଶାଦ୍ରବ୍ୟ ଜବତ ହେଉଛି, ତାହା ବି ଚିନ୍ତାଜନକ। ଏତେ ବେଶି ପରିମାଣର ନିଶାଦ୍ରବ୍ୟ ଜବତ ହେବ ବୋଲି ପୂର୍ବରୁ କେହି ଆଶା କରୁ ନଥିଲେ। ଯେଉଁଠି ବି ନିଶାଦ୍ରବ୍ୟ ଧରାପଡ଼ୁଛି, ତାହା ବିପୁଳ ପରିମାଣର। ଓଡ଼ିଶା‌ରେ ଗଞ୍ଜେଇ ବେଶି ପରିମାଣର ଜବତ ହେଉଛି। ଦେଶର ଅନ୍ୟ ସ୍ଥାନରେ ବିପୁଳ ପରିମାଣର ଅନ୍ୟ ନିଶାଦ୍ରବ୍ୟ ଯଥା ବ୍ରାଉନସୁଗାର, ‌ହେରୋଇନ ଧରାହେଉଛି। ଏଭଳି ନିଶା କାରବାର ଏବେ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ପାଇଁ ଏକ ପ୍ରମୁଖ ଆହ୍ବାନ ହୋଇଛି।

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ଉତ୍ତରରେ ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ କହିଛନ୍ତି ଯେ ଅଦାଲତରେ ଏହି ମାମଲା ବିଚାରାଧୀନ ରହିଛି। ଏବେ ତଦନ୍ତ ଚାଲିଛି। ମାମଲାର ଅଗ୍ରଗତି ନେଇ ଆଜି ଅବଗତ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। କଳାଧନ ଠାବ ବେଳେ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ବୟ ରକ୍ଷା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଖୁବ୍‌ଶୀଘ୍ର ଏସ୍‌ଆଇଟି ସୁପ୍ରିମକୋର୍ଟରେ ପରବର୍ତ୍ତୀ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି।

ଏସ୍‌ଆଇଟି ଉପାଧୢକ୍ଷ ଜଷ୍ଟିସ୍‌ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସଙ୍ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ସମଗ୍ର ଦେଶରେ ଏଯାବତ ବିଭିନ୍ନ ବିଭାଗ ପକ୍ଷରୁ ଠାବ କରାଯାଇଥିବା କଳାଧନ ସ˚ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ନିଶା କାରବାରରେ କଳାଟଙ୍କା, ଜିଏସଟି ଠକେଇ ଓ ବେନାମି କାରବାର ପ୍ରସଙ୍ଗ ସହିତ ବିଭିନ୍ନ ବ୍ୟାଙ୍କ୍‌ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯାଇଥିଲା। କଳାଧନର ଉତ୍ସ ଉପରେ ବିଶେଷଭାବେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ସିବିଡିଟି ଅଧ୍ୟକ୍ଷ ନିତିନ ଗୁପ୍ତା, ଇଡିର ନିର୍ଦ୍ଦେଶକ, ରାଜ୍ୟ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, ସେଣ୍ଟ୍ରାଲ ଏକ୍ସାଇଜ ଆଣ୍ଡ କଷ୍ଟମ୍ସ, ଜିଏସଟି, ରାଜ୍ୟ ପୁଲିସ ଓ ଅନ୍ୟ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର