ରାଉରକେଲା: ରାଉରକେଲାରେ ବ୍ୟାପିଥିବା ହଇଜାର କାରଣ ଦୂଷିତ ଜଳ ବୋଲି ପ୍ରଚାର ହେବାପରେ ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ଗୁରୁବାର ରାତିରେ ଶକ୍ତିନଗର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଲାଗିଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‌’ ହୋର୍ଡିଂ ବୋର୍ଡରେ କାଳିବୋଳି ଲୋକେ ସରକାରୀ ଅବହେଳାର ପ୍ରତିବାଦ କରିଛନ୍ତି। ବୋର୍ଡରେ ଥିବା ପାଣି ଟ୍ୟାପ୍‌ ଚିତ୍ର, ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ଲେଖାକୁ କାଳିରେ କାଟିଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଉପରେ ମଧ୍ୟ କାଳି ବୋଳି ଦେଇଥିଲେ। କୌଣସି ରାଜନୈତିକ ଦଳ ନା ସ୍ଥାନୀୟ ବସ୍ତିବାସିନ୍ଦା ଏପରି କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

Advertisment

ଶୁକ୍ରବାର ସକାଳେ ବୋର୍ଡରେ କାଳି ବୋଳାଯାଇଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ ସୂଚନା ଦେଇଥିଲେ। ଆର୍‌ଏମ୍‌ସି ଅଧିକାରୀ ଏ ସଂକ୍ରାନ୍ତରେ ୱାଟ୍‌କୋ ଅଫିସକୁ ଖବର ଦେଇଥିଲେ। ୱାଟ୍‌କୋର କର୍ମଚାରୀ ପହଞ୍ଚି ବୋର୍ଡରେ ବୋଳା ଯାଇଥିବା କାଳିକୁ ପୋଛି ସଫା କରିଛନ୍ତି। ଏ ସମ୍ପର୍କରେ ସେକ୍ଟର-୩ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ କହିଛି। ୱାଟ୍‌କୋ ପକ୍ଷରୁ ଗୋଳିଆ ପାଣି ଯୋଗାଇ ଦିଆ ଯାଉଥିବାରୁ ବସ୍ତିର ଯୁବକମାନେ କ୍ରୋଧାନ୍ବିତ ହୋଇ ଏହା କରିଥିବା ସ୍ଥାନୀୟ ଅଞ୍ଚଳର ଆଲୋଚନା ହେଉଛି। ଆଉ କିଛି ଲୋକ ଏହା ବିରୋଧୀ ଦଳର କାମ ବୋଲି କହୁଛନ୍ତି। ତେବେ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ବୋର୍ଡରେ କାଳିବୋଳା ଘଟଣାରେ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।