କଟକ ସହରରେ କଳା ପଲସର୍‌ ଲୁଟେରା ଗ୍ୟାଙ୍ଗ୍‌ର ଉତ୍ପାତ : ଇ˚ଜିନିୟର, ପତ୍ନୀଙ୍କୁ ଗୋଡ଼ାଇ ହାଣିଲେ

୪୮ ଘଣ୍ଟାରେ ୫ ଜଣଙ୍କୁ ଆକ୍ରମଣ

କଟକ/ସିଡିଏ : କଟକ ସହରରେ ଗୋଟିଏ ବର୍ଷ ବ୍ୟବଧାନ ପରେ ପୁଣି ଉତ୍ପାତ ଆରମ୍ଭ କରିଛନ୍ତି ଲୁଟେରା ଦଳ। ଆଜି ସକାଳୁ ସିଡିଏ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଜଣେ ସଫ୍ଟଓୟାର‌ ଇ˚ଜିନିୟର ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଗୋଡ଼ାଇ ହାଣିଛନ୍ତି ୩ ଜଣିଆ ଲୁଟେରା ଦଳ। ଉଭୟଙ୍କ ନିକଟରୁ ପ୍ରାୟ ୧ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସମାନ ଶୈଳୀରେ ସେକ୍ଟର ୭ରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ପତ୍ନୀଙ୍କୁ ବି ଛୁରୀ, ଭୁଜାଲିରେ ହାଣି ସୁନା ଅଳଙ୍କାର ଲୁଟିନେଇଛନ୍ତି। ଗଲା ୪୮ ଘଣ୍ଟା ମଧ୍ୟରେ ସହରରେ ୫ ଜଣ ମହିଳା ଲୁଟେରାଙ୍କ ହାବୁଡ଼ରେ ପଡ଼ିଛନ୍ତି। ନିର୍ଦ୍ଦିଷ୍ଟ ଗୋଟିଏ କଳା ର˚ଗର ପଲସର‌୍‌ ୨୨୦(ଓଆର‌୍‌ ୦୨ ଜେଡ୍‌ ୫୩୯୧) ଗାଡ଼ି ସହର ସାରା ଘୁରି ବୁଲି ଏଭଳି ଉତ୍ପାତ କରୁଥିବାରୁ ସହରରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ ପୁଣେରେ ସଫ୍ଟୱୟାର ଇ˚ଜିନିୟର ଥିବା ହରେକୃଷ୍ଣ ପରିଡ଼ା ତାଙ୍କ ସ୍ତ୍ରୀ ପ୍ରଜ୍ଞା ସରସ୍ବତୀଙ୍କ ସହିତ କଟକ ସିଡିଏ ସେକ୍ଟର ୧୦ସ୍ଥିତ ଶ୍ବଶୁର ଘରକୁ ଆସିଥିଲେ। ଆଜି ସକାଳ ପ୍ରାୟ ୭ଟା ୪୦ ବେଳେ ବିଜୁ ପଟ୍ଟନାୟକ ପାର୍କରୁ ଚାଲିଚାଲି ସେମାନେ ଘରକୁ ଫେରୁଥିଲେ। ସେକ୍ଟର ୧୦ ଫୁଟବଲ ପଡ଼ିଆ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର‌ ବାଇକ୍‌ରେ ଆସି ଏହି ଦମ୍ପତିଙ୍କ ନିକଟରେ ପହଞ୍ଚିଥିଲେ। ଜଣେ ଦୁର୍ବୃତ୍ତ ପ୍ରଥମେ ପ୍ରଜ୍ଞାଙ୍କ ବେକରେ ଭୁଜାଲି ଲଗାଇଥିଲେ। ଆଉ ଜଣେ ହରେକୃଷ୍ଣଙ୍କ ବେକରେ ଭୁଜାଲି ଲଗାଇବାରୁ ସେ ଭୟରେ ଦୌଡ଼ିଥିଲେ। ଭୁଜାଲି ଓ କଟୁରିରେ ଦୁର୍ବୃତ୍ତମାନେ ହରେକୃଷ୍ଣଙ୍କ ବାମ ହାତ ଓ ଗୋଡ଼କୁ ଗୋଡ଼ାଇ ଗୋଡ଼ାଇ ରାସ୍ତାରେ ହାଣିଥିଲେ। ପ୍ରଜ୍ଞା ବି ଦୁର୍ବୃତ୍ତଙ୍କ ଆକ୍ରମଣରେ ତଳେ ପଡ଼ି ଆହତ ହୋଇଥିଲେ। ଦମ୍ପତିଙ୍କ ନିକଟରୁ ଲୁଟେରା ଦଳ ଦୁଇଟି ସୁନା ଚେନ୍‌, ଗୋଟିଏ ଲକେଟ୍‌, ହଳେ କାନଫୁଲ ଲୁଟି ନେଇଥିଲେ। ଲୁଟ୍‌ ଅଳଙ୍କାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ହରେକୃଷ୍ଣ ଗୁରୁତର ଆହତ ଅବସ୍ଥାରେ ବାଲିକୁଦାସ୍ଥିତ ଏକ ଘରୋଇ ହସପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହି ଲୁଟେରାଙ୍କ ମୁହଁ ସମ୍ପୂର୍ଣ୍ଣ ଖୋଲା ଥିଲା। ସେମାନେ ହେଲମେଟ୍‌ ପିନ୍ଧି ନଥିଲେ ଏବଂ ସେମାନଙ୍କ ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି କୁହାଯାଉଛି।

ସେହିଭଳି ଗତକାଲି ସିଏମସି ଟ୍ୟାକ୍ସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିବା ମଧୁପାଟଣା ରାଜେନ୍ଦ୍ର ନଗର ଅଞ୍ଚଳର ଜଣେ ୫୭ ବର୍ଷୀୟ ମହିଳା ଉଷାରାଣୀ ବିଶ୍ବାଳ ଲୁଟ୍‌ର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର