ବ୍ଲାକ୍ ରୋଜ୍ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ : ପାରାଦୀପ ସମୁଦ୍ରରେ ବ୍ଲାକ୍‌ ରୋଜ୍‌ ବୁଡ଼ିବା ଘଟଣାର ଉପଯୁକ୍ତ ତଦନ୍ତ ପ୍ରସଂଗ ନେଇ ୨୦୧୪ରୁ ବିଚାରାଧୀନ ଥିବା ମାମଲାର ଶୁଣାଣିରେ ସୋମବାର ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସର୍ବେଶ୍ବର ବେଉରାଙ୍କ ଜନସ୍ବାର୍ଥ ଆବେଦନର ଆଜି ଶୁଣାଣି ହୋଇଥିଲା। ମୂଳରୁ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ସିନିୟର୍‌ ପ୍ୟାନେଲ୍‌ କାଉନସେଲ୍‌ ଭାବେ ନିଯୁକ୍ତି ପାଇଥିବାରୁ ସେ ମାମଲା ପରିଚାଳନାରୁ ଓହରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଆଉ ଜଣେ ଆଇନଜୀବୀଙ୍କୁ ମାମଲା ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ବ୍ଲାକ୍ ରୋଜ୍ ବୁଡ଼ିବା ଘଟଣା ୨୦୦୯ର ହୋଇଥିବା ବେଳେ ଏହି ଆବେଦନ ୨୦୧୪ରୁ ହାଇକୋର୍ଟରେ ବିଚାରାଧୀନ ରହିଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ଆବେଦନକାରୀ ଚାହିଁଲେ ସାନି ଆବେଦନ ଦାୟର କରିବେ ବୋଲି କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୯ରେ ବ୍ଲାକ୍ ରୋଜ ଜାହାଜ ବୁଡ଼ି ଘଟଣାକୁ ନେଇ ପାରାଦୀପ ପୋର୍ଟ ପକ୍ଷରୁ ଏତଲା ଦିଆଯାଇଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଥିଲା। ଜାହାଜର ବୀମା ନଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ପାରାଦୀପ ପୋର୍ଟ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ କରାଯାଇଥିଲା। ଆବେଦନକାରୀ ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟ ଅନୁସାରେ ପାରାଦୀପ ପୋର୍ଟ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜାହାଜରେ ଅଧିକ ପରିମାଣର ଖଣିଜ ଦ୍ରବ୍ୟ ବୋଝେଇ ଯୋଗୁଁ ଏଭଳି ଘଟଣା ଘଟିଥିଲା। ଏହି ଘଟଣା ସମ୍ପର୍କରେ କେହି ପ୍ରକୃତ ତଥ୍ୟ ଯୋଗାଡ଼ କରିବାକୁ ସକ୍ଷମ ହୋଇନାହାନ୍ତି। ଘଟଣାର କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ତଦନ୍ତ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହାପ‌ରେ ବ୍ଲାକ୍ ରୋଜ୍ ବୁଡ଼ିବା ଘଟଣାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବ୍ଲାକ୍ ରୋଜ୍ ଜାହାଜ ବୁଡ଼ିରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଥିଲା। ବ୍ଲାକ୍‌ ରୋଜ୍‌ ପାଇଁ ବନ୍ଦର ପ୍ରଶାସନ ୧୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି ବୋଲି କୁହାଯାଉଛି। ଏହି ଘଟଣାକୁ ପରବର୍ତ୍ତୀ ସମୟରେ ସିବିଆଇ ମଧ୍ୟ ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର