ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ମେଲାନିଷ୍ଟିକ୍‌ ଟାଇଗର (କଳା ବାଘ) ସଫାରି ଆଉ ପାଦେ ଆଗେଇଛି। ବିଶ୍ବର ପ୍ରଥମ ମେଲାନିଷ୍ଟିକ୍‌ ଟାଇଗର ସଫାରିକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କ ଅନୁମତି ମିଳିସାରିଛି। ଏଥିସହ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ଙ୍କ ଦ୍ବାରା ପ୍ରକଳ୍ପର ଡିଜାଇନ୍‌ ଅନୁମୋଦିତ ହୋଇଛି। ଏବେ କେବଳ ସିଜେଡ୍‌ଏର ଚୂଡ଼ାନ୍ତ ମୋହର ବାଜିବାକୁ ବାକି ରହିଛି। ଗୋଟିଏ ପଟେ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ଥିବା ବେଳେ ଅନ୍ୟପଟେ କଳା ବାଘ ସଫାରିରେ ବାଘ ଛାଡ଼ିବାକୁ ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି କଳା ବାଘଙ୍କୁ ଏହି ସଫାରିରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି।

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୩ଟି କଳା ବାଘଙ୍କୁ ମେଲାନିଷ୍ଟିକ୍‌ ଟାଇଗର ସଫାରିକୁ ଯିବେ। ଏହାବ୍ୟତୀତ ଚଳିତ ମାସରେ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନ ଆସିଥିବା‌ ଦୁଇଟି ବାଘୁଣୀକୁ ସେଠାକୁ ପଠାଯିବ। କଳା ବାଘ ଓ ବା‌ଘୁଣୀଙ୍କ ମିଳନ କରାଯାଇ ମେଲାନିଷ୍ଟିକ୍‌ ଟାଇଗର ସଫାରିକୁ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ପର୍ଯ୍ୟଟନ ଋତୁ ଅର୍ଥାତ୍‌ ଅକ୍ଟୋବର ମାସ ବେଳକୁ ଏହି ସଫାରି ଖୋଲିବାକୁ ବନ ବିଭାଗ ଲକ୍ଷ୍ୟ ରଖିଥିଲା। ତେବେ ବିଭିନ୍ନ କାରଣ ଯୋଗୁଁ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି। ତଥାପି ୨୦୨୫ ଜାନୁଆରିରେ ଏହି ସଫାରି କାର୍ଯ୍ୟ ଶେଷ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ‌ଲକ୍ଷ୍ୟ ରଖିଛି।
ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟରେ ୨୦୦ ହେକ୍ଟର ଅଞ୍ଚଳରେ ଏହି ସଫାରିର ବିକାଶ କରାଯାଉଛି। ଜାତୀୟ ରାଜପଥ-୧୮ ନିକଟରେ ଚିହ୍ନଟ ହୋଇଥିବା ୨୦୦ ହେକ୍ଟର ମଧ୍ୟରୁ ୧୦୦ ହେକ୍ଟର ଅଞ୍ଚଳରେ ବାଘଙ୍କୁ ରଖାଯିବ। ବାକି ଅଞ୍ଚଳକୁ ପ୍ରାଣୀ ଚିକିତ୍ସା ସୁବିଧା କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଯେଉଁଥିରେ ଉଦ୍ଧାର କେନ୍ଦ୍ର, କର୍ମଚାରୀଙ୍କ ଭିତ୍ତିଭୂମି ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ୧୫ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳରେ ବାଘଗୁଡ଼ିକୁ ଖୋଲା ରଖାଯିବ। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସୁଥିବା ମହାବଳ ଏବଂ ଜଙ୍ଗଲରେ ରହିବାକୁ ଯୋଗ୍ୟ ନ ଥିବା ଏବଂ ପ୍ରଦର୍ଶନୀ ପାଇଁ ଯୋଗ୍ୟ ଥିବା ବାଘଗୁଡ଼ିକୁ ସଫାରିର ଖୋଲା ଏନ୍‌କ୍ଲୋଜରରେ ରଖାଯିବ।

ଓଡ଼ିଶାରେ ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସାହିତ କରିବାରେ ଏହି ସଫାରି ବେଶ୍‌ ସହାୟକ ହେବ। ଏଭଳି ପଦକ୍ଷେପ ଦ୍ବାରା ପରିବେଶବିତ୍‌, ଗବେଷକ, ବନ୍ୟପ୍ରାଣୀ କ୍ଷେତ୍ରରେ ଉତ୍ସାହିତ ବ୍ୟକ୍ତି ଓ ସାଧାରଣ ଲୋକେ କଳା ବାଘଙ୍କୁ ନିକଟରୁ ଦେଖିବା ସହ ସେମାନଙ୍କ ସଂରକ୍ଷଣ ସମ୍ପର୍କରେ ଜାଣିପାରିବେ। ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସଫାରି ଭ୍ରମଣ କରିପାରିବେ। ସାରା ବିଶ୍ବରେ ଶିମିଳିପାଳ ଏକମାତ୍ର ଅଭୟାରଣ୍ୟ, ଯେଉଁଠାରେ କଳାବାଘ ଦୃଶ୍ୟମାନ ହୋଇଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ପକ୍ଷରୁ ୨୦୨୨ରେ ପ୍ରକାଶିତ ବ୍ୟାଘ୍ର ଗଣନା ରିପୋର୍ଟରେ ଶିମିଳିପାଳରେ କେବଳ ମେଲାନିଷ୍ଟିକ୍‌ ଟାଇଗର ଚିହ୍ନଟ ହୋଇଥିଲା। ଶିମିଳିପାଳରେ ଏବେ ୧୦ରୁ ଅଧିକ କଳାବାଘ ରହିଥିବା ନେଇ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସୂଚନା ଦେଇଛି।