ଚଣ୍ଡିଖୋଲ: ବଡ଼ଚଣା ଛକଠାରୁ ହୋଟେଲ ରାଜପଥ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥର ମାତ୍ର ଅଧ କିଲୋମିଟର ରାସ୍ତାଟି ଏବେ ଦୁର୍ଘଟଣା ସ୍ପଟ୍ ପାଲଟିଛି। ଗତ ତିନି ମାସରେ ଏହି ଜାଗାରେ ୧୮ ଟି ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଛି।
କିଛିଦିନ ପୂର୍ବରୁ ଏହି ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଆମ୍ବୁଲାନ୍ସ ଚାଳକ ସମେତ ଜଣେ ମହିଳା ରୋଗୀ ଓ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିଲା। ଗତ ଏପ୍ରିଲ ମାସରେ ଜଣେ ନର୍ସ ଏକ ସ୍କୁଟରରେ ଭୁବନେଶ୍ୱର ଯାଉଥିବାବେଳେ ଠିଆ ହୋଇଥିବା ଏକ ଟ୍ରକ ପଛରେ ପିଟି ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ରାସ୍ତାର ଗଣ୍ଠି ଛକଠାରେ ଗତ ୭ ତାରିଖ ବିଳମ୍ବିତ ରାତିରେ ବାରିପଦା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଯାଇଥିଲା। ଏଥିରେ ୧୫ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିଲେ। ସେହିପରି ଆଜି ସକାଳେ ବଡ଼ଚଣା ଗଳିପୋଲ ଉପରେ ଏକ ଟ୍ରକ ଅନ୍ୟ ଏକ ଟ୍ରକ ପଛରେ ଧକ୍କା ହେବାରୁ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାରୁ ଏହି ସ୍ଥାନକୁ ଲୋକେ ବ୍ଲାକ ସ୍ପଟ୍ କହିବା ଆରମ୍ଭ କଲେଣି। ଦୁର୍ଘଟଣା ରୋକିବା ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସମିତି ସଭ୍ୟ ମଧୁସୂଦନ ବଳଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।