କୋଟିଆରେ କଳାଶ୍ରୀମୁଖ

କୋରାପୁଟ: ପୁରୀଠାରୁ ଶହଶହ କୋଶ ଦୂରରେ ଆଦିବାସୀଙ୍କ ଗହଣରେ ତଥା ଆନ୍ଧ୍ରପ୍ରଦେଶ ସୀମାରେ ପୂଜା ପାଉଛନ୍ତି କାଳିଆ ଠାକୁର। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୦୨୪ ମିଟର (୩୩୬୦ ଫୁଟ୍‌) ଉଚ୍ଚରେ ରହିଛି ଏହି ଶ୍ରୀମନ୍ଦିର। ଏଠାକାର ପୂଜାପଦ୍ଧତିରେ ରହିଛି ଭିନ୍ନତା, ଘୋଷଯାତ୍ରାରେ ବି ରହିଛି ସ୍ବତନ୍ତ୍ରତା। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକକୁ ସବୁଜିମାରେ ଭରି ଦେଇଛି ପ୍ରକୃତି। ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ତଥା ମୁକୁଟ ସଦୃଶ ଦେଓମାଳୀ ଏଠାରେ ଦଣ୍ଡାୟମାନ ହୋଇଥିବା ବେଳେ ସେଠାରୁ ଅଳ୍ପ କିଛି ମାଇଲ୍‌ ଦୂରରେ ରହିଛି କୋଟିଆ ଗ୍ରାମପୁଞ୍ଜ। ସୀମା ବିବାଦ ପାଇଁ ଏହି ଗ୍ରାମପୁଞ୍ଜ ବିବାଦୀୟ ହୋଇ ରହିଛି। କିନ୍ତୁ ଏଠାରେ ନିଜ ବାହୁକୁ ମେଲାଇ ଭକ୍ତଙ୍କୁ ନିଜ ଶରଣକୁ ନେଉଛନ୍ତି କଳାଶ୍ରୀମୁଖ। ଦୁର୍ଗମ ଅଞ୍ଚଳରେ ମହାବାହୁଙ୍କ ମାନବୀୟ ଲୀଳା ପ୍ରକୃତିପ୍ରେମୀ ଆଦିବାସୀଙ୍କୁ ମଧ୍ୟ ଭାବ ଓ ଭକ୍ତିରେ ବୁଡ଼ାଇ ରଖିଛି। ବର୍ଷ ତମାମ ଆଦିବାସୀ ପୂଜକ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୈନନ୍ଦିନ ସେବା ଓ ନୀତି କରନ୍ତି। କେବଳ ଘୋଷଯାତ୍ରା ଏବଂ ବାହୁଡ଼ା ନୀତିରେ ବୈଦିକ ବ୍ରାହ୍ମଣ ବିଧି ପରିଚାଳନା କରୁଛନ୍ତି। ପୁରୀ ଶ୍ରୀମନ୍ଦିର ଭଳି ଏଠାରେ ଅଧିକାଂଶ ନୀତିକାନ୍ତି ସମୟ ଅନୁସାରେ ହେଉଛି। ସ୍ବତନ୍ତ୍ରତା ହେଲା ପୁରୀ ରଥଯାତ୍ରା ପରଦିନ ଏଠାରେ ରଥ ମାଉସୀ ମା’ଙ୍କ ଘର ପର୍ଯ୍ୟନ୍ତ ଟଣାଯାଏ। ରଥାରୂଢ଼ ଜଗନ୍ନାଥଙ୍କ କଳାମୁହଁଙ୍କୁ ଥରେ ଦେଖିବାକୁ ଆଦିବାସୀ ପୁରପଲ୍ଲୀରୁ ଛୁଟି ଆସନ୍ତି ଶହ ଶହ ଗ୍ରାମୀଣ।

୨୦୦୨ ମସିହା ମେ’ ପହିଲାରେ ତତ୍କାଳୀନ ଜିଲ୍ଲାପାଳଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ କୋଟିଆରେ ପ୍ରତି‌ଷ୍ଠା ହୋଇଥିଲା ଶ୍ରୀଜଗନ୍ନାଥ ମନ୍ଦିର। ଠାକୁରରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ତିନିଠାକୁର ରତ୍ନସିଂହାସନରେ ବିଜେ କରିଥିଲେ। ସେହିଦିନ ଠାରୁ କନ୍ଧ ପୂଜକ ମାଗୁରି ତାଟିଙ୍ଗି ବେକରେ ଆଜ୍ଞାମାଳ ପକାଇ ଠାକୁରଙ୍କ ସେବା କରିଆସୁଛନ୍ତି। ତେଣୁ ନୀତିକାନ୍ତିରେ ଆଦିବାସୀ ଛାପ ଦେଖିବାକୁ ମିଳେ। କେବଳ ରଥଯାତ୍ରା ପୂର୍ବଦିନ କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ଜଣେ ବ୍ରାହ୍ମଣ ସେବକ କୋଟିଆ ଯାଇଥାନ୍ତି। ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କୁ ରଥାରୂଢ଼ କରିବା ସହ ରଥଟଣା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବ୍ରାହ୍ମଣ ସେବକଙ୍କ ଉପ‌ରେ ନ୍ୟସ୍ତ। କୋଟିଆ ଥାନା ରାସ୍ତାରେ ରହିଛି ମାଉସୀ ମା’ଙ୍କ ମନ୍ଦିର। ରଥଟଣା ସରିବା ପରେ ବ୍ରାହ୍ମଣ ସେବକ ପୁଣି କୋରାପୁଟ ଫେରିଆସନ୍ତି। ଏହାପରେ ନବଦିନାତ୍ମକ ନୀତି ସହ ବେଶ ଆଦି ମାଗୁରି ହିଁ ସଂପାଦନ କରୁଛନ୍ତି। ବାହୁଡ଼ା ଦିନ ପୁଣି କୋରାପୁଟରୁ ବ୍ରାହ୍ମଣ ସେବକ ଯିବା ପରେ ବାହୁଡ଼ାନୀତି ସମ୍ପାଦିତ ହୋଇଥାଏ।

ପୁରୀ ଭଳି ଏଠାରେ ରଥରେ ଦିଅଁ ସୁନାବେଶରେ ଦର୍ଶନ ଦେଇଥାନ୍ତି। ମନ୍ଦିର ପ୍ରତିଷ୍ଠାର ପ୍ରଥମ ବର୍ଷରୁ ହିଁ ଶ୍ରୀଗୁଣ୍ଡିଚା ପରଦିନ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ତୃତୀୟା ଦିନ ଏଠାରେ ଯାତ୍ରା ଅନୁଷ୍ଠିତ ହେଉଛି। ଏହାର ଉଦ୍ଦେଶ୍ୟ ହେଲା ଶାବର ଶ୍ରୀକ୍ଷେତ୍ର ଓ ପଟାଙ୍ଗିରେ ଗୋଟିଏ ଦିନରେ ଗୁଣ୍ଡିଚାଯାତ୍ରା ହେଉଛି। ବହୁ ସଂଖ୍ୟାରେ ଆଦିବାସୀ ଉଭୟ ସ୍ଥାନରେ ଯାତ୍ରା ଦେଖିବାକୁ ଆସୁଛନ୍ତି। ଦିନକ ପରେ ଯାତ୍ରା ହେଲେ କୋଟିଆ ରଥଯାତ୍ରାରେ ବହୁ ସଂଖ୍ୟାରେ ଆଦିବାସୀ ଏକତ୍ର ହେବାରେ ସୁବିଧା ହେବ। ପଟାଙ୍ଗି ତହସିଲଦାର ଏହି ଯାତ୍ରାର ସଂପୂର୍ଣ୍ଣ ଦାୟିତ୍ୱ ନେଇଥାନ୍ତି। ପୁଣି ଶାବର ଶ୍ରୀକ୍ଷେତ୍ରରୁ ଆବଶ୍ୟକୀୟ ଉପକରଣ ପ୍ରତିବର୍ଷ ଜଣେ ପୂଜକଙ୍କ ସହ ପ୍ରେରିତ ହୁଏ। ନିକଟସ୍ଥ ପଟାଙ୍ଗି, ସୁନାବେଡ଼ା, ଦାମନଯୋଡ଼ି ତଥା କୋରାପୁଟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯାତ୍ରାରେ ପ୍ରତିବର୍ଷ ସାମିଲ ହେଉଛନ୍ତି।

ସମ୍ବନ୍ଧିତ ଖବର