ଯାଜପୁର : ରାଜ୍ୟର ଅନ୍ୟତମ ଧନୀ ତହସିଲ ଧର୍ମଶାଳାରେ କଳାପଥର ନିଲାମକୁ ଅଚଳାବସ୍ଥା ଲାଗି ରହିଛି। ଲିଜ୍ ଚୂଡାନ୍ତ ପରେ ବିଡରମାନେ କୋଟି କୋଟି ଟଙ୍କା ପୈଠ କରିବା ସତ୍ତ୍ବେ ସୈରାତଗୁଡ଼ିକ ଚାଲିପାରୁନାହିଁ। ବର୍ଷେ ପୂରିବାକୁ ଯାଉଥିବା ବେଳେ ବିଡର୍ଙ୍କ କାଗଜପତ୍ର ଠିକ୍ କରିବାକୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ନାହିଁ। ଲିଜ୍ ଖାଦାନ ଚାଲିପାରୁ ନଥିବା ସୁଯୋଗରେ ମାଫିଆମାନେ ରାତାରାତି ପାହାଡ଼ ସଫା କରିଦେଉଛନ୍ତି। କଳାପଥର ଚୋରି ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ସୈରାତ ନିଲାମ ପ୍ରକ୍ରିୟାକୁ ବିଳମ୍ବ କରି ଅସାଧୁମେଣ୍ଟ ମାଲାମାଲ ହେଉଛନ୍ତି। ଧର୍ମଶାଳା ତହସିଲ ଓ ଜିଲ୍ଲା ପ୍ରଶାସନ କଳାପଥର ସୈରାତ ନିଲାମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ବିଫଳ ହୋଇଛନ୍ତି।
ଆରୁହା ପାହାଡ଼ କେଳେଙ୍କାରୀ ନେଇ ଲୋକାୟୁକ୍ତଙ୍କ ତଦନ୍ତ ଯୋଗୁଁ ଏକାଧିକ ଅଧିକାରୀ ଫସିଛନ୍ତି। ବିଛାଖଣ୍ଡି ପାହାଡ଼ର କେଳେଙ୍କାରୀରେ କେଉଁମାନେ ସମ୍ପୃକ୍ତ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଧର୍ମଶାଳା ତହସିଲ ଅଧୀନରେ ମୋଟ ୮୯କଳାପଥର ସୈରାତ ମଧ୍ୟରୁ ଏବେ କାଗଜପତ୍ରରେ ମାତ୍ର ୨୪ଟି କଳାପଥର ସୈରାତ ଚାଲିଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି। ତେବେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟର ତଥ୍ୟ କହୁଛି ୧୭ଟିର ସିଟିଓ (କନ୍ସେଣ୍ଟ ଟୁ ଅପରେଟ୍) ଅଛି। ବିଭାଗ ବିଭାଗ ମଧ୍ୟରେ ତାଳମେଳ ନାହିଁ। ଯାହାର ସୁଯୋଗ ମାଫିଆମାନେ ନେଉଛନ୍ତି। ଏଭଳି କି ଅନେକ ସୈରାତ ବିନା କାଗଜପତ୍ରରେ ଚାଲିଛି।
ସୂଚନାନୁସାରେ ରାହାଡ଼ପୁର ପାହାଡ଼ରେ ଗୋଟିଏ ସୈରାତ ନିଲାମ ହୋଇଥିବା ବେଳେ ଅଧିକାଂଶ ସୈରାତ ବେଆଇନ ଭାବେ ଚାଲିଛି। ରାହାଡ଼ପୁର ପାହାଡ଼ ନିକଟରେ ଥିବା ଅନେକ କ୍ରସର ଚୋରା ପଥରକୁ ନିଜର ପୁଞ୍ଜି କରିଛନ୍ତି। ମାଫିଆମାନେ ରାତିରେ ବିସ୍ଫୋରଣ କରି ପଥର ଲୁଟୁଥିବା ବେଳେ ଏହାକୁ ନେଇ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। କଳାପଥର ପାଇଁ ଜେନାପୁର ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଗତକାଲି ଗୋଷ୍ଠୀ ସଂଘର୍ଷରେ ଏକାଧିକ ଲୋକଙ୍କୁ ଜେନାପୁର ଗିରଫ କରି କୋର୍ଟ ଚାଲାଣ କରିଛି। କିଛି ଦିନ ପୂର୍ବରୁ ମଧ୍ୟ ଏହି ଥାନା ଅଞ୍ଚଳରୁ ବହୁ ପରିମାଣର ଚୋରା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଅଥଚ ଜେନାପୁର ଥାନା ପୁଲିସ କାହାରିକୁ ଗିରଫ କଲାନାହିଁ। ଅପରପକ୍ଷରେ ବହୁ ସୈରାତ ବନ୍ଦ ହୋଇଯାଇଥିବାରୁ ଶହ ଶହ ଶ୍ରମିକ ଜୀବିକା ହରାଇଛି। ଏହି ପରିସ୍ଥିତିରେ କେବେ ସୁଧାର ଆସିବ ବୋଲି ପ୍ରଶ୍ନ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/mines.jpg)