ଚଢେଇଧରା: ଯାଜପୁର ଜିଲ୍ଲା ଧର୍ମଶାଳାରେ କଳାପଥରର କଳା କାରବାର ଯୋଗୁଁ ଉଜୁଡ଼ି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। ମାଫିଆ, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ କୃଷି ଉପରେ କୁପ୍ରଭାବ ପଡ଼ିଛି। ଯୋଜନାବଦ୍ଧ ଭାବେ ପ୍ରାକୃତିକ ଝରଣାକୁ ମାରି ଦିଆଯାଇଛି। ୮୦ ଦଶକରେ ନିର୍ମାଣ ହୋଇଥିବା ଡ୍ୟାମକୁ ବି ଅଚଳ କରିଦିଆଯାଇଛି। ଲିଜ୍ ବାତିଲ ପରେ ମାନ୍ୟବର ଅଦାଲତଙ୍କୁ ଅନ୍ଧାରରେ ରଖି ପ୍ରଶାସନିକ ଅଧିକାରୀମାନେ ସୈରାତ ନମ୍ବର ବଦଳାଇ ଖାଦାନକୁ ପୁନଃ ଲିଜ୍ ଦେଇଛନ୍ତି।
୧୯୮୦ ମସିହାରେ ଜମିକୁ ଜଳସେଚନ ସୁବିଧା ପାଇଁ ରାହାଡ଼ପୁର ମୌଜାର ପାଇକରାପୁରଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଡ୍ୟାମ ନିର୍ମାଣ କରାଇଥିଲେ। ଏହାଦ୍ବାରା ପାଖାପାଖି ୨୦୦ ହେକ୍ଟର ଜମିକୁ ଜଳ ସେଚିତ ହେଉଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ରାହାଡ଼ପୁର ବିଏସ୍କ୍ୟୁ ନମ୍ବର ୧୦କୁ ପାଞ୍ଚ ବର୍ଷ ପାଇଁ ଏକ ସଂସ୍ଥାକୁ ଲିଜ୍ ଦିଆଯାଇଥିଲା। ଏହି ସୈରାତ ପାଇକାରପୁର ଡ୍ୟାମଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଓ ବିସ୍ଫୋରଣ ଯୋଗୁଁ ଡ୍ୟାମ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରିଥିଲେ। ଏ ନେଇ ସେମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏହି ଲିଜ୍କୁ ବାତିଲ କରି ଦେଇଥିଲେ। ସେଠାରୁ କଳାପଥର ଖନନ ଓ ପରିବହନ ରୋକିବାକୁ ପ୍ରଶାସନ ସୈରାତ ସଂଯୋଗୀକରଣ ରାସ୍ତାକୁ ତାଡ଼ି ଦେଇଥିଲେ। ଏପରିକି ପ୍ରଶାସନ ସେହି ସ୍ଥାନରେ ୧୪୪ ଧାରା ଲାଗୁ କରିଥିଲା। ମାତ୍ର ଲୁଟ୍ ପାଇଁ ଗଳାବାଟ ସନ୍ଧାନରେ ଥିବା ସ୍ଥାନୀୟ ପ୍ରଶାସନ ଅଦାଲତଙ୍କୁ ଭୁଆଁ ବୁଲାଇଛି। ତଞ୍ଚକତା କରି ସୈରାତ ନମ୍ବର ୧୦କୁ ବଦଳାଇ ସୈରାତ ନମ୍ବର ୧ କରି ପୁନଃ ଲିଜ୍ ଦିଆଯାଇଛି। ଝରଣା ଅବରୋଧ ହେବା ଦ୍ବାରା ଡ୍ୟାମ୍ରେ ଆଉ ବର୍ଷା ଜଳ ସଂରକ୍ଷିତ ହୋଇପାରୁନାହିଁ।
ସେହିଭଳି ଡଙ୍କାରୀ କଳାପଥର ଖାଦାନ ଯୋଗୁଁ ରାଣୀବନ୍ଧ ଡ୍ୟାମ ତାର ଅସ୍ତିତ୍ବ ହରାଇବାକୁ ବସିଛି। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ ନିଶ୍ଚନ୍ତା ପାହାଡ଼ରୁ ବର୍ଷl ଦିନରେ ବହି ଆସୁଥିବା ଝର ପାଣି ଓ ବର୍ଷା ଜଳକୁ ଏହି ଡ୍ୟାମ ଦ୍ୱାରା ନିୟନ୍ତ୍ରଣ କରାଯାଉଥିଲା। ଗତ ସରକାରଙ୍କ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଡ୍ୟାମ ମରାମତି ହୋଇଥିଲା। ଏ ବାବଦରେ ବହୁ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ଚାଷୀଙ୍କ କାମରେ ଆସିଲା ନାହିଁ। ବର୍ତ୍ତମାନ ଡ୍ୟାମକୁ ଲାଗି ରହିଥିବା ଜମିରେ କିଛି ପଥର ବେପାରୀ କ୍ରସର ଷ୍ଟକ୍ୟାର୍ଡ କରିଛନ୍ତି। ଡ୍ୟାମକୁ ପୋତି କ୍ରସରକୁ ରାସ୍ତା ନିର୍ମାଣ କରାଯାଇଛି।
ଏ ସଂପର୍କରେ ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ କହିଛନ୍ତି, ପାଇକେରାପୁର ଡ୍ୟାମ ଓ ବିଏସ୍କ୍ୟୁ ୧୦ ନମ୍ବର ମଧ୍ୟରେ ଦୂରତା ଖଣି ନିୟମ ଅନୁସାରେ ୫୦୦ ମିଟରରୁ କମ ଥିଲା l ଉଚ୍ଚ ନ୍ୟାୟାଳୟରେ ମାମଲା ପରେ ପ୍ରଶାସନ ଏହି ଲିଜ୍କୁ ବାତିଲ କରିଥିଲା l ପରେ ପୁନଃ ସୀମା ନିର୍ଦ୍ଧାରଣ କରାଯାଇ ବିଏସ୍କ୍ୟୁ ୧୦ ନମ୍ବର ବଦଳରେ ଏହାକୁ ୧ ନମ୍ବର କରି ଡ୍ୟାମଠାରୁ ଦୂରରେ ଲିଜଧାରିଙ୍କୁ ଖନନ ଲାଗି ସୀମା ଚିହ୍ନଟ କରାଯାଇଛି। ଏ ନେଇ ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ହେଉଛି ଲିଜଧାରୀ ସେହି ପୂର୍ବ ଖାଦାନରୁ ଖନନ କରୁଛନ୍ତି। କେବଳ ରେକର୍ଡରେ ସୈରାତ ନମ୍ବର ବଦଳିଛି। ଏହି ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।