ଯାଜପୁର/ଚଢ଼େଇଧରା: ଧର୍ମଶାଳା ତହସିଲ କଳାପଥର କେଳେଙ୍କାରୀ ଉଜାଡ଼ି ଦେଇଛି ୩୦ ପଞ୍ଚାୟତର ଜୀବନଜୀବିକା। ଦୋହଲି ଯାଇଛି ସାମାଜିକ ସ୍ଥିତି। ରାଜନେତା ଓ ପଥର ବେପାରୀଙ୍କ ଅସାଧୁମେଣ୍ଟ ଯୋଗୁଁ ବିକାଶ ନାମରେ ହୋଇଛି ବିନାଶ। ଅନିୟନ୍ତ୍ରିତ କଳାପଥର ଖନନ ଯୋଗୁଁ ପାହାଡ଼ ପାଦଦେଶରେ ଥିବା ଶହଶହ ଏକର ଚାଷଜମି କ୍ଷତିଗ୍ରସ୍ତ। ଏପରିକି ଚାଷଜମିକୁ ପାଣି ଯୋଗାଉଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) ଭିତରେ କଳାପଥର ଖାଦାନ କରାଯାଇଛି। ହେଲେ ପାଇକରାପୁର ଓ ରାଣୀବନ୍ଧ ପ୍ରକଳ୍ପ ମରାମତି ନାମରେ ନିୟମିତ ଅନୁଦାନ ବ୍ୟୟ ହୋଇଛି। ଏ ନେଇ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ଅନେକ ସାଂଘାତିକ ତଥ୍ୟ।

Advertisment

ଯାଜପୁର ଓ ଢେଙ୍କାନାଳ ସୀମାରେ ଥିବା ନିଶ୍ଚନ୍ତା ପାହାଡ଼ ପାଦଦେଶରେ ଥିବା ଜମିକୁ ଜଳସେଚନ ପାଇଁ ୪୦ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ୨ଟି କ୍ଷୁଦ୍ର ଜଳ‌ସେଚନ ପ୍ରକଳ୍ପ(ଏମଆଇପି)। ରାହାଡ଼ପୁର ପାହାଡ଼ ନିକଟସ୍ଥ ୧୮ ଏକର ଅଞ୍ଚଳକୁ ନେଇ ପାଇକରାପୁର ଡ୍ୟାମ୍(ଏମଆଇପି) ଏବଂ ଅପରପାର୍ଶ୍ବ ଡଙ୍କାରୀର ପାଦଦେଶରେ ପ୍ରାୟ ୪୮ଏକର ଅଞ୍ଚଳରେ ନିର୍ମାଣ ହୋଇଥିଲା ରାଣୀବନ୍ଧ ଡ୍ୟାମ୍। ଏହି ଦୁଇ ଡ୍ୟାମ ଉପରେ ନିର୍ଭର କରି ଲୋକେ ଚାଷ ଦ୍ବାରା ଜୀବିକା ଉପାର୍ଜନ କରୁଥିଲେ। ତେବେ ଗତ ୧୦ବର୍ଷ ମଧ୍ୟରେ ବେଆଇନ୍ କଳାପଥର ଖନନ ପାଇଁ ପାହାଡ଼ରୁ ପାଣି ଡ୍ୟାମକୁ ଆସୁନାହିଁ। ପାଇକରାପୁର ଡ୍ୟାମ୍ ଭିତରେ ମଧ୍ୟ କଳାପଥର ଖାଦାନ କରାଯାଇଛି। ଡ୍ୟାମର ଏକର ଏକର ଅଞ୍ଚଳକୁ ମାଟିପଥରରେ ପୋତି ଦିଆଯାଇଛି।
ସୂଚନାଯୋଗ୍ୟ ପାଇକରାପୁର ଡ୍ୟାମ ନିକଟରେ କଳାପଥର ସୈରାତ ୧୦ର ଲିଜଧାରୀ ଶ୍ରୀବାସ ଜେନାଙ୍କରଏସ୍‌ଟି ମିନେରାଲକୁ ଲୋକମାନେ ବିରୋଧ କରିଥିଲେ। ଜିଲ୍ଲା ପ୍ରଶାସନ ଶ୍ରୀ ଜେନାଙ୍କ ଲିଜ୍‌କୁ ରଦ୍ଦ କରିଦେଲେ। ଏହାପରେ କାଗଜପତ୍ରରେ ତଞ୍ଚକତା କରି ଡ୍ୟାମଠାରୁ ଦୂରରେ ଥିବା ଦର୍ଶାଇ ପୂର୍ବ ସୈରାତର ନାମ ୧ ନମ୍ବର କରି ଜ୍ଞାନରଞ୍ଜନ ମହାପାତ୍ର(ସିଲୁ)ଙ୍କୁ ଲିଜ୍‌ ପ୍ରଦାନ କରାଗଲା। ବିଭିନ୍ନ ଉପାୟରେ ଗ୍ରାମବାସୀଙ୍କୁ ସ୍ବରକୁ ଚାପି ଦିଆଗଲା।

ସରକାରୀ ତଥ୍ୟ ମୁତାବକ, ପାଇକରାପୁର ଡ୍ୟାମ୍ ପାଇଁ ୨୦୧୮ ଜୁଲାଇ ୨୮ରେ ସୈରାତ ନମ୍ବର ୧, ୩ ଓ ୯/୫କୁ ରଦ୍ଦ କରାଯାଇଥିଲା। ସେହିପରି ସୈରାତ ୬ ଓ ୧୦କୁ ସଂପ୍ରସାରଣ କରି ଘୁଞ୍ଚାଇ ଦିଆଯାଇଥିଲା। ଲୋକମାନଙ୍କ ବିରୋଧ ଓ ଜନସ୍ବାର୍ଥ ମାମଲା ଯୋଗୁଁ ପ୍ରଶାସନ ଏକାଧିକ କଳାପଥର ଖାଦାନକୁ କ୍ଲଷ୍ଟରରେ ସାମିଲ କରି ନୂଆ ନମ୍ବର ଦେଇ ପୁଣି ଲିଜ୍ ଦେଲା। ଜଳ ପ୍ରକଳ୍ପର ଉତ୍ସ ପାହାଡ଼କୁ ଧ୍ବଂସ କରାଯିବା ସହିତ ଜଳସ୍ରୋତକୁ ମଧ୍ୟ ଅଟକାଇ ଦିଆଗଲା। ବେଆଇନ୍ ଖାଦାନ ଓ କ୍ରସର ପାଇଁ ଡ୍ୟାମ ଭିତରେ ରାସ୍ତା କରାଗଲା। ଫଳରେ ପ୍ରକଳ୍ପରେ ପାଣି ରହିବା ପରିବର୍ତ୍ତେ ଏବେ ଶୁଖିଲା ପଡ଼ିଛି। ଗାଈଗୋରୁ ଓ ଛେଳି ଚରୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ପାଇକରାପୁର ଏମ୍‌ଆଇପି ପାଇଁ ଗତ ୭ବର୍ଷରେ ୧୫ଟି ଗୁ୍ପ୍ତ ଓ ଖୋଲାଟେଣ୍ଡର କରି ଦେଢ଼ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି। ସେହିପରି ରାଣୀବନ୍ଧ ପ୍ରକଳ୍ପରେ ୫ବର୍ଷରେ ୮ଟି ଗୁପ୍ତ ଓ ଖୋଲା ଟେଣ୍ଡରରେ ୬୨ଲକ୍ଷ ଟଙ୍କା ବ୍ୟୟ ହୋଇଥିବାର ବିଲ୍ ହୋଇଛି। ପ୍ରକଳ୍ପ ଶୁଖିଲା କିନ୍ତୁ କାଗଜପତ୍ରରେ ମରାମତି ଚାଲିଛି। ଏଠାରେ ଛେଳି ଚରାଉଥିବା ବୃଦ୍ଧ ବାବାଜୀ ମଲିକ କହନ୍ତି ଡ୍ୟାମ ମରାମତି ହେବା ସେ ଗତ ୧୦ବର୍ଷ ମଧ୍ୟରେ ଦେଖିନାହାନ୍ତି। କଳାପଥରର କଳା କାରବାରକୁ ବନ୍ଦ, ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜଳସେଚନ ପ୍ରକଳ୍ପର ଉଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି।