୨ମାସ ମଧ୍ୟରେ ତଦନ୍ତ ରିପୋର୍ଟ ନଦେଲେ ବ୍ୟକ୍ତିଗତ ହାଜର ହେବେ ଇଓଡବ୍ଲ୍ୟୁ ଏସ୍‌ପି

କଳାପଥର ଲୁଟ ଘଟଣା

ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରେ କଳାପଥର ଲୁଟ୍‌ର ଖୋଳତାଡ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ବାରା ଚାଲିଥିବା ବେଳେ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦେବାରେ ବିଳମ୍ବ ନେଇ ଲୋକାୟୁକ୍ତ କ୍ଷୁବ୍ଧ ହୋଇଛନ୍ତି। ଲୋକାୟୁକ୍ତଙ୍କ ନିଦେର୍ଶରେ ଅର୍ଥନୈତିକ ଅପରାଧ ଶାଖା ଆରୁହା ପାହାଡ଼ ଲୁଟ୍ର ତଦନ୍ତ ଭାର ନେଇଥିଲା। ଗତ ବର୍ଷ ଏପ୍ରିଲ ମାସ ୮ ତାରିଖରେ ଲୋକାୟୁକ୍ତ ୬ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଇଓଡବ୍ଲ୍ୟୁ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅସମର୍ଥ ପ୍ରକାଶ କରି ୩ ମାସ ଅଧିକ ସମୟ ମାଗିଥିଲେ। ଲୋକାୟୁକ୍ତ ମାମଲାର ଶୁଣାଣି କରି ୩ ମାସ ସମୟ ବୃଦ୍ଧି କରିଥିଲେ। ଗତ ୨୭ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ଇଓଡବ୍ଲ୍ୟୁ ତଦନ୍ତ ରିପୋର୍ଟ ଦାଖଲ ନକରି ଆହୁରି ୩ ମାସ ସମୟ ମାଗିଥିଲେ। ଯାହାକୁ ନେଇ ଲୋକାୟୁକ୍ତ କ୍ଷୁବ୍ଧ ହୋଇଛନ୍ତି। ଆଉ ୨ ମାସ ସମୟ ଦେବା ସହ ଏହି ସମୟ ସୀମା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ନହେଲେ ଇଓଡବ୍ଲ୍ୟୁ ଏସ୍‌ପିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ, ତ୍ରିନାଥ ଜେନା ଗତ ୨୦୧୭- ୧୮ ମସିହାରେ ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ର ୧ନମ୍ବର ଖାଦାନକୁ ୫ ବର୍ଷ ପାଇଁ ଲିଜ୍ ନେଇଥିଲେ। ଏହି ପାହାଡରେ ମୋଟ୍ ୬ ଟି ଖାଦାନ ଥିବା ବେଳେ ୧ ନମ୍ବର ଖାଦାନ ଖାତା ନମ୍ବର – ୭୭୯ ଏବଂ ପ୍ଲଟ୍ ନମ୍ବର – ୨୮୧୧ର ପରିସୀମା ମାତ୍ର ୩ ଏକର ରହିଥିଲା। ଲିଜ୍‌ ଅଞ୍ଚଳ ବାହାରୁ ବ୍ୟାପକ କଳାପଥର ଲୁଟ୍‌ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଗତ ୨୦୨୦ ଡିସେମ୍ବର ୧୦ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର