କଳାପଥର କେ‌ଳେଙ୍କାରୀ: ଜବତ ଗାଡ଼ିର ମାଲିକଙ୍କୁ ବନ୍ଧାଯାଇନି କାହିଁକି?

ଜିଲ୍ଲାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ (ଆରଓ)ର ନିରବତା ନେଇ ପ୍ରଶ୍ନ

ଯାଜପୁର/ ଚଢ଼େଇଧରା : ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀ ଘଟଣା ରାଜ୍ୟର ଚର୍ଚ୍ଚାର ବିଷୟ ପାଲିଟିଛି। ଏହାକୁ ରୋକିବା ପାଇଁ କାହାରି ଆନ୍ତରିକ ଉଦ୍ୟମ ନାହିଁ। ନାମକୁ ମାତ୍ର କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଚୋରା ଓ ବେଆଇନ ଖାଦାନ କାରବାରକୁ ନିୟନ୍ତ୍ରଣ କରୁଥିବା କୋଟିପତି ପ୍ରଭାବଶାଳୀ ପଥର ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ସଂପୃକ୍ତ ବିଭାଗଗୁଡ଼ିକ କାମ କରୁଛନ୍ତି। ପରିବେଶ ଆଇନ୍ ଉଲ୍ଲଂଘନ ହେଉଥିବା ନେଇ ରାହାଡ଼ପୁର ଚଢ଼ଉ ଘଟଣାରେ ନିରକ୍ଷର ଶ୍ରମିକ ଟୁନା ସାହାଣୀ ସାକ୍ଷୀ ରୂପେ ପୁଲିସ ନିକଟରେ ଅଭିଯୋଗ କରୁଥିବା ‌ବେଳେ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀମାନେ ନିଦାବିଷ୍ଣୁ ସାଜିଛନ୍ତି କାହିଁକି? ଆଜି ପର୍ଯ୍ୟନ୍ତ ପରିବେଶ ଆଇନ୍ ଉଲ୍ଲଂଘନ ଅଭିଯୋଗରେ କୌଣସି ଗୋଟିଏ ଖାଦାନ ମାଲିକଙ୍କ ବିରୋଧରେ ଜିଲ୍ଲାରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେବେ ବି କାର୍ଯ୍ୟାନୁଷ୍ଠାନ ଦୂର କଥା ମାମଲା ହୋଇନାହିଁ। ଅଥଚ ରାଣୀବନ୍ଧ ସୁରକ୍ଷା ପାଇଁ ବେଆଇନ ଖାଦାନ ଓ ମେଗା କ୍ରସରଗୁଡ଼ିକର ପରିବେଶ ଉଲ୍ଲଂଘନ ଓ ଚୋରା କାରବାରକୁ ବିରୋଧ କରି ଜନସ୍ବାର୍ଥ ମାମଲା କରିଥିବା ବଳଦେବ ରାଉତଙ୍କୁ ଫସାଇ ଦେଇ ଜେଲ୍‌କୁ ପଠାଇ ଦେଇଥିବାର ଅଭିଯୋଗ ହେଉଛି।

ସୂଚନା ଥାଉକି ଏହି ରାହାଡ଼ପୁର ଚଢ଼ଉ ଘଟଣାରେ ଗତ ୨ତାରିଖ ନୂତନ ତସସିଲଦାର ସ୍ବାଗତ ଦାସ ଓ ତାଙ୍କ ଟିମ୍ ଯେଉଁ ୫ଟି ଟ୍ରକ ଓ ଗୋଟିଏ କମ୍ପ୍ରେସର ଜବତ କରିଥିଲେ। ଚୋରା ପଥର କାରବାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଗାଡ଼ିଗୁଡ଼ିକର ମାଲିକମାନେ ଗଲେ କୁଆଡ଼େ? କେବଳ ବଳଦେବ ଓ ଅଭି ସାହୁକୁ ଗିରଫ କରି ପୁଲିସ ଓ ତହସିଲ ପ୍ରଶାସନ ହାତ ବାନ୍ଧି ଚୁପ୍ ହୋଇ ବସିଛନ୍ତି କାହିଁକି?

ସ୍ମରଣ ଯୋଗ୍ୟ କିଛି ଦିନ ପୂର୍ବରୁ ଆରୁହା ପାହାଡ଼ରେ ଚଢ଼ଉ ବେଳେ ଧର୍ମଶାଳା ପୁଲିସ ଜବତ ହୋଇଥିବା ଗାଡ଼ିର କର୍ମଚାରୀ ଓ ମାଲିକମାନଙ୍କ ନାମରେ କେସ କରି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା। ଅଥଚ ରାହାଡ଼ପୁର ଘଟଣାରେ ପ୍ରଶାସନ ୟୁଟର୍ଣ୍ଣ ନେବାର କାରଣ କଣ? ଯଦି ପୁଲିସ ଜବତ ହୋଇଥିବା ଟ୍ରକ (ଓଆର ୧୬ସି- ୨୮୨୭, ଓଆର୦୯ଜି- ୭୬୫୫, ଓଆର ୧୬ବି- ୬୦୮୧, ଓଆର ୧୬ସି-୨୦୪୮, ଓଆର୦୪ଇ- ୧୫୭୭) ଏବଂ କମ୍ପ୍ରେସର (ଓଡି ୦୪ଏଲ- ୦୫୩୯)ଙ୍କ ନାମରେ କେସ କରୁନାହିଁ କାହିିଁକି? ଏପରିିକି ଜବତ ହୋଇଥିବା ଗାଡ଼ିଗୁଡ଼ିକର ବୀମା ମଧ୍ୟ ନାହିଁ। ତଥାପି ପୁଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନାହିଁ। ଜରିମାନା ଆଦାୟ କରି ଗାଡ଼ି ଛାଡି ଦେବାକୁ ବସିଛି। ପୁଲିସ ଓ ପ୍ରଶାସନ ମର୍ଜିରେ ଚାଲିଛି କଳାପଥର କେଳେଙ୍କାରୀ ନିୟନ୍ତ୍ରଣ। ଯାହାକୁ ନେଇ ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ତୁଟିବାକୁ ବସିଛି। ଏଥିପ୍ରତି ପ୍ରଶାସନ ସତର୍କ ନହେଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି କେତେକ ମତ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର