କଳାପଥର ଚୋରାଚାଲାଣ: ପୁଲିସ ଧରିଲା ୮ ଗାଡ଼ି, ଛାଡ଼ିଲା ୫

ଯାଜପୁର/ଚଢେଇଧରା: ଚୋରା କଳାପଥର ଚାଲାଣକୁ ରୋକିବା ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଘୋଷଣା କରିଛି। ଜିଲ୍ଲାପାଳ, ଏସପି ଓ ଧର୍ମଶାଳା ବିଧାୟକଙ୍କ ମିଳିତ ଯୋଜନା ମୁତାବକ ଚୋରା ଓ ବେଆଇନ ଲଘୁଖଣିଜ ସମ୍ପଦ ଚାଲାଣକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ୩ଦିନ ପୂର୍ବରୁ ଘୋଷଣା କରିଛନ୍ତି। ଗତକାଲି ବେଆଇନ ଭାବେ କଳାପଥର ନେଇଯାଉଥିବା ଅଭିଯୋଗରେ ୮ଟି ଗାଡ଼ିକୁ ଜେନାପୁର ଥାନା ପୁଲିସ ଜବତ କରିଥିଲେ। ଜବତ ହୋଇଥିବା ଗାଡ଼ିଗୁଡ଼ିକ ନିକଟରେ ଆବଶ୍ୟକ କାଗଜପତ୍ର ନଥିଲା। ମାତ୍ର ପରବର୍ତ୍ତୀ ସମୟରେ ୫ଟି ବଡ଼ ଗାଡ଼ି ଛାଡିଦିଆଯାଇଛି। ଏକ ଟ୍ରାକ୍ଟର, ୪୦୭ମିନିଟ୍ରକ ଓ ଏକ ହାଇୱାକୁ  ଜବତ କରିଥିବାର ପୁଲିସ ସୂଚନା ଦେଇଛି। ତେବେ ଅନ୍ୟ ୫ଟି ଗାଡ଼ି ମୁକୁଳିଲେ କିପରି? ଏଭଳି କାର୍ଯ୍ୟ ପାଇଁ ଜେନାପୁର ଥାନା ପୁଲିସ ପୁଣି ଚର୍ଚ୍ଚାରେ।

ପ୍ରକାଶ ଥାଉକି ଚୋରା ଓ ବେଆଇନ କଳାପଥର ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଛି। ଏହି ଘୋଷଣା ପରେ ଗତକାଲି ଜେନାପୁର ଥାନା ପୁଲିସ ଗାଡ଼ି ନମ୍ବର  ଏମପି ୩୯ଏଚ୍ ୧୮୯୮, ଏମପି ୩୯ଏଚ ୧୮୦୩, ଓଡି ୦୪ କେ ୧୭୦୭, ଓଡି ୦୪ଆର୍ ୫୩୬୬, ଓଡି ୦୪ଆର୍ ୨୧୦୧ ଗୁଡ଼ିକର କାଗଜପତ୍ର ନଥିବାରୁ ଜବତ କରି ଚଢେଇଧରା ପାଣ୍ଡିରେ ଅଟକ ରଖି ପରେ ରାତିରେ ଛାଡିଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ୩ଟି ଗାଡ଼ି ମଧ୍ୟରେ  ଟ୍ରାକ୍ଟର ଓଡି୦୪ଏଚ ୬୭୩୦, ୪୦୭ଟ୍ରକ  ଓଡି୦୬ ୧୯୯୭ ଓ  ହାଇୱା  ଓଡି ୦୧ ୟୁ ୦୯୨୧ ଜବତ କରାଯାଇଛି। ଏହି ଗାଡ଼ିଗୁଡ଼ିକର କୌଣସି କାଗଜପତ୍ର ନଥିବାର ଥାନାଧିକାରୀ ଉମାକାନ୍ତ ନାୟକ କହିଛନ୍ତି। ଛାଡ଼ିଦିଆଯାଇଥିବା ଗାଡ଼ିଗୁଡ଼ିକର ଆବଶ୍ୟକ କାଗଜପତ୍ର ଥିଲା।  ତନଖି ବେଳେ ଆବଶ୍ୟକ କାଗଜପତ୍ର ଥିବାର ଥାନାଧିକାରୀ  ଶ୍ରୀ ନାୟକ କହିଛନ୍ତି। ‌ଗାଡ଼ିର ଯଦି କାଗଜପତ୍ର ଥିଲା? ସେଗୁଡ଼ିକୁ ରାସ୍ତାରୁ ଚଢେଇଧରା ଫାଣ୍ଡିକୁ ଧରିଆଣି ଅଟକ ରଖାଗଲା କାହିଁକି? ଏହି ଗାଡ଼ିଗୁଡ଼ିକ ପ୍ରଭାବଶାଳୀ ଠିକା ସଂସ୍ଥା ଓ ଲିଜଧାରୀଙ୍କର ସାମଗ୍ରୀ ‌ବୋଲି ପୁଲିସ ଛାଡି ଦେଲେ କି? ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର