ହେମଗିର ଗର୍ଜନପାହାଡ଼ରେ କଳା ବାଘ ଛୁଆ!

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିର ବନାଞ୍ଚଳର ଗର୍ଜନପାହାଡ଼ରେ ୨ଟି କଳା ବାଘ ଛୁଆ (ବ୍ଲାକ ପାନ୍ଥର୍‌ ମେଲାନିଷ୍ଟିକ୍‌ ଚିତା ବାଘ) ବୁଲୁଥିବା ସ୍ଥାନୀୟ ଅଧିବାସୀଙ୍କ ନଜରକୁ ଆସିଛି। ଗତ ମାସରେ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଏକ ବଡ଼ କଳା ବାଘ ସହ ସହ ଛୁଆ ବାଘଙ୍କୁ ଦେଖିଥିବା କହିଛନ୍ତି। ତେଣୁ ୨୦୧୮ମେ’ ମାସ‌ରେ ଗର୍ଜନପାହାଡ଼ରେ ଦୃଷ୍ଟିଗୋଚର ହୋଇଥିବା ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିବା ବ୍ଲାକ ପାନ୍ଥର୍‌ ହିଁ ସେ ୨ କଳା ବାଘ ଛୁଆର ମା’ ବୋଲି କୁହାଯାଉଛି। ଯଦି ଘଟଣାଟି ସତ ତେବେ ଏହା ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର ଏବଂ ଓଡ଼ିଶା ପାଇଁ ପୁଣି ଏକ ନୂଆଁ ରେକର୍ଡ ହେବ। କିନ୍ତୁ ଏହାକୁ ନିର୍ଦ୍ଦିଷ୍ଟ ଭାବେ ସ୍ବୀକାର କରିନାହିଁ ସ୍ଥାନୀୟ ବନବିଭାଗ। ଏ ସମ୍ପର୍କରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ , ଏଭଳି ଖବର ତାଙ୍କ ପାଖରେ ନାହିଁ ବୋଲି କହିଥିଲେ। ତେବେ ସେ ପୁଣି କହିଥିଲେ, ‘‘ଜଙ୍ଗଲରେ ବାଘ ଅଛି ମାନେ ବାଘ ମା’ ହେବା ଓ ଛୁଆ ଜନ୍ମ କରିବା ସ୍ବାଭାବିକ। କିନ୍ତୁ ସେ ଛୁଆ ଯୋଡ଼ିକ କଳା ବାଘର ବୋଲି କେମିତି କହିବା!’’ ବନ ବିଭାଗ ପକ୍ଷରୁ ଲଗା ଯାଇଥିବା କ୍ୟାମେରାରେ ଛୁଆ ବାଘ କଏଦ୍‌ ହେଲେ ସବୁ କଥା ସ୍ପଷ୍ଟ ହେବ ବୋଲି ଡ. ମିଶ୍ର କହିଥିଲେ। ସୂଚନ‌ାଯୋଗ୍ୟ, ହେମଗିର ବନାଞ୍ଚଳର ଗର୍ଜନପାହାଡ଼ରେ ଏହି ବିରଳ କଳା ବାଘର ଅବସ୍ଥିତି ଜଣାପଡ଼ିବା ପରେ ତାକୁ ସ୍ପଷ୍ଟ କରିବାକୁ ବନ ବିଭାଗ ତରଫରୁ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ର, ବନ୍ୟପ୍ରାଣୀ ଗବେଷକ ନିମାଇଁ ପଲେଇ ଓ ଭକ୍ତ ରଥଙ୍କ ତତ୍ତ୍ବାବଧାନରେ ୨୦୧୫ ଡିସେମ୍ବରରୁ ଟ୍ରାପିଂ କ୍ୟାମେରା ଲଗାଯାଇ ପଶୁପକ୍ଷୀଙ୍କ ଅବସ୍ଥିତିକୁ ନିରୀକ୍ଷଣ କରାଯାଉଥିଲା। ୨୦୧୮ ମେ’ ମାସରେ ବିଭିନ୍ନ ସମୟରେ କ୍ୟାମେରାରେ ଏକ ବ୍ଲାକ ପାନ୍ଥର୍‌ ମେଲାନିଷ୍ଟିକ୍‌ ଚିତା ବାଘ ନଜରକୁ ଆସିଥିଲା। ଏହା ପରେ ୨୦୧୮ ମେ ୨୧ରେ ଓଡ଼ିଶା ମୁଖ୍ୟ ବନ୍ୟ ପ୍ରାଣୀ ପ୍ରବନ୍ଧକ ସନ୍ଦୀପ ତ୍ରିପାଠୀ ଗର୍ଜନପାହାଡ଼ରେ କଳା ବାଘ (ବ୍ଲାକ ପାନ୍ଥର୍‌) ଥିବା ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର