ଏବେ ବି ଅନ୍ଧାରରେ ଶିମିଳିପାଳର କଳାବାଘ, ୨୭ ବର୍ଷ ପରେ ବି ତଥ୍ୟ ମିଳିପାରୁନି

ଯଶିପୁର: ଶିମିଳିପାଳରେ କଳାବାଘର ସ୍ଥିତି ସମ୍ପର୍କରେ କୌଣସିି ତଥ୍ୟ ମିଳିପାରୁନାହିଁ। ଦୀର୍ଘ ୨୭ ବର୍ଷ ଧରି ନେଇ ଗବେଷଣା ଚାଲୁଥିଲେ ମଧ୍ୟ ତାହା ଆଜି ବି ଏହା ଉତ୍କଣ୍ଠାପୂର୍ଣ୍ଣ ଇତିହାସ ହୋଇ ରହିଯାଇଛି।

ଭାରତ ସରକାରଙ୍କ ଅନୁମୋଦନ କ୍ରମେ ୧୯୭୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ। ଶିମିଳିପାଳର ପ୍ରଥମ କ୍ଷେତ୍ର ନିର୍ଦ୍ଦେଶକ ସ୍ବର୍ଗତ ପଦ୍ମଶ୍ରୀ ସରୋଜରାଜ ଚୌଧୁରୀ ଏବଂ ଡକ୍ଟର ଲାଲା ଏକେ ସିଂହଙ୍କ ଗବେଷଣା ନିସୃତ ‘ପଗ୍‌ମାର୍କ (ବାଘପଂଝା) ପଦ୍ଧତି ଦ୍ବାରା ଏଠାରେ ବାଘଙ୍କ ସଂଖ୍ୟା ସଂପର୍କରେ ଏକପ୍ରକାର ସ୍ପଷ୍ଟ ଚିତ୍ର ମିଳିଥିଲା। ହେଲେ ଏତେବଡ଼ ବିଶାଳ ଜଙ୍ଗଲରେ କେଉଁ ପ୍ରଜାତିର ବାଘ ରହୁଛନ୍ତି ତାକୁ ନେଇ ସମସ୍ତେ ଥିଲେ ଅନ୍ଧାରରେ। ଏପରି ସମୟରେ ୧୯୯୩ ମସିହା ଜୁଲାଇ ୨୧ ତାରିଖରେ ପୋଡ଼ାଗଡ଼ ଗ୍ରାମରେ ଏମିତି ଏକ ଘଟଣା ଘଟିଲା, ଯାହା ଶିମିଳିପାଳ ଇତିହାସରେ ବାଘଙ୍କୁ ନେଇ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା। ଉକ୍ତ ଦିନ ପୋଡ଼ାଗଡ଼ ଗ୍ରାମର ସୁରାଇ ବେଶ୍ରା ଓ ତାଙ୍କ ପୁଅ ସାଲଖୁ ବେଶ୍ରା ନିଜ ଗୁହାଳ ଘରେ ଏକ କଳାବାଘ ଦେଖିବାକୁ ପାଇଥିଲେ। ଯାହାକୁ ପ୍ରାଣୀ ବିଜ୍ଞାନୀମାନେ ‘ମେଲାନିଷ୍ଟିକ୍ ଟାଇଗର୍‌’ ବୋଲି କହୁଛନ୍ତି। ଗୁହାଳ ଘରେ ଜନ୍ତୁଟିକୁ ଦେଖିବା ପରେ ସୁରାଇ ଓ ତାଙ୍କ ପୁଅ ଏହା ଏକ ଗଧିଆ ବା ହେଟାବାଘ ପ୍ରଜାତିର ବୋଲି ଭାବିଥିଲେ। ହେଲେ ତାର ବିଶାଳ ଶରୀର ଓ ଭୟଙ୍କର ଗର୍ଜନରୁ ବାପପୁଅ ଠଉରାଇ ନେଇଥିଲେ ଏହା ଏକ ମହାବଳ। ଆଉ ବାଘଟି ଝାମ୍ପ ମାରିବା ପୂର୍ବରୁ ଆତ୍ମରକ୍ଷା ପାଇଁ ସାଲଖୁ ସେଦିନ ଧନୁତୀରରେ ତାକୁ ହତ୍ୟା କରିଥିଲେ। ୨୦୦୬ ମସିହାରେ ଡେରାଡୁନସ୍ଥିତ ଭାରତୀୟ ବନ୍ୟଜୀବନ ପ୍ରତିଷ୍ଠାନ ପକ୍ଷରୁ ଶିମିଳିପାଳ ବନାଞ୍ଚଳ ବରାକାମୁଡ଼ାର ୧୨୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାଘ୍ର ଗଣନା ପାଇଁ ଖଞ୍ଜାଯାଇଥିବା କ୍ୟାମେରାରେ ୪ଟି କଳାବାଘର ଚିତ୍ର ଦେଖିବାକୁ ମିଳିଥିଲା।

ବ୍ୟାଘ୍ର ଗବେଷକ ଡକ୍ଟର ଲାଲା ଏକେ ସିଂହଙ୍କ ରଚିତ ପୁସ୍ତକ ‘ବର୍ନ ବ୍ଲାକ୍-ମେଲାନିଷ୍ଟିକ୍ ଟାଇଗର ଇନ୍ ଶିମିଳିପାଳର ତଥ୍ୟ ଅନୁଯାୟୀ, ୧୯୯୬ ମସିହା ପରଠାରୁ ବନ କର୍ମଚାରୀ ବିସି ନାୟକ, ମନ୍ତ୍ରୀବର ମହାନ୍ତ, ବିଏନ୍ ନାୟକ, ଗୌରାଙ୍ଗ ନାୟକ, କେସି ପତି ପ୍ରମୁଖ ଶିମିଳିପାଳର ବାଲାଦଘର, ପାଟବିଲ-ଦେବସ୍ଥଳୀ, ପଣ୍ଡାବନ୍ଧା, ଖଡ଼ଖାଇ ରୋଡ, ହାତୀଦର ରୋଡ, ମୀନାହଜା, ମାଟୁଘର ଆଦି ଅଞ୍ଚଳରେ କଳାବାଘ ଦେଖିଥିବା ସେଥିରେ ଉଲ୍ଲେଖ ରହିଛି। ଶିମିଳିପାଳର ପୂର୍ବତନ କ୍ଷେତ୍ର ନିର୍ଦ୍ଦେଶକ ଭାବେ କାମ କରିଥିବା ଏସ୍‌ଆର୍‌ ସାଗର, ଡକ୍ଟର ବିସି ପୃଷ୍ଟି, ଏସ୍‌ଏସ୍‌ ଶ୍ରୀବାସ୍ତବ ମଧ୍ୟ ଶିମିଳିପାଳରେ କଳାବାଘର ସ୍ଥିତି ନେଇ ପ୍ରମାଣ ଦେଇଛନ୍ତି। ହେଲେ ବର୍ତମାନ ଏହି ବିରଳ ବାଘଙ୍କ ସ୍ଥିତି କଣ, ସେ ସଂପର୍କରେ କିଛି ତଥ୍ୟ ମିଳିପାରୁନି। ଫଳରେ ଏଠ‌ାରେ କଳାବାଘକୁ ନେଇ ଗତ ୨୭ ବର୍ଷ ଧରି ଯେଉଁ ଉତ୍କଣ୍ଠାପୂର୍ଣ୍ଣ ଇତିହାସ ରହିଛି, ତାହା ଧୀରେ ଧୀରେ ମଳିନ ପଡ଼ିବାରେ ଲାଗିଛି। ଖାଲି ସେତିକି ନୁହେଁ, ସେମାନଙ୍କର ଅସ୍ତିତ୍ବ ନେଇ ମଧ୍ୟ ପ୍ରଶ୍ନ ଉଠିଛି ବୋଲି ବନ୍ୟଜନ୍ତୁ ଗବେଷକ ତଥା ପରିବେଶବିତ୍‌ମାନେ ମତ ରଖିଛନ୍ତି। ପ୍ରକାଶଥାଉକି, ଗତବର୍ଷ ସମ୍ବଲପୁର ଜିଲ୍ଲାର ଡେବ୍ରିଗଡ଼ ସଂରକ୍ଷିତ ଜଙ୍ଗଲରେ ଏକ ବିରଳ କଳାବାଘ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର