ବାରିପଦା/ଉଦଳା-୧: ଶିମିଳିପାଳରେ ୧୦୦ରୁ ଅଧିକ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) କ୍ୟାମେରା ସହ ୨୦୦ରୁ ଅଧିକ ଉଚ୍ଚକ୍ଷମତାସମ୍ପନ୍ନ ଟ୍ରାପ୍ କ୍ୟାମେରା ଲାଗିଛି। ଶତାଧିକ ବନ କର୍ମଚାରୀ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ଏତେସବୁ ବ୍ୟବସ୍ଥା ସତ୍ତ୍ବେ ଶିମିଳିପାଳରେ ଏକକାଳୀନ ୧୫ଜଣ ବନ୍ଧୁକଧାରୀ ପ୍ରବେଶ କରି ବିରଳ କଳାବାଘ ଶିକାର କଲେ। ହେଲେ ବନବିଭାଗ ଏହାର ଟେର୍ ପାଇଲାନି। ଆଉ ଆଜି କଳାବାଘର ଚମଡ଼ା ଜବତ ସହ ୪ ଜଣଙ୍କୁ ଗିରଫ କରି ଦୋଷ ଲୁଚାଇବାକୁ ଉଦ୍ୟମ ହୋଇଛି। ଗୋଟିଏପଟେ ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ବାଘ ଅଣାଯାଉଥିବା ବେଳେ ଶିମଳିପାଳରେ ପୂର୍ବରୁ ଥିବା ବାଘକୁ ସୁରକ୍ଷା ଦେଇପାରୁନି ବନବିଭାଗ। ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାମିଲ ଥିଲେ ୧୫ଜଣ ବନ୍ଧୁକଧାରୀ
ଖବର ଲୁଚାଇଥିଲା ବନ ବିଭାଗ
ସୂଚନା ଅନୁଯାୟୀ; ୨୦୨୪ ଡିସେମ୍ବର ପ୍ରଥମ ସପ୍ତାହରେ ଏହି କଳାବାଘକୁ ଶିକାର କରାଯାଇଥିଲା। ୧୫ ଜଣ ଶିକାରୀ ଏକକାଳୀନ ଜଙ୍ଗଲରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ପଶିଥିଲେ। ସେମାନେ ଶିମିଳିପାଳର କୋର୍ ଏରିଆରେ ଦେଢ଼ବର୍ଷର ଏହି ବିରଳ କଳାବାଘଟିକୁ ଶିକାର କରି ଘରକୁ ନେଇ ଆସିଥିଲେ। ହେଲେ ବନବିଭାଗ ଏହାର ବିନ୍ଦୁବିସର୍ଗ କିଛି ଜାଣି ପାରି ନଥିଲା। ପରବର୍ତ୍ତୀ ସମୟରେ କୌଣସି ସୂତ୍ରରୁ ଖବର ପାଇ ଡିସେମ୍ବର ୧୫ ତାରିଖ ଦିନ ଉଦଳା ଥାନା ଅଞ୍ଚଳରୁ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ବାଘ ନଖ, ଦାନ୍ତ ଆଦି ଜବତ ହୋଇଥିଲା। କିନ୍ତୁ ଶିମିଳିପାଳରେ କଳାବାଘ ଶିକାର ହୋଇଥିବା ଖବରକୁ ଚାପି ଦିଆଯାଇଥିଲା। ଗିରଫ ଶିକାରୀମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ବାବଦରେ ଜଣାପଡ଼ିଥିଲା। ଆଜି ଉଦଳା ଥାନା ଅନ୍ତର୍ଗତ ତେନ୍ତୁଳା ଗାଁରେ ଚଢ଼ଉ କରି ଆଉ ୪ ଅଭିଯୁକ୍ତ; ଅଜମ୍ବର ନାଏକ, ପୀତାମ୍ବର ନାଏକ, ରାମ ନାଏକ ଓ ବାଲିଘାଟ ଗାଁର ବାଇରାମ ମୁର୍ମୁଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ପାଖରୁ ବାଘ ଚମଡ଼ା ଜବତ କରାଯାଇଛି। ତେବେ ମାଷ୍ଟର୍ମାଇଣ୍ଡ୍ ସମେତ ଆଉ ୫ଜଣ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି।
ଏନେଇ ଆର୍ସିସିଏଫ୍ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି, କଳାବାଘ ଶିକାର ଘଟଣାରେ ଆମେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛୁ। ଖୁବ୍ଶୀଘ୍ର ବାକି ଅଭିଯୁକ୍ତ ଧରାପଡ଼ିବେ। ଯଦିଓ ଶିମିଳିପାଳ କୋର୍ ଅଞ୍ଚଳରେ ବାଘସଂଖ୍ୟା ବୃଦ୍ଧି ପାଉଛି, ହେଲେ ଶିକାର ସମ୍ପୂର୍ଣ୍ଣ ବନ୍ଦ ହୋଇପାରିନି। ଏଥିପାଇଁ ଆହୁରି ସମୟ ଲାଗିବ। ଆଗକୁ ବନ୍ଧୁକ ଜବତ ଅଭିଯାନ ଜୋର୍ଦାର କରାଯିବ ବୋଲି ଶ୍ରୀ ଗୋଗିନାନୀ କହିଛନ୍ତି। ତେବେ, ଶ୍ରୀ ଗୋଗିନାନୀଙ୍କ ବୟାନ ବନବିଭାଗର ଅପାରଗତାକୁ ଦର୍ଶାଉଛି। ଯଦି ଶିମିଳିପାଳରେ ଶିକାର ରୋକିବା ପାଇଁ ଆହୁରି ସମୟ ଲାଗିବ, ତେବେ ରାଜ୍ୟ ବାହାରୁ ଏଠାକୁ ୨ ମହାବଳ ବାଘୁଣୀଙ୍କୁ ଅଣାଗଲା କାହିଁକି? ବନବିଭାଗ କହୁଛି ଆମେ ଅତ୍ୟାଧୁନିକ ଉପାୟରେ ଜଙ୍ଗଲ ସୁରକ୍ଷା କରୁଛୁ। ତେବେ କୋର୍ ଏରିଆକୁ ୧୫ ଶିକାରୀ ଗଲେ କେମିତି? ଯଦି ଅସଲରେ ୩ ଶହରୁ ଅଧିକ କ୍ୟାମେରା ଶିମିଳିପାଳରେ ଲାଗିଛି, ତେବେ ଶିକାରୀ ଏଥିରେ ଦୃଶ୍ୟମାନ ହେଲେନି କେମିତି? ସାରାଦେଶରେ କେବଳ ଶିମିଳିପାଳରେ ହିଁ କଳାବାଘ ରହିଛନ୍ତି। ହେଲେ, ବିରଳ ବାଘଙ୍କ ସୁରକ୍ଷା ପାଇଁ କାହିଁକି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇନି? ଏମିତି ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଛି। ଏ ସମ୍ପର୍କରେ ମତାମତ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।