କୋରାପୁଟ: ହଳଦୀ ଚାଷ ପାଇଁ କୋରାପୁଟ ଜଳବାୟୁ ଓ ମୃତ୍ତିକା ବେଶ୍ ଅନୁକୂଳ। ଜିଲ୍ଲାରେ ୩୩୦୦ ହେକ୍ଟର ଜମିରେ ହଳଦୀ ଚାଷ ହେଉଥିବା ବେଳେ ଚଳିତ ବର୍ଷରୁ ଆରମ୍ଭ ହୋଇଛି କଳା ହଳଦୀ ଚାଷ। ଔଷଧୀୟ ଗୁଣରେ ଭରପୂର ଥିବା କଳା ହଳଦୀର ଚାହିଦା ଅଧିକ ରହିଛି। ସୂଚନା ଅନୁଯାୟୀ, କଳା ହଳଦୀ କର୍କଟ ରୋଗୀଙ୍କ ପାଇଁ ବହୁତ ଉପକାରୀ। କଳା ହଳଦୀରେ ଥିବା କରକ୍ୟୁମିନ୍ କର୍କଟ କୋଷ ବୃଦ୍ଧିକୁ ରୋକିଥାଏ। ଏହି ହଳଦୀରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହା ସହାୟକ ହେଉଥିବାରୁ ପାଚନ ସମସ୍ୟା, ଆଜମା ଏବଂ ଶ୍ୱାସକ୍ରିୟା ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ପାଇଁ ରାମବାଣ ସଦୃଶ୍ୟ। ଚର୍ମ ରୋଗୀ ଏବଂ ଯନ୍ତ୍ରଣା ନିବାରଣ ପାଇଁ ମଧ୍ୟ ଏହା ଲାଭଦାୟକ। ପରୀକ୍ଷା ମୂଳକ ଭାବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓୟୁଏଟି ପକ୍ଷରୁ କୋରାପୁଟରେ କଳା ହଳଦୀ କିସମର ଚାଷ କରାଯାଇଛି।
କର୍କଟ, ଶ୍ବାସ ରୋଗ ପାଇଁ ରାମବାଣ ସଦୃଶ୍ୟ
ଦଶମନ୍ତପୁରର ୨୦ ଚାଷୀଙ୍କୁ ଦିଆଯାଇଛି ୫୦ କେଜି ବିହନ
ଗୁଣବତ୍ତା ଯାଞ୍ଚ ପାଇଁ ଚାଷୀଙ୍କ ନିକଟରେ ପହଞ୍ଚିଲେ ଫାର୍ମା କମ୍ପାନି
ଏହି କିସମର ୫୦ କେଜି ହଳଦୀ ବିହନକୁ ଆଇଟିଡିଏକୁ ପ୍ରଦାନ କରାଯାଇଛି। ଆଇଟିଡିଏ ଏହି ବିହନକୁ ଦଶମନ୍ତପୁର ବ୍ଲକ ଆଡ଼ମଣ୍ଡା ଅଞ୍ଚଳରେ ବନ୍ଧନ ବିକାଶ ଯୋଜନାରେ ୨୦ ମହିଳା ଚାଷୀଙ୍କୁ ପ୍ରଦାନ କରିବା ସହ ଚାଷ ସଂକ୍ରାନ୍ତରେ ବୈଷୟିକ ଜ୍ଞାନ କୌଶଳ ଯୋଗାଇଛି। ଜୈବିକ ପଦ୍ଧତିରେ ଏହି ଚାଷ କରାଯାଇଛି। ଗତ ଜୁନ୍ ମାସରେ ଏହି ବିହନ ରୋପଣ ହୋଇଥିବା ବେଳେ ଏବେ ଭଲ ଚାଷ ହୋଇ ଗଛରେ ହଳଦୀ ଧରିଛି। ୨୦୨୬ ମାର୍ଚ୍ଚରେ ଏହି ହଳଦୀ ଉତ୍ପାଦନ ଆରମ୍ଭ ହେବ। କଳା ହଳଦୀ ଚାଷ ଦେଖି କିଛି ଫାର୍ମା କମ୍ପାନି ଚାଷୀଙ୍କ ପାଖରେ ପହଞ୍ଚି ହଳଦୀର ଗୁଣବତ୍ତା ଦେଖି ଯାଇଛନ୍ତି। ସାଧାରଣ ହଳଦୀ କେଜି ପିଛା ବଜାରରେ ଶହେରୁ ୨୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। କଳା ହଳଦୀର ବଜାର ଦର କେଜି ପିଛା ୧୨୦୦ରୁ ୨୦୦୦ ଟଙ୍କା ରହିଛି। ଶୁଖିଲା କଳା ହଳଦୀ ଆମାଜନ ଭଳି ଇ-ମାର୍କେଟରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ସ୍ନେହାପ୍ରଭା ମାଝୀ କହିଛନ୍ତି, ଚଳିତ ବର୍ଷ କଳା ହଳଦୀକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି।