ମାଲକାନଗିରି: ଦଶନ୍ଧି ଦଶନ୍ଧି ଧରି ମାଓବାଦୀଙ୍କ କବ୍ଜାରେ ଥିଲା ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ। ବିଏସ୍ଏଫ୍ କ୍ୟାମ୍ପ୍ ପ୍ରତିଷ୍ଠା ପରେ ମାଓ ସମସ୍ୟା ଦୂର ହେଲା। କିନ୍ତୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇ ରହିଗଲା। ଯାତାୟାତ ପାଇଁ ଜଳପଥରେ ଦେଶୀ ଡଙ୍ଗା ଓ ସ୍ଥଳପଥରେ ଆନ୍ଧ୍ର ନିର୍ମାଣ କରିଥିବା ରାସ୍ତା ହିଁ ଏକ ମାତ୍ର ଭରସା। ସରକାରଙ୍କ ଅନେକ ଯୋଜନା ସତ୍ତ୍ବେ ଯାତାୟାତ ବ୍ୟବସ୍ଥା ସୁଗମ ହୋଇପାରୁନଥିବାରୁ କଳାପାଣି ଭଳି ଜୀବନ ବିତାଉଛନ୍ତି ଏହି ପଞ୍ଚାୟତର ଲୋକେ। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ରହିଛି ୯ଟି ପଞ୍ଚାୟତ। ସବୁଠୁ ପଛୁଆ ଇଲାକା ଭାବେ ରହିଛି ଯନ୍ତ୍ରୀ ପଞ୍ଚାୟତ। ବ୍ଲକ୍ ସଦର ମହକୁମାରୁ ୮୦ କିମି ଓ ଜିଲ୍ଲା ସଦର ମହକୁମାରୁ ୧୫୦ କିମି ଦୂରରେ ରହିଛି ପଞ୍ଚାୟତ। ପଞ୍ଚାୟତକୁ ଯିବାକୁ ହେଲେ ଜଳପଥରେ ୬୦ କିମି ଯାତ୍ରା କରିବାକୁ ପଡ଼ିଥାଏ।
ଓଡ଼ିଶା ପଞ୍ଚାୟତକୁ ଭରସା ଆନ୍ଧ୍ର ରାସ୍ତା
ଜଳପଥରେ ଯାତ୍ରା କରିବାକୁ ପଡ଼ୁଛି ୬୦ କିମି
୩ ଗାଁ ଜଳବନ୍ଦି, ଚୁଆ ପାଣି ମେଣ୍ଟାଉଛି ଶୋଷ
ବ୍ଲକ୍ ସଦର ମହକୁମା ଚିତ୍ରକୋଣ୍ଡାରୁ ସକାଳ ୧୦ଟାରେ ବାହାରୁଥିବା ଯାତ୍ରୀବାହୀ ଲଞ୍ଚରେ ଗଲେ ସନ୍ଧ୍ୟାରେ ପହଞ୍ଚିହୁଏ ଯନ୍ତ୍ରୀରେ। ଏହି ପଞ୍ଚାୟତକୁ ଯିବା ପାଇଁ ଓଡ଼ିଶା ପକ୍ଷରୁ ସ୍ଥଳପଥରେ କୌଣସି ସଂଯୋଗୀକରଣ ନାହିଁ। ଆନ୍ଧ୍ରର ଘାଟି ଓ ଆବଡାଖାବଡା ରାସ୍ତା ଦେଇ ୮୦ କିମି ଗଲେ ଯନ୍ତ୍ରୀରେ ପହଞ୍ଚିଥାନ୍ତି ଲୋକେ। ଯନ୍ତ୍ରୀ ପଞ୍ଚାୟତରେ ୧୩ଟି ଗାଁ ଥିବା ବେଳେ ବାଲିମେଳା ଜଳଭଣ୍ଡାର ଭିତରେ ଜଳବନ୍ଦି ଅବସ୍ଥାରେ ରହିଛି ଆରଲମପଡ଼ା, ଡାବଗୁଡ଼ା ଏବଂ ଧାକଡ଼ପଦର ଗାଁ। ଏହି ଗାଁଗୁଡ଼ିକୁ ଯାତାୟାତ ପାଇଁ ଦେଶୀ ଡଙ୍ଗା ହିଁ ଭରସା। ଗାଁଗୁଡ଼ିକରେ ବିଶୁଦ୍ଧ
ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଝରଣା ଓ ଚୁଆ ପାଣି ମେଣ୍ଟାଉଛି ଅଞ୍ଚଳବାସୀଙ୍କ ଶୋଷ। ଖରା, ବର୍ଷା ଓ ଶୀତ କାକର ସବୁବେଳେ ଚୁଆ ପାଣି ହିଁ ପିଇ ଆସୁଛନ୍ତି ଏଠିକାର ଲୋକେ। ମାଳମାଳ ସମସ୍ୟାରେ ଜର୍ଜରିତ ଗାଁଗୁଡ଼ିକର ବିକାଶ ନକ୍ସା ପ୍ରସ୍ତୁତ ହେଉଥିବା ପଞ୍ଚାୟତ କାର୍ଯ୍ୟାଳୟ ଅବସ୍ଥା ମଧ୍ୟ ତଦ୍ରୂପ। ଭଙ୍ଗାଦଦରା ଆଜବେଷ୍ଟ୍ସ ଘରେ ପଞ୍ଚାୟତ କାର୍ଯ୍ୟାଳୟ ପରିଚାଳନା ହେଉଛି।
ଅପହଞ୍ଚ ଇଲାକାରେ ବିକାଶକୁ ଗତିଶୀଳ କରିବା ଲାଗି ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ବହୁବାର ଦାବି କରିଛନ୍ତି ପଞ୍ଚାୟତବାସୀ। ହେଲେ କୌଣସି ସୁଫଳ ମିଳିପାରୁନି। ଫଳରେ ଓଡ଼ିଶାରେ ଘର କରି ଆନ୍ଧ୍ର ଉପରେ ନିର୍ଭରଶୀଳ ଅଞ୍ଚଳବାସୀ। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ପଚାରିବାରୁ ଓଡ଼ିଶା ପକ୍ଷରୁ ବ୍ରିଜ୍ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ଏଥି ସହ ପଞ୍ଚାୟତରେ କିଭଳି ସମସ୍ତ ମୌଳିକ ସୁବିଧା ପହଞ୍ଚିବ, ସେ ନେଇ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।