ଔଷଧ ନିଗମରେ ଲମ୍ବୁଛି କଳା ତାଲିକାଭୁକ୍ତ କମ୍ପାନି ତାଲିକା : ୩ବର୍ଷରେ ୩୦ରୁ ଅଧିକ କମ୍ପାନି କଳାତାଲିକାଭୁକ୍ତ, ତାଲିକାରେ ରହିଛନ୍ତି ରାଜ୍ୟର ୬ ଔଷଧ କମ୍ପାନି

ଭୁବନେଶ୍ବର : ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ରାଜ୍ୟ ସରକାର ‘ନିରାମୟ’ ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟ ଔଷଧ ନିଗମ ପ୍ରତିଷ୍ଠା କରାଯାଇ ଏହା ଜରିଆରେ ଔଷଧ କିଣାଯାଇ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାକୁ ଦିଆଯାଉଛି। ତେବେ ଟେଣ୍ଡର୍‌ ହାସଲ ପରେ ଔଷଧ ଯୋଗାଉଥିବା କମ୍ପାନି ଅନେକ ସମୟରେ ନିମ୍ନମାନର ବା ଏନ୍‌ଏସ୍‌କ୍ୟୁ ଔଷଧକୁ ରୋକିବା ପାଇଁ ନିଗମ ପଦକ୍ଷେପ ଗ୍ରହଣ କରିଛି। ଗତ ତିନି ବର୍ଷରେ ୩୦ରୁ ଅଧିକ କମ୍ପାନିକୁ ନିମ୍ନମାନର ଔଷଧ ଯୋଗାଇବା ଅଭିଯୋଗରେ କଳା ତାଲିକାଭୁକ୍ତ କରାଯାଇଛି। ଏଥିରେ ରାଜ୍ୟର ୬ଟି ଔଷଧ କମ୍ପାନି ରହିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ୩ ବର୍ଷ ପାଇଁ ଏହି କମ୍ପାନିମାନେ ନିଗମର କୌଣସି ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ।

୨୦୧୬ ମସିହାରେ ୭ଟି କମ୍ପାନି, ୨୦୧୭ରେ ୮ଟି, ୨୦୧୮ରେ ୮ଟି ଓ ଚଳିତ ବର୍ଷ ୭ଟି କମ୍ପାନିକୁ କଳା ତାଲିକାଭୁକ୍ତ କରାଯାଇଛି। ଚଳିତ ମାସରେ ହରିଦ୍ବାରର ଏକ କମ୍ପାନିକୁ ମଧ୍ୟ କଳା ତାଲିକାଭୁକ୍ତ ହୋଇଛି। ସଂପୃକ୍ତ କମ୍ପାନି ୨୦ ମିଲିଗ୍ରାମ୍‌ର ରାବିପ୍ରାଜୋଲ ବଟିକା ପ୍ରଦାନ କରିବା ପାଇଁ ଟେଣ୍ଡର ହାସଲ କରିଥିଲା। ତେବେ ଏହି କମ୍ପାନିର ୩ଟି ବ୍ୟାଚ୍‌ର ଔଷଧ ନିମ୍ନମାନର ରହିଥିବା ଜଣାପଡ଼ିଥିଲା। ନିଗମ ପକ୍ଷରୁ ୩ଟି ଏମ୍‌.ପ୍ୟାନେଲ ପରୀକ୍ଷାଗାରରେ ଏହି ଔଷଧ ପରୀକ୍ଷା ହୋଇଥିବା ବେଳେ ତାହା ଏନ୍‌ଏସ୍‌କ୍ୟୁ ଜଣାପଡ଼ିଥିଲା। ପରେ ଏଥିପାଇଁ ସଂପୃକ୍ତ କମ୍ପାନିକୁ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ତେବେ ସଂପୃକ୍ତ କମ୍ପାନି ଔଷଧ ପ୍ରସ୍ତୁତିରେ ତ୍ରୁଟି ରହିଥିବା ଦର୍ଶାଇଥିଲା। ପରେ ନିଗମ ପକ୍ଷରୁ ସଂପୃକ୍ତ ଔଷଧ କମ୍ପାନିକୁ ଆସନ୍ତା ୩ ବର୍ଷ ପାଇଁ କୌଣସି ପ୍ରକାର ଟେଣ୍ଡର୍‌ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି।

ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, କମ୍ପାନି ଔଷଧ ଯୋଗାଇବା ପରେ ଏହି ଔଷଧକୁ ନିଗମର ଅନୁମୋଦିତ ଏନ୍‌ଏବିଏଲ୍ ପରୀକ୍ଷାଗାରରେ ଏହାର ପରୀକ୍ଷା କରାଯାଇଥାଏ। ଔଷଧର ପରୀକ୍ଷା ପାଇଁ କମ୍ପ୍ୟୁଟରୀକୃତ ଲା ବୋରେଟାରି ଓ ଟୋକନ୍ ନମ୍ବର ବାହାରିଥାଏ। ଫଳରେ ସଂପୃକ୍ତ ପରୀକ୍ଷାଗାରକୁ ଔଷଧ ପରୀକ୍ଷା ପାଇଁ ପଠାଯାଇଥାଏ। ସେଠାରେ ଯଦି କୌଣସି ଔଷଧ ନିମ୍ନମାନର ରହିଥିବା ଜଣାପଡ଼େ, ତେବେ ସଂପୃକ୍ତ କମ୍ପାନିକୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାଏ। ଯଦି ସଂପୃକ୍ତ କମ୍ପାନି ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ରଖିବାରେ ବିଫଳ ହୁଅନ୍ତି, ତେବେ ସେହି କମ୍ପାନିକୁ ନିଗମର ସମସ୍ତ ଟେଣ୍ଡର୍‌ ପ୍ରକ୍ରିୟାରୁ ୩ବର୍ଷ ପାଇଁ ବିରତ କରାଯାଉଛି। ଏହାସହ ଟେଣ୍ଡର୍‌ ସମୟରେ କମ୍ପାନି ରଖୁଥିବା ଜମାରାଶିକୁ ମଧ୍ୟ ଜବତ କରାଯାଉଛି। ରୋଗୀଙ୍କୁ ଉନ୍ନତ ମାନର ଔଷଧ ଯୋଗାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସହ ଔଷଧ ଯୋଗାଣ ପରେ ମଧ୍ୟ ଡାକ୍ତରଖାନାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର